ପୁରୀ : ଶାରଦୀୟ ପୂଜା ହେଉ ଅବା ଗୋସାଣୀ ଯାତ, ସବୁଥିରେ ଅନନ୍ୟତାର ଛୁଙ୍କ ଶ୍ରୀକ୍ଷେତ୍ରର ପରମ୍ପରାକୁ ସମୃଦ୍ଧ କରିଛି। ସର୍ବତ୍ର ରାବଣ ପୋଡ଼ିର ଆୟୋଜନ ହୁଏ, କିନ୍ତୁ ଶ୍ରୀକ୍ଷେତ୍ରରେ ପୂଜା ପାଆନ୍ତି ରାବଣ। ଏଠି ସମ୍ପାତିଙ୍କୁ ପୂଜା କରାଯାଏ, ପୁଣି ଭୂତକୁ ବି ଆବାହନ କରାଯାଏ। କେବଳ କିଛି ବିଶ୍ବାସକୁ ଆଧାର କରି ନୁହେଁ, ବରଂ ପ୍ରତ୍ୟେକ ନିଆରା ପୂଜାକୁ ନେଇ ରହିଛି ସ୍ବତନ୍ତ୍ର କାହାଣୀ। ଏହି ଅନନ୍ୟତାର ଝଲକ ପାଇବା ପାଇଁ ଟାଣି ହୋଇ ଆସନ୍ତି ହଜାର ହଜାର ପର୍ଯ୍ୟଟକ ଓ ଭକ୍ତ। ଦେବୀ ଦର୍ଶନ ସହ ଗୋସାଣୀ ଯାତରେ ସମବେତ ମେଢ଼ ଦେଖି ପୁଲକିତ ହୁଅନ୍ତି। ବୁଢ଼ାବୁଢ଼ିଙ୍କ ନାଚ ଦେଖି ତଲ୍ଲୀନ ହୁଅନ୍ତି।
ସାତ ବଖରାରେ ସମ୍ପାତି
ରାମାୟଣର ଚରିତ୍ର ଜଟାୟୁ ବେଶ୍ ପରିଚିତ। ମାତ୍ର ଜଟାୟୁଙ୍କ ଭାଇ ସମ୍ପାତି ଯେ ରାମାୟଣ କଥାସାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ତାହାକୁ ଚିତ୍ରଣ କରି ଆସୁଛି ମାର୍କଣ୍ଡେଶ୍ବରସାହି ମିଶ୍ରସାହିର ସାତବଖରା ଜାଗା। ପିଢ଼ି ପରେ ପିଢ଼ି ସମ୍ପାତିଙ୍କ ମୂର୍ତ୍ତି ନିର୍ମାଣ କରି ଆସୁଥିବା ପ୍ରଧାନ ପରିବାରର ମନୋଜ ପ୍ରଧାନ କହିବା ମୁତାବକ, ଦିନେ ଜଟାୟୁ ଓ ସମ୍ପାତିଙ୍କ ମଧ୍ୟରେ ସୂର୍ଯ୍ୟଙ୍କ ନିକଟରେ ପହଞ୍ଚିବାକୁ ପ୍ରତିଯୋଗିତା ଚାଲିଲା। ଉଭୟ ସୂର୍ଯ୍ୟଙ୍କ ଆଡ଼କୁ ଯାତ୍ରା ଆରମ୍ଭ କରିଥିଲେ ହେଁ ଜଟାୟୁ ଫେରି ଆସିଲେ। ତେବେ ସମ୍ପାତି ସୂର୍ଯ୍ୟଙ୍କ ନିକଟତର ହେବାରୁ ତାଙ୍କ ପକ୍ଷ ଜଳିଗଲା। ସେ ତଳକୁ ଖସି ପଡ଼ିଲେ। କିଛିଦିନ ପରେ ଏହି ବାଟ ଦେଇ ଯାଉଥିବା ଜାମ୍ବବ, ସୁଷେଣ, ହନୁ, ଅଙ୍ଗଦ, ନଳ, ନୀଳ ଆଦି ଆଠ ବୀରଙ୍କ ସହଯୋଗରେ ସମ୍ପାତିଙ୍କୁ ସମୁଦ୍ରରେ ବୁଡ଼ାଯିବାରୁ ତାଙ୍କର ପୁଣି ଡେଣା କଅଁଳିଥିଲା। ସେହି ଡେଣାରେ ସେ ଆଠବୀରଙ୍କୁ ଉପରକୁ ଉଡ଼ାଇ ନେଇ ଲଙ୍କା ଦେଖାଇଥିଲେ। ରାମାୟଣର ଏହି କଥାବସ୍ତୁକୁ ବହନ କରି ଆସୁଛି ସମ୍ପାତିଙ୍କ ମୂର୍ତ୍ତି। ସୁଗ୍ରୀବ ମହାବୀରଙ୍କ ଆସ୍ଥାନ ସମ୍ମୁଖରେ ସମ୍ପାତିଙ୍କୁ ପୂଜା କରାଯାଉଥିବା ବେଳେ ଏଠାରେ କେବଳ ଶୀତଳ ଭୋଗ କରାଯାଏ। ସମ୍ପାତିଙ୍କୁ ସିଂହଦ୍ବାର ସମ୍ମୁଖ ଦେବସଭାକୁ ନିଆଯାଉଥିବା ବେଳେ ସେଠାରେ ସମ୍ପାତିଙ୍କୁ ଦେଖିବା ପାଇଁ ବେଶ୍ ଆଗ୍ରହ ଦେଖିବାକୁ ମିଳେ।
ବଡ଼ଆଖଡ଼ାର ରାବଣ
ରାମାୟଣରେ ଖଳନାୟକ ଭାବେ ଚିତ୍ରଣ କରାଯାଇଥିବା ରାବଣ ବି ଶ୍ରୀକ୍ଷେତ୍ରରେ ପୂଜା ପାଇବାର ପରମ୍ପରା ପ୍ରଚଳିତ ହୋଇଆସୁଛି। ଯେତେବେଳେ ଅନ୍ୟ ସ୍ଥାନରେ ରାବଣ ପୋଡ଼ିର ପରମ୍ପରା ରହିଛି ସେତେବେଳେ କେବଳ ଶ୍ରୀକ୍ଷେତ୍ରରେ ମହାପଣ୍ଡିତ ରାବଣଙ୍କୁ ପୂଜା କରାଯାଏ। ବାସେଳିସାହି ବଡ଼ଆଖଡ଼ା ଜାଗାରେ ବିଶେଷ ପୂଜା ପଦ୍ଧତିରେ ରାବଣଙ୍କୁ ଆବାହନ କରାଯାଏ। ବଡ଼ଆଖଡ଼ା ଜାଗାର ସମ୍ପାଦକ ଅନିରୁଦ୍ଧ ରାଉତଙ୍କ କହିବା ମୁତାବକ, ପ୍ରଭୁ ଶିବ କୈଳାସରେ ତପସ୍ୟାରତ ଥିବା ବେଳେ ରାବଣ ପର୍ବତ ସହ ଶିବଙ୍କୁ ଲଙ୍କାକୁ ନେଇଯିବାକୁ ଉଦ୍ୟମ କରିଥିଲେ। ଶିବଙ୍କର ପରମ ଭକ୍ତ ଥିବାରୁ ଲଙ୍କାକୁ ନେଇ ସେଠାରେ ସବୁଦିନ ଦର୍ଶନ ସହ ପୂଜା କରିବାର ମନୋଭାବ ରଖି ରାବଣ ଏଭଳି ଯୋଜନା କରିଥିଲେ ହେଁ ପାର୍ବତୀ ଏହା ଜାଣିପାରି ଶିବଙ୍କୁ ଜଣାଇଥିଲେ। ଶିବ ଏ ସମ୍ବନ୍ଧରେ ଜାଣି ପାରି ସେଇଠାରେ କୈଳାସ ପର୍ବତ ସହ ରାବଣଙ୍କୁ ଚାପି ଦେଇଥିଲେ। ତେଣୁ ଏହି ବଳିଷ୍ଠ କଥାବସ୍ତୁକୁ ଆବାହମାନ କାଳରୁ ବହନ କରି ଆସୁଛି ବଡ଼ଆଖଡ଼ା ଜାଗାର ଏହି ରାବଣ ପୂଜନ ପରମ୍ପରା। ଏଠାରେ ରାବଣଙ୍କୁ ଶୀତଳ ଭୋଗ ଅର୍ପଣ କରାଯାଉଥିବା ବେଳେ ସେ ବି ସିଂହଦ୍ବାର ଦେବସଭାରେ ଦେବୀଙ୍କ ଗହଣକୁ ଆସି ବିସର୍ଜନ ପାଇଁ ଯାଆନ୍ତି।
ବଢ଼େଇସାହି ବୁଢ଼ାବୁଢ଼ୀ
ଦେବୀ ପୂଜନ ପରମ୍ପରା ସହ ଯୋଡ଼ି ହୋଇ ରହିଛି ବଢ଼େଇସାହିର ବୁଢ଼ାବୁଢ଼ି ପରମ୍ପରା। ବୁଢ଼ାବୁଢ଼ୀ ସମିତିର ପୂର୍ବତନ ସଭାପତି ସୁରେନ୍ଦ୍ର ନାଥ ମହାପାତ୍ରଙ୍କ କହିବା ମୁତାବକ, ଏହା ୩ଶହ ବର୍ଷର ପରମ୍ପରା। ପ୍ରଚଳିତ ଲୋକକଥା ମୁତାବକ, ଏଠାରେ ଦାକ୍ଷିଣାତ୍ୟରୁ ଆସି ଏକ ବୁଢ଼ାବୁଢ଼ୀ ଦମ୍ପତି ରହୁଥିଲେ। ଦୁହେଁ ନିଜର ବିଶେଷ ଗୁଣ ଯୋଗୁ ସେଠାକାର ସାହି ବାସିନ୍ଦାଙ୍କୁ ସ୍ନେହର ବନ୍ଧନରେ ବାନ୍ଧି ରଖିଥିଲେ। ଅନ୍ୟ ପକ୍ଷରେ ଏଠାରେ ଖୁରୁଣ୍ଟି ବାବାଜି ଗାଦିର ବାବାଜି ବି ରହିଥିଲେ। ତେଣୁ ସେଇମାନଙ୍କ ସ୍ମୃତିକୁ ବଜାୟ ରଖିବା ପାଇଁ ଏଠାରେ ବୁଢ଼ାବୁଢ଼ୀ ମୂର୍ତ୍ତି କରିବାର ପରିକଳ୍ପନା କରାଯାଇଥିଲା। କାଳକ୍ରମେ ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଥିବା ବେଳେ ଏକ ବିଶେଷ ବାଦ୍ୟରେ ବୁଢ଼ାବୁଢ଼ୀ ସପ୍ତମୀରୁ ନବମୀ ପର୍ଯ୍ୟନ୍ତ ସନ୍ଧ୍ୟା ସମୟରେ ନୃତ୍ୟ କରନ୍ତି। ସିଂହଦ୍ବାରସ୍ଥିତ ଦେବସଭାରେ ଉପସ୍ଥିତ ହୋଇ ଦେବୀମାନଙ୍କୁ ଆଳତି କରନ୍ତି। ବୁଢ଼ାବୁଢ଼ୀଙ୍କୁ ବି ଏଠାରେ ସ୍ବତନ୍ତ୍ର ଭାବେ ପୂଜନ କରିବାର ବିଧି ରହିଛି। ସେଇ ପରମ୍ପରା ଆଜି ପର୍ଯ୍ୟନ୍ତ ବଜାୟ ରହିଥିବା ବେଳେ ପିଲାମାନଙ୍କ ପାଇଁ ଏହା ବିଶେଷ ଆକର୍ଷଣ ସାଜିଥାଏ।
ବିଶ୍ବାସ ଓ ହନୁମାନ ପୂଜନ
ସାହି ବାସିନ୍ଦା କିମ୍ବା କୌଣସି ଅନୁଷ୍ଠାନ ପକ୍ଷରୁ ନୁହେଁ ବରଂ ୩ ପିଢ଼ି ଧରି ପ୍ରଚଳିତ ହୋଇ ଆସୁଥିବା ଏକ ବିଶ୍ବାସରୁ ବାସେଳିସାହିର ଜେନା ପରିବାର ପକ୍ଷରୁ ପୂଜା ପାଇ ଆସୁଛନ୍ତି ହନୁମାନ। ରାମଲକ୍ଷ୍ମଣଙ୍କୁ କାନ୍ଧରେ ବୋହି ନେଉଥିବା ମୁଦ୍ରାରେ ହନୁମାନଙ୍କୁ ପୂଜନ କରାଯାଏ। ଏହି ପୂଜା ବିଧିକୁ ଚାଲୁ ରଖି ଆସିଥିବା ଉମାକାନ୍ତ ଜେନାଙ୍କ କହିବା ମୁତାବକ, ତାଙ୍କ ଜେଜେ ଚିନ୍ତାମଣି ଜେନାଙ୍କୁ ମାତ୍ର ୨୧ ଦିନ ହୋଇଥାଏ। ତାଙ୍କୁ ତାଙ୍କ ମା’ ଅଗଣାରେ ଏକ କୁଲାରେ ଶୁଆଇ ଦେଇଥିଲେ। ଏହି ସମୟରେ ଏକ ମାଙ୍କଡ଼ ଆସି କୁଲା ସହ ୨୧ଦିନର ଶିଶୁଙ୍କୁ ଉଠାଇ ଚାଳ ଉପରକୁ ନେଇଗଲେ। ଚିନ୍ତାମଣିଙ୍କ ମା’ ହନୁମାନଙ୍କୁ ସ୍ମରଣ କରିବାରୁ ମାଙ୍କଡ଼ଟି ଶିଶୁକୁ ସେଇ କୁଲା ମଧ୍ୟରେ ଚାଳ ଉପରେ ଛାଡ଼ି ଦେଇ ପଳେଇଲା। ସେଇଦିନଠାରୁ ଜେନା ପରିବାର ପକ୍ଷରୁ ଶାରଦୀୟ ପୂଜାରେ ପ୍ରଚଳିତ ହୋଇ ଆସୁଛି ହନୁମାନ ପୂଜା। ଅନ୍ୟ ଦେବତାଙ୍କ ଭଳି ହନୁମାନଙ୍କୁ ବି ଦେବସଭାକୁ ନିଆଯାଏ ଏବଂ ଏକାଦଶୀରେ ବିସର୍ଜନ କରିବାର ବିଧି ରହିଛି।