ଭୁବନେଶ୍ୱର (ମହେନ୍ଦ୍ର ସାହୁ): ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟୋଜିତ ଗଣେଶ ପୂଜା ମଧ୍ୟରୁ ‘ଜଟଣୀ ଗଣେଶ ପୂଜା’ର ସ୍ଥାନ ସ୍ୱତନ୍ତ୍ର। ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ଏହି ସହର ବ୍ୟବସାୟ ପାଇଁ ପ୍ରସିଦ୍ଧି ଲାଭ କରିଥିବାରୁ ଏଠାରେ ଆକର୍ଷଣୀୟ ଭାବେ ଗଣେଶ ପୂଜା ପାଳନ କରାଯାଇଥାଏ । ସହରରେ ବିଭିନ୍ନ ସଂପ୍ରଦାୟର ଲୋକେ ଗଣେଶ ପୂଜା ପାଇଁ ସହଯୋଗର ହାତ ବଢ଼ାଇ ଏହାକୁ ସଫଳ ରୂପ ଦେବାକୁ ଉଦ୍ୟମ କରିଥାନ୍ତି। ପୂଜା ସମୟରେ ଏଠାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତାର ସୂତ୍ରରେ ବାନ୍ଧି ହୋଇ କାମ କରିଥାନ୍ତି। ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ମଧ୍ୟ ଗଣେଶ ପୂଜା ପାଇଁ ଚାନ୍ଦା ଦେଇ ଓ ଶ୍ରମ ଦାନ କରି ସହଯୋଗ କାମନା କରିଥାନ୍ତି। ସେହିପରି ଭସାଣୀ ଉତ୍ସବରେ ମଧ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଆନ୍ତି।

Advertisment

ଆସନ୍ତାକାଲି ବିଦ୍ୟାଦାତା ଭଗବାନ ଗଣେଶଙ୍କ ଚତୁର୍ଥୀ। ସ୍କୁଲ-କଲେଜ, ଯୁବକ ସଂଗଠନ, କ୍ଲବ, ବ୍ୟବସାୟୀ ସଂଗଠନ, ବଜାର ଆଦି ପ୍ରମୁଖ ସ୍ଥାନରେ ଗଣେଶ ପୂଜା ଧୂମଧାମରେ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ମୂର୍ତ୍ତି ନିର୍ମାଣ କରୁଥିବା କାରିଗରମାନେ ଶେଷ ସ୍ପର୍ଶ ଦେବାରେ ଏପରି ବ୍ୟସ୍ତ ଅଛନ୍ତି ଯେ, ଖାଇବା-ଶୋଇବା ପାଇଁ ସମୟ ପାଇପାରୁ ନାହାନ୍ତି। କିଛି ମୂର୍ତ୍ତି କାରିଗର ରାଜ୍ୟ ବାହାରରୁ ଆସିଛନ୍ତି। ଟେଣ୍ଟ ମାଲିକମାନଙ୍କ ପାଖରେ ପରିବାରର ସୁଖଦୁଃଖରେ ସାମିଲ ହେବାକୁ ସମୟ ନାହିଁ। କଳାକାରମାନେ ଗଣେଶ ପୂଜା ଆସିଲେ ଖୁସି ହୁଅନ୍ତି। କାରଣ ଗଣେଶ ପୂଜା ଠାରୁ ଓଡ଼ିଶାର ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥାଏ।

ଜଟଣୀର ଗଣେଶ ପୂଜାକୁ ‘ଗଣେଶ ମହୋତ୍ସବ’ କହିଲେ କଛି ଭୁଲ ହେବ ନାହିଁ। କାରଣ ଏଠାରେ ପ୍ରତିଯୋଗୀ ମନୋଭାବ ନେଇ ବିଭିନ୍ନ କ୍ଲବ ତରଫରୁ ପୂଜା ଆୟୋଜନ କରାଯାଇଥାଏ। କେଉଁଠି ମୂର୍ତ୍ତିକୁ ତ ଆଉ କେଉଁଠି ପୂଜା ମଣ୍ଡପକୁ ଗୁରୁତ୍ୱ ଦିଆଯାଇଥାଏ। ଆୟେଜକମାନେ ଗଣେଶ ପୂଜା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥାନ୍ତିି। ପ୍ରାୟ ୧୩ ଦିନ ଯାଏଁ ଶତାଧିକ ସ୍ଥାନରେ ଗଣେଶ ପୂଜାର ଆୟୋଜନ ହେଉଥିବା ବେଳେ ଚଳିତବର୍ଷ ୧୩ଟି ସ୍ଥାନରେ ଆକର୍ଷଣୀୟ ଭାବେ ଗଜାନନଙ୍କ ପୂଜା ଆୟୋଜନ ହେଉଛି। ଜଟଣୀରେ ଶହ ଶହ ବର୍ଷ ପୂର୍ବରୁ ଗଣେଶ ପୂଜା ହୋଇ ଆସୁଛି ବୋଲି ବରିଷ୍ଠ ନାଗରିକମାନେ ମତ ଦିଅନ୍ତି।

publive-image

ଜଟଣୀ ଏକ ଭାଇଚାରାର ସହର ହୋଇଥିବାରୁ, ଏଠାରେ ଗଣେଶ ପୂଜା ସମୟରେ ସମସ୍ତେ ଏକାଠି ହୋଇଥାନ୍ତି। ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ମଧ୍ୟ ଗଣେଶ ପୂଜାକୁ ବିପୁଳ ସମର୍ଥନ ଜଣାଇ ପୂଜା ଚାନ୍ଦା ଦେଇଥାନ୍ତି ଓ ସହଯୋଗ କରିଥାନ୍ତି। ପୂଜା ସମୟରେ କେବେ ବି ସାଂପ୍ରଦାୟିକ ହିଂସା ଦେଖାଯାଇ ନାହିଁ।

କଟକରେ ଯେଭଳି ଦଶହରା ପର୍ବକୁ ଧୂମଧାମରେ ପାଳନ କରାଯାଇଥାଏ। ସେହିପରି ଜଟଣୀର ପ୍ରସିଦ୍ଧ ଗଣେଶ ପୂଜାକୁ ବଡ଼ ଆଡମ୍ବରପୂର୍ଣ୍ଣ ଶୈଳୀରେ ଆୟୋଜନ କରାଯାଇଥାଏ। ସମସ୍ତଙ୍କର ସହଯୋଗରେ ଗଣେଶ ପୂଜା ପ୍ରତିବର୍ଷ ପାଳନ ହୋଇଆସୁଛି ବୋଲି ଜଟଣୀ ବଡ଼ ମସଜିଦର ମୁତଅଲ୍ଲି ତଥା ସଂପାଦକ ମହମ୍ମଦ ଜାଫର ନୁର କହନ୍ତିି। ଆମେ ସମସ୍ତେ ଭାଇଚାର ସଂପର୍କ ନେଇ ଏଠାରେ ବସବାସ କରୁଛୁ ଜଟଣୀରେ ବିଭିନ୍ନ ଧର୍ମ ଓ ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି। ଅବଦୁଲ କଲାମ ଆଜାଦ ମଦ୍ରାସାର ସଭାପତି ଶ୍ରୀ ନୁର କହିଛନ୍ତିି, ପୂଜାରେ ସବୁ ଧର୍ମ, ବର୍ଣ୍ଣ, ଜାତିର ଲୋକେ ସହଯୋଗ କରୁଛନ୍ତି। କୌଣସି ପ୍ରକାରର ସାମାଜିକ ଭେଦଭାବ ଦେଖାଯାଏ ନାହିଁ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଗଣେଶ ପୂଜା ପାଳନ ହେବ ବୋଲି ସେ କହିଛନ୍ତି।

publive-image

ଦିଲ୍ଲୀ ଆବେଜା ହେଲଥ୍‌ ଟ୍ରଷ୍ଟର ଓଡ଼ିଶା ସଦସ୍ୟ ଥିବା ମହମ୍ମଦ ଇସ୍ମାଇଲ ଅଲୀ କହନ୍ତି, ଜଟଣୀର ଥାନା ଛକ, ରେଳବାଇ ଗୋଲେଇ, ରାଜାବଜାର, ମାଛ ମାର୍କେଟ, ମହୁଲଗୁଡ଼ଇା ଛକ, ହରିଭାଇନା ଛକ, ସୀତାରାମ ଛକ, କୁଦିୟାରୀ ବଜାର, ଆଦି ପ୍ରମୁଖସ୍ଥଳରେ ବ୍ୟୟ ବହୁଳ ପୂଜା ହୋଇଥାଏ। କିଛି ସ୍ଥାନରେ ଲୋକଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥାଏ। ଗଣେଶ ପୂଜା ଉପଲକ୍ଷେ ଶରତ ପାଇକରାୟ ଷ୍ଟାଡିୟମରେ ଅପରାହ୍‌ଣ ୨ଟାରୁ ରାତି ୧୦ଟା ଯାଏଁ ପଲ୍ଲିଶ୍ରୀ ମେଳା, ମୀନା ବଜାର ଖୋଲା ରଖାଯାଇଥାଏ। ରାତିରେ ଯାତ୍ରା ପରିବେଷଣ ହୋଇଥାଏ। ସେହିପରି ଗଣେଶ ପୂଜା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ।