ସବୁକ୍ଷେତ୍ରରେ ଅଦ୍ୱିତୀୟ ଜାନକୀବଲ୍ଲଭ: ବାଚସ୍ପତି

ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୯୫ତମ ଜୟନ୍ତୀ

ବିନା ଗଡ୍‌ ଫାଦର୍‌ରେ ସଫଳ ହୋଇଥିଲେ: ସୌମ୍ୟରଞ୍ଜନ
ସମ୍ମାନିତ ହେଲେ ୩ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ୱର : ସାହିତ୍ୟ ହେଉ କି ରାଜନୀତି, ସାମ୍ବାଦିକତା ଅବା ପରିବେଶ ଚିନ୍ତନ; ସବୁ କ୍ଷେତ୍ରରେ ଅଦ୍ବିତୀୟ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ। ଏକ ନୂଆ ଚିନ୍ତାଧାରାକୁ ପୂର୍ଣ୍ଣ ରୂ‌ପ ଦେବାରେ ତାଙ୍କର ଦକ୍ଷତା ଥିଲା। ଜାନକୀ ବାବୁ ସେତେବେଳେ କେବଳ ବୃହତ ଭୁବନେଶ୍ବରର ପରିକଳ୍ପନା କରି ନଥିଲେ, ବରଂ ଭୁବନେଶ୍ବରକୁ ପରିବର୍ଦ୍ଧିତ କରିଥିଲେ। ପଞ୍ଚତାରକା ହୋଟେଲ୍‌, ନୂଆ କଲୋନି, ରାସ୍ତାଘାଟ ପ୍ରଭୃତି ତିଆରି କରି ସେ ଇତିହାସ ରଚିଛନ୍ତି। ରାଜ୍ୟରେ ଶିଳ୍ପର ଯେଉଁ ପ୍ରସାର ହୋଇଛି, ତାହା ତାଙ୍କ ହାତରେ ହିଁ ହୋଇଛି। ହଜା‌ର ଦିନରେ ହଜାରେ କୋଟିର ଶିଳ୍ପ ପ୍ରତିଷ୍ଠା ତାଙ୍କର ସ୍ଲୋଗାନ୍‌ ଥିଲା। ଓଡ଼ିଶାର ଖଣିଜ ସମ୍ପଦକୁ ଚିହ୍ନି ତାହାକୁ ଭିତ୍ତି କରି ରାଜ୍ୟର ଅର୍ଥନୀତି କିଭଳି ସମୃଦ୍ଧ ହେବ, ସେନେଇ ଚିନ୍ତା କରିଥିବା ଏକମାତ୍ର ବ୍ୟକ୍ତିତ୍ବ ହେଲେ ସ୍ବର୍ଗତ ପଟ୍ଟନାୟକ। ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୫ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୋମବାର ଦିନ ଏହା କହିଛନ୍ତି।

‌ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଚସ୍ପତି କହିଥିଲେ ଯେ କେବଳ ରାଜନୀତି ନୁହେଁ, ବରଂ ଜାନକୀ ବଲ୍ଲଭଙ୍କର ଓଡ଼ିଆ ସାହିତ୍ୟକୁ ଅବଦାନ ଏ ଜାତି ଯୁଗେ ଯୁଗେ ମନେ ରଖିବ। ତାଙ୍କୁ ବାଦ୍‌ ଦେଇ ଓଡ଼ିଆ ସାହିତ୍ୟର ଆଲୋଚନା ଅସମ୍ଭବ। ଚକ୍ରବର୍ତ୍ତୀ ରାମଗୋପାଳଚାର୍ଯ୍ୟ ଯେଭଳି ଇଂରାଜୀରେ ରାମାୟଣ, ମହାଭାରତ ଲେଖିଛନ୍ତି ସେହିଭଳି ଶ୍ରୀ ପଟ୍ଟନାୟକ ଏହି ଗ୍ରନ୍ଥର ଓଡ଼ିଆ ଅନୁବାଦ କରିଛନ୍ତି। ରାଜନୀତି ‌କ୍ଷେତ୍ରରେ ଯେତେ ଚାପରେ ରହିଲେ ବି ସେ ଲେଖିବାକୁ ଭଲ ପାଉଥିଲେ। ତାଙ୍କର ପ୍ରତ୍ୟେକ ଲେଖାରେ ବିପ୍ଲବ ଓ ଭାଷଣରେ ଆହ୍ବାନ ଥାଏ। ରାଜନୀତିରେ ଜାନକୀ ବଲ୍ଲଭ ଜଣେ ସଫଳ ବ୍ୟକ୍ତିତ୍ବ ଥିଲେ ତାହାର ପ୍ରମାଣର ଆବଶ୍ୟକତା ନାହିଁ। ଇନ୍ଦିରା ଗାନ୍ଧୀଙ୍କ ସମୟରେ କେନ୍ଦ୍ର ମନ୍ତ୍ରୀ ଭାବେ ତାଙ୍କ ପ୍ରଦର୍ଶନ ବେଶ୍‌ ପ୍ରଶଂସନୀୟ ଥି‌ଲା। କେନ୍ଦ୍ରରୁ ପାଇଥିବା ସଫଳତାର ଧାରା ମୁଖ୍ୟମନ୍ତ୍ରୀତ୍ବ ସମୟରେ ମଧ୍ୟ ଜାରି ରହିଥିଲା। ଯେଉଁ ୧୫ ବର୍ଷ ସେ ମୁଖ୍ୟମନ୍ତ୍ରୀ ରହିଲେ ସେହି ସମୟରେ ୧୫୦ ବର୍ଷର କାମ କରିଗଲେ। ଭୁବନେଶ୍ବର ହେଉଛି ହରେକୃଷ୍ଣ ମହାତାବଙ୍କର ସୃଷ୍ଟି। ୧୪ ହଜାର ଜନସଂଖ୍ୟାକୁ ନେଇ ଏହି ସହର ତିଆରି ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଲୋକମାନେ ଭୁବନେଶ୍ବର ମୁହାଁ ହେବାରୁ ସହର ବଢ଼ିବାକୁ ଲାଗିଲା। ଏହି ପରିବର୍ଦ୍ଧିତ ସହରକୁ ନୂଆ ରୂପ ଦେବା ପଛରେ ଜାନକୀ ବାବୁଙ୍କର ପ୍ରଚ୍ଛନ୍ନ ହାତ ରହିଛି।

ସ୍ବର୍ଗତ ପଟ୍ଟନାୟକଙ୍କର ଥିବା ବିଭିନ୍ନ ପ୍ରତିଭାକୁ ସମ୍ମାନ ଜଣାଇ ଚଳିତ ବର୍ଷ ତିନିଜଣଙ୍କୁ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ସାମ୍ବାଦିକତା ପାଇଁ ବରିଷ୍ଠ ସାମ୍ବାଦିକ ରବି ଦାସ, ପରିବେଶବିତ୍‌ ସୁନ୍ଦର ମୋହନ ପାତ୍ର ଓ ସାହିତ୍ୟ ପାଇଁ ତିରୁପତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀଙ୍କୁ ବାଚସ୍ପତି ଶ୍ରୀ ପାତ୍ର ସମ୍ମାନିତ କରିଥିଲେ। ସକାଳେ ଖୋର୍ଦ୍ଧାରେ ଜାନକୀ ବଲ୍ଲଭ ପାର୍କ ପର୍ଯ୍ୟନ୍ତ ହୋଇଥିବା ଗଣଦୌଡ଼ରେ ଦୁଇଜଣ ବିଜେତା ଯମୁନା ବଳିୟାରସିଂହ ଓ ସୂର୍ଯ୍ୟକାନ୍ତ ରାୟଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ସମାରୋହରେ ସଭାପତିତ୍ବ କରି ‘ସମ୍ବାଦ’ ର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ଜେଜେମାନଙ୍କ ନିକଟରେ ଆମେ କୃତଜ୍ଞ ଯେ ସେ ଯଦି ବାପାଙ୍କୁ ଜନ୍ମ ଦେଇ ନଥା’ନ୍ତେ, ତେବେ ଆମର ଅସ୍ତିତ୍ବ ନଥାନ୍ତା। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଜନ୍ମ ଦିନ ପାଳିବା ବ‌େଳେ ସେହି କୃତଜ୍ଞତା କଥା ମନେ ପଡ଼ୁଛି। ତାଙ୍କର କେହି ଗଡ୍‌ ଫାଦର ନଥିଲେ। ସେ ମେଧାବୀ ଛାତ୍ର ଥିଲେ। ଚାକିରି ନ କରି ସାମ୍ବାଦିକ ହେଲେ। ଛାତ୍ର ସମୟରୁ ଖଦଡ଼ ପିନ୍ଧିବା ଆରମ୍ଭ କଲେ ଯେ, ଶେଷ ପର୍ଯ୍ୟନ୍ତ ପିନ୍ଧିଲେ। ତାଙ୍କୁ ଆଗକୁ ନେବା ପାଇଁ କେହି ନଥିଲେ। ହେଲେ ରାଜନୀତି, ସାମ୍ବାଦିକ ଓ ସାହିତ୍ୟର ସେ ଥିଲେ ତ୍ରିବେଣୀ ସଙ୍ଗମ। ଜାନକୀ ବଲ୍ଲଭ ପଟ୍ଟନାୟକ ନିଜ ଗୁଣରେ ଆଗକୁ ଯାଇଥିଲେ, ସଫଳ ହୋଇଥିଲେ। ଆଜିକାଲିର ଯୁବପିଢ଼ି ରାଜନୀତି କିମ୍ବା ଅନ୍ୟସ୍ତରରେ ଆଗକୁ ବଢ଼ିବା ପାଇଁ ଅନ୍ୟର ଆଶୀର୍ବାଦ ଚାହୁଁଛନ୍ତି। ଯେବେ ଯୁବକମାନେ ନିଜ ଗୁଣବଳରେ ଆଗକୁ ବଢ଼ିବେ, ସେତେବେଳେ ଯାଇ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଜୟନ୍ତୀ ପାଳନ ସଫଳ ହେବ।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ହରେକୃଷ୍ଣ ମହତାବଙ୍କ ‘ପ୍ରଜାତନ୍ତ୍ର’ ଥିଲା। ଆମେ ଆରମ୍ଭ କରିଥିଲୁ ‘ସମ୍ବାଦ’। ଏଣୁ ଅନେକ ସମୟରେ ପ୍ରତିଦ୍ବନ୍ଦ୍ବିତା ହୁଏ। ଯେହେତୁ ଲମ୍ବା ସମୟ ପର୍ଯ୍ୟନ୍ତ ଜାନକୀ ବଲ୍ଲଭ ପ୍ରଜାତନ୍ତ୍ରର ସମ୍ପାଦକ ଥିଲେ ସେଥିପାଇଁ ହରେକୃଷ୍ଣ ମହତାବଙ୍କ ବିରୋଧରେ ଶୁଣିବା ପାଇଁ ଆମେ ଅନେକ ପ୍ରଶ୍ନ କରୁ। ହେଲେ ଥରୁଟିଏ ବି ସେ ତାଙ୍କ ବିରୋଧରେ କହିନାହାନ୍ତି। ଆଜିକାଲି ସେଭଳି ବ୍ୟକ୍ତିତ୍ବ ଥିବା ମୋର କାହିଁ ମନେ ପଡ଼ୁ ନାହିଁ। ଏଭଳି ସଫଳ କାହାଣୀର ନାୟକ ଓଡ଼ିଶାରେ କମ୍‌ ଅଛନ୍ତି ବୋଲି କହିଥିଲେ। ମୁକୁନ୍ଦ ପ୍ରସାଦର ବିପିନ ପଟ୍ଟନାୟକ ୧୯୪୧ ମସିହାର ଖୋର୍ଦ୍ଧା ହାଇସ୍କୁଲର ମୁଖପତ୍ର ‘ଅବକାଶ’ ଉପହାର ଦେଇଥିଲେ। ସେଥିରେ ପାଇକ ବିଦ୍ରୋହ ନେଇ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଏକ ଆଲେଖ୍ୟ ରହିଥିଲା। ଏଥିପାଇଁ ଶ୍ରୀ ପଟ୍ଟନାୟକ ବିପିନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

ଅନ୍ୟତମ ଅତଥି ଭାବ‌େ ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ କହିଥିଲେ, କଳାହାଣ୍ଡିରେ ଦୁର୍ଭିକ୍ଷ ପଡ଼ିଥିଲା। ଲୋକଙ୍କୁ ଖାଇବାକୁ ମିଳୁନଥିଲା। ଏବେ କଳାହାଣ୍ଡି ଚାଉଳ ପୃଥିବୀ ପ୍ରସିଦ୍ଧ। ଜାନକୀ ବାବୁଙ୍କ ଦୂରଦୃଷ୍ଟିର ବିକଳ୍ପ ନାହିଁ। ହାତୀମାନଙ୍କ ପାଇଁ ଚନ୍ଦକାକୁ ସଂରକ୍ଷିତ ଜଙ୍ଗଲ ଘୋଷଣା ହେଉ ବା କ୍ରୀଡ଼ା ବିଭାଗର ନିର୍ଦ୍ଦେଶାଳୟ ପ୍ରତିଷ୍ଠା ହେଉ, ପୁରୀ ମେରାଇନ୍‌ ଡ୍ରାଇଭ୍‌ ରୋଡ୍‌ ହେଉ ବା ବରୁଣେଇ ପାହାଡ଼ରେ ଜଙ୍ଗଲ ସୃଷ୍ଟି ହେଉ; ସବୁଥିରେ ତାଙ୍କର ଅବଦାନର ତୁଳନା ନାହିଁ। ବହୁ କଲେଜ, ସ୍କୁଲ୍‌ ପ୍ରତିଷ୍ଠା କରି ସେ ମାଇଲ୍‌ଖୁଣ୍ଟ ସ୍ଥାପନ କରିଛନ୍ତି। ହଜାର ଦିନରେ ହଜାରେ ଶିଳ୍ପ ପ୍ରତିଷ୍ଠା କେବଳ ସ୍ଲୋଗାନ୍‌ ନଥିଲା ବରଂ ସେ ସଫଳ ହୋଇ ଦେଖାଇଥିଲେ।

ପରିବେଶବିତ୍‌ ତଥା ଓଡ଼ିଶା ପରିବେଶ ସମିତି ସଭାପତି ସୁନ୍ଦର ମୋହନ ପାତ୍ର ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅନେକ ଅନାଲୋଚିତ ଅଧ୍ୟାୟ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଶିମିଳିପାଳକୁ ଜୈବମଣ୍ଡଳ ଭାବରେ ସ୍ବୀକୃତି ଦେବା ପଛରେ ସ୍ବର୍ଗତ ପଟ୍ଟନାୟକଙ୍କର ପ୍ରଚ୍ଛନ୍ନ ହାତ ରହିଛି। ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ପରିବେଶକୁ ଗୁରୁତ୍ବ ଦେଇଥିଲେ। ଠିକ୍‌ ସେହିଭଳି ଚିଲିକାର ଉନ୍ନତି ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଗନ୍ଧମାର୍ଦନରେ ବାଲ୍‌କୋ ଲିଜ୍‌ ବାତିଲ ତାଙ୍କର ଐତିହାସିକ ନିଷ୍ପତ୍ତି। ଶିଳ୍ପ ହେବ କିନ୍ତୁ ପରିବେଶ ନଷ୍ଟ ହେବନି। ଏହି ନୀତିରେ ସେ ପରିବଶକୁ ବଞ୍ଚାଇ ‌ଶିଳ୍ପକୁ ଗୁରୁତ୍ବ ଦେଇଥିଲେ।

ସମ୍ବର୍ଦ୍ଧିତ ହୋଇଥିବା ପ୍ରଫେସର ହରେକୃଷ୍ଣ ଶତପଥୀ କହିଥିଲେ ଯେ ଓଡ଼ିଆ, ସଂସ୍କୃତ ଓ ଇଂରାଜୀରେ ଜାନକୀ ବଲ୍ଲଭଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ତାଙ୍କ ସାହିତ୍ୟରେ ପ୍ରାଚୀନତା ଓ ଆଧୁନିକତାର ମିଳନ ଥିଲା। ସେ ଚାରି ବେଦ ଉପରେ ତର୍ଜମା କରି ଯେଉଁ ଆଲେଖ୍ୟ ଲେଖିଛନ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ତାହାକୁ ପାଠ୍ୟପୁସ୍ତକରେ ପଢ଼ୁଛନ୍ତି। ସେ ଅନେକ ଦୀକ୍ଷାନ୍ତ ଭାଷଣ ଦେଇଛନ୍ତି। ସେଗୁଡ଼ିକୁ ଆମେ ପୁସ୍ତକ ଭାବରେ ପ୍ରକାଶ କରିବାକୁ ଯୋଜନା କରିଛୁ।

ଅନ୍ୟତମ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ବ ରବି ଦାସ କହିଥିଲେ ଯେ ରାଜନୀତିରେ ଜାନକୀ ବଲ୍ଲଭ ପ୍ରଜ୍ଞା ଯୋଡ଼ିଥିଲେ। ତାଙ୍କ ପରି ଜଣେ ଜ୍ଞାନୀ ମୁଖ୍ୟମନ୍ତ୍ରୀ ମୁଁ ଆଜି ପର୍ଯ୍ୟନ୍ତ ଦେଖିନି। ତିନି ଦଶନ୍ଧି ଧରି ସେ କଂଗ୍ରେସର ମୁରବୀ ଥିଲେ। ସେ ଯିବା ପରେ କଂଗ୍ରେସ ଏବେ ମୁରବୀ ବିହୀନ।

ସ୍ବାଗତ ଭାଷଣ ଦେଇଥିଲେ ଜାନକୀ ବଲ୍ଲଭ ସ୍ମୃତି ସଂସଦର ସମ୍ପାଦକ ଇଂ ବିଶ୍ବମୋହନ ପଟ୍ଟନାୟକ। ଅତିଥି ପରିଚୟ ଓ ଧନ୍ୟବାଦ ଦେବା ଅବସର‌ରେ ସଂସଦର ସଭାପତି ତଥା ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ କହିଥିଲେ, ବିଦ୍ୟାନିକେତନରେ ଭାଷଣ ଦେବା ବେଳେ ଦର୍ଶକଙ୍କ ଅନୁରୋଧକ୍ରମେ ସେ ସଂସ୍କୃତ, ଓଡ଼ିଆ, ବଙ୍ଗଳା ଓ ଇଂରାଜୀରେ ଭାଷଣ ଦେଇଥିଲେ। ପ୍ରଣବ ମୁଖାର୍ଜୀ ଓଡ଼ିଶାରେ ଭାଷଣ ଦେବା ଅବସର‌ କହିଥିଲେ, ସେ ଯଦି ଦିଲ୍ଲୀ ରାଜନୀତ‌ିରେ ଥାଆନ୍ତେ ତେବେ ମୁଁ ନୁହେଁ, ସେ ରାଷ୍ଟ୍ରପତି ହୋଇଥାନ୍ତେ।

ପୌରୁଷର ଜନ୍ମ କଥା ମନେ ପକାଇଲେ ବାଚସ୍ପତି
ଆଜି ଭାଷଣ ପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ‘ପୌରୁଷ’ର ଜନ୍ମ କଥା ମନେ ପକାଇଥିଲେ। ସେ କହିଥିଲେ ଯେ ଜାନକୀ ବଲ୍ଲଭ ପଟ୍ଟନାୟକ ସେତେବେଳେ ପ୍ରଜାତନ୍ତ୍ରରେ ସମ୍ପାଦକ ଥାଆନ୍ତି। ସେହି ସମୟରେ କଟକରେ ‘ଅମୃତ ବଜାର ପତ୍ରିକା’ ନାମରେ ଏକ ଇଂରାଜୀ ପତ୍ରିକା ଛପା ଆରମ୍ଭ ହେଲା। ପ୍ରଜାତନ୍ତ୍ରର ଏକ ଇଂରାଜୀ ପତ୍ରିକା ଥିଲେ ମଧ୍ୟ ବାହାରୁ ଏକ ଇଂରାଜୀ ପତ୍ରିକା କାହିଁକି ଛପା ଆରମ୍ଭ ହେଲା, ସେ ନେଇ ଜାନକୀ ବଲ୍ଲଭଙ୍କୁ ସନ୍ଦେହ କଲେ ହରେକୃଷ୍ଣ ମହତାବ। ଏଣୁ ସେ ପ୍ରଜାତନ୍ତ୍ର ସମ୍ପାଦକ ପଦରୁ ଇସ୍ତଫା ଦେଇଦେଲେ। ସେଠାରୁ ସିଧାସଳଖ ବ୍ରହ୍ମପୁର ଆସିଗଲେ। ସେଠାରେ ଏକ ଘର ଭଡ଼ା ନେଇ ରହିଲେ ଓ ଏକ ସଂଗଠନ ଆରମ୍ଭ ହେଲା। ତା’ ନାଁ ଥିଲା ପଲ୍ଲୀ ଯୁବ ସମ୍ମିଳନୀ। ସେ ସଭାପତି ହେଲେ। ଆମ ଘରେ ଅଫିସ୍‌ ହେଲା। ମୁଁ, ଇନ୍ଦ୍ରଜିତ ରାୟ, ରାମଚନ୍ଦ୍ର ରଥ, ଗୋପାଳ ଶତପଥୀ ହେଲୁ ସମ୍ପାଦକ। ବସନ୍ତ ବିଶ୍ବାଳ ସେତେବେଳେ ଗଞ୍ଜାମରେ ଠିକାଦାରୀ କରୁଥିଲେ। ଶ୍ରୀ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ମଧ୍ୟ ଏହି ସଂଗଠନରେ ଯୋଡ଼ି ହେଲେ। ଗାଁରୁ ଯୁବକମାନଙ୍କୁ ଏକାଠି କରିବାକୁ ସଂଗଠନର ଉଦ୍ଦେଶ୍ୟ ଥିଲା। ତା’ରି ଭିତରେ ହିଁ ଲେଖିବା ପାଇଁ ଚିନ୍ତା କଲେ ଶ୍ରୀ ପଟ୍ଟନାୟକ। ସେଠାରୁ ହିଁ ‘ପୌରୁଷ’ ଆତ୍ମପ୍ରକାଶ କରିଥିଲା। ଏକ ପୁରୁଣା ପ୍ରେସ୍ କିଣା ହେଲା। ହାଇକୋର୍ଟ ପାଖରେ ରଣଜିତ ମହାନ୍ତିଙ୍କ ଘରେ ପ୍ରେସ୍‌ ପଡ଼ିଲା। ପୌରୁଷ ଛପା ହେଲ। ମୋ ବାପା ଏଜେଣ୍ଟ ଥାଆନ୍ତି। ଏଣୁ ଏହି ପୌରୁଷ ବିକ୍ରି ହେବାକୁ ସମସ୍ୟା ହେଲା ନାହିଁ।

ସମ୍ବନ୍ଧିତ ଖବର