କଟକ: ‘ସମ୍ବାଦ’ ଅତ୍ୟନ୍ତ ଅଭିନବ ଏବଂ ପ୍ରଶଂସନୀୟ କାର୍ଯ୍ୟ କରିଛି କଟକରେ। ପାର୍ବଣ ଅବସରରେ ପୂଜା କମିଟି ଜରିଆରେ ମହିଳାମାନଙ୍କୁ ସାମନାକୁ ଆଣି ସାରା ସହରରେ ଯେଭଳି ପରିବେଶ ସୃଷ୍ଟି କରିଛି ତାହାକୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ ବୋଲି ସାରଳା ଭବନରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ଶକ୍ତିରୂପେଣ ସଂସ୍ଥିତା’ ସମାରୋହରେ ଯୋଗ ଦେଇ କହିଛନ୍ତି କଟକ ମହାନଗର ପୂଜା କମିଟିର ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତରଂଜନ ତ୍ରିପାଠୀ। ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଯାହା ଏତେବର୍ଷ ଧରି କଟକରେ ସମ୍ଭବ ହୋଇ ନଥିଲା, ତାହା ଏହି କାର୍ଯ୍ୟକ୍ରମ ଜରିଆରେ ସଫଳ ଆଉ ସମ୍ଭବ ହୋଇପାରିଛି। ଏହି କାର୍ଯ୍ୟକ୍ରମରୁ ସ୍ପଷ୍ଟ ଆଭାସ ମିଳୁଛି ଯେ ଯେଉଁଦିନ ସାହିର ଭସାଣି ଶୋଭଯାତ୍ରାରେ ଆମ ସାହିର ମା’ ମାଉସୀ, ଭଉଣୀମାନେ ସବୁଠୁ ଆଗରେ ଚାଲିବେ ସେଦିନ ପ୍ରଚାର କରାଯାଉଥିବା ନିଶାମୁକ୍ତ ଭସାଣି, ଡିଜେମୁକ୍ତ ରୋଶଣିର କୌଣସି ଅର୍ଥ ରହିବ ନାହିଁ। ସବୁକିଛି ଶାନ୍ତିଶୃଙ୍ଖଳା ଓ ସହଜରେ ଚାଲିବ।

Advertisment

‘ଶକ୍ତି ରୂପେଣ ସଂସ୍ଥିତା’ରେ ସାମିଲ ହେଲେ ୩ ଶହରୁ ଅଧିକ ମହିଳା
‘ଯାହା ବର୍ଷବର୍ଷ ଧରି ସମ୍ଭବ ହୋଇ ନଥିଲା, ତାହା ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଲା’

‘ମେଟ୍ରୋ ଗ୍ରୁପ୍‌’ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ସଭାପତିତ୍ବ କରି ନିଶା ନିବାରଣ କ୍ଷେତ୍ରରେ ମହିଳାଙ୍କ ସଂପୃକ୍ତି ଓ ସହଯୋଗ ପାଇଁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକ ପ୍ରାରମ୍ଭିକ ଅଭିଭାଷଣ ରଖିବା ସହିତ ଏହି ନିଆରା କାର୍ଯ୍ୟକ୍ରମ ଜରିଆରେ ଯୋଡ଼ି ହେଇଥିବା ସମସ୍ତ ମହିଳାମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ସେପ୍ଟେମ୍ବର ୧ରୁ ୧୭ଟି ସ୍ଥାନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ୧୭ଟି ବିଜେତା ପୂଜା କମିଟିର ମହିଳାମାନଙ୍କୁ ନେଇ ଆଜି ଫାଇନାଲ୍‌ କୁଇଜ୍‌ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଝାଞ୍ଜିରିମଙ୍ଗଳା ଶ୍ରୀଶ୍ରୀ ମଦନମୋହନ ସାହି କମିଟି ଦଳଗତ ବିଜେତା ହୋଇଥିଲା ବେଳେ ବିଡ଼ାନାସୀ ଦୁର୍ଗାପୂଜା କମିଟି ପ୍ରଥମ ଉପବିଜେତା ଓ ଚାନ୍ଦିନୀଚୌକା ଦରଜିସାହି କାର୍ତ୍ତିକେଶ୍ବର ପୂଜା କମିଟି ଦ୍ବିତୀୟ ଉପବିଜେତା ହୋଇଥିଲା। ଏହାବାଦ୍‌ ୨୮ ଜଣ ମହିଳାଙ୍କୁ ଶକ୍ତିରୂପେଣ ସଂସ୍ଥିତା ସମ୍ମାନ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ମେୟର ସୁବାସ ସିଂହ, ବାରବାଟୀ-କଟକ ବିଧାୟକ ସୋଫିଆ ‌ଫିର୍‌ଦୋସ୍‌, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ବିଶିଷ୍ଟ ସଂଗୀତଜ୍ଞ ତୃପ୍ତି ଦାସ, ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ, ସାଧାରଣ ସମ୍ପାଦକ ଭିକାରି ଦାସ, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ କୁମାର ସାହୁ ଓ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ବକ୍ତବ୍ୟ ରଖି ଏଭଳି ଅନନ୍ୟ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। କଟକ ପୌର ନିଗମର ମହିଳା କର୍ପୋରେଟରମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ସେମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ‘ସମ୍ବାଦ’ କଟକ ସଂସ୍କରଣ ମୁଖ୍ୟ ତଥା ଡିଜିଏମ୍‌ (ନ୍ୟୁଜ୍‌) କୃଷ୍ଣପ୍ରସାଦ ଦାସ ପ୍ରାରମ୍ଭିକ ସୂଚନା ଦେବା ସହିତ କୁଇଜ୍ ପରିଚାଳନା କରିଥିଲେ। ଆର୍‌ଜେ ଅନିଲ, ବିଜ୍ଞାପନ ବିଭାଗର ବରିଷ୍ଠ ପ୍ରବନ୍ଧକ ସିଦ୍ଧାର୍ଥ ଶଙ୍କର ସାହୁ, ସୁଶାନ୍ତ କୁମାର ସ୍ବାଇଁ ଓ ଜ୍ୟୋତିପ୍ରକାଶ ମହାପାତ୍ର ସହଯୋଗ କରିଥିଲେ। ମୁଖ୍ୟ ସହସମ୍ପାଦକ ସଚ୍ଚିକାନ୍ତ ନାଥ ଧନ୍ୟବାଦ ଅର୍ପଣ କରିଥିଲେ।