ଗାନ୍ଧିଛକ/ରୂପ୍‌ସା: ସେ ଏମିତି ଜଣେ ମହାନ ଶିକ୍ଷକ; ଯିଏ କେବଳ ଶିକ୍ଷାର ଆଲୋକ ଦେଖାଉ ନାହାନ୍ତି, ଅସୁସ୍ଥ ଛାତ୍ରୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦେବା ସହ କୋଳରେ ଧରି ଘର ଘର ବୁଲୁଛନ୍ତି ଏବଂ ସାହାଯ୍ୟ ଭିକ୍ଷା କରୁଛନ୍ତି। ଆଜି ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳରେ। ବସ୍ତା ବ୍ଲକ୍‌ ଭେଲୋରା ପଞ୍ଚାୟତ ଅନ୍ତର୍ଗତ ବଣିଆମାରି ଗ୍ରାମରେ ରହନ୍ତି ମନ୍ମଥ ଧଳ। ପରିବାର କହିଲେ ପତ୍ନୀଙ୍କ ସହ ଜଣେ ପୁଅ ଓ ଜଣେ ଝିଅ। ଝିଅ ଗୁଞ୍ଜନ ଚତୁର୍ଥ ଶ୍ରେଣୀରେ ପଢ଼ନ୍ତି। ସେ ଦ୍ବିତୀୟ ଶ୍ରେଣୀରେ ପଢୁଥିବା ବେଳେ ଜ୍ବର ସହ ମୁଣ୍ତ ବୁଲାଇଥିଲା। ଫଳରେ ପରିବାର ଲୋକ ତାଙ୍କୁ ସ୍ଥାନୀୟ ଡାକ୍ତରଖାନା ନେଇଥିଲେ। ତଥାପି ଜ୍ବର ଭଲ ହୋଇ ନଥିଲା। ତେଣୁ ସେ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର ହୋଇଥିଲେ। ସେଠାରେ ୩ ମାସ ଧରି ଚିକିତ୍ସା ହେବା ପରେ ମଧ୍ୟ ଗୁଞ୍ଜନଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହୋଇ ନଥିଲା। ବରଂ ସ୍ଥିତି ବିଗିଡ଼ିବାରେ ଲାଗିଥିଲା। ମନ୍ମଥ ଯାହା ଜମି ଥିଲା ତାକୁ ବିକ୍ରି ସହ ଧାରକରଜ କରି ଝିଅଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କଲେ। ତଥାପି କିଛି ଫଳ ମିଳି ନଥିଲା। ଡାକ୍ତର ଗୁଞ୍ଜନଙ୍କୁ ରାଜ୍ୟ ବାହାରର ଭଲ ଡାକ୍ତରଖାନା ନେଇ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ। ତେବେ ପାଖରେ ଟଙ୍କା ନଥିବାରୁ ମନ୍ମଥ ଝିଅଙ୍କ ଚିକିତ୍ସା କରାଇପାରୁ ନାହାନ୍ତି। ଧାରକରଜ ଓ ଜମି ବିକା ଟଙ୍କା ସବୁ ସରିଯାଇଛି। ବିକିବାକୁ ଘରଡ଼ିହ ଛଡ଼ା ଆଉ କିଛି ନାହିଁ। ଗୁଞ୍ଜନ ଏବେ ଚଲାବୁଲା କରି ପାରୁ ନାହାନ୍ତି। ବିଛଣାରେ ପଡ଼ି ଛଟପଟ ହେଉଛନ୍ତି। ଆଉ ବାପାମାଆ ଉପାୟଶୂନ୍ୟ।

Advertisment

ଏପରି ସମୟରେ ଗୁଞ୍ଜନ ପଢ଼ୁଥିବା ସ୍ଥାନୀୟ କୁଳଡ଼ିହା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଗଣେଶ ଚନ୍ଦ୍ର ଜେନା କିଛି ଆର୍ଥିକ ସହାୟତା କରିଛନ୍ତି। ସେହିପରି ​ସେ ଗୁଞ୍ଜନଙ୍କୁ କୋ​ଳରେ ଧରି ଘର ଘର ବୁଲୁଛନ୍ତି ଏବଂ ଚିକିତ୍ସା ପାଇଁ ଆବଶ୍ୟକ ଆର୍ଥିକ ସାହାଯ୍ୟ ସଂଗ୍ରହ କରୁଛନ୍ତି। ଆଜି ମଧ୍ୟ ଶ୍ରୀ ଜେନା କୁଳଡ଼ିହା ଗ୍ରାମରେ ସାହାଯ୍ୟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। କେହି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢ଼ାଇବାକୁ ଚାହୁଁଥିଲେ ୬୩୭୦୯୩୪୩୧୫ ନମ୍ବରରେ ଯୋଗାଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି।

ଗୋଟିଏ ପଟେ ମଙ୍ଗଳବାର ସାରା ଦେଶରେ ଗୁରୁ ଦିବସ ପାଳନ ହୋଇଛି। ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ବିଭିନ୍ନ ଢଙ୍ଗରେ ସମ୍ମାନ ପ୍ରଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି। ଅନ୍ୟପଟେ ଜଣେ ଶିକ୍ଷକ ନିଜ ଛାତ୍ରୀଙ୍କ ଜୀବନ ରକ୍ଷା ପାଇଁ ତାଙ୍କୁ କୋଳରେ ଘର ଘର ବୁଲି ସାହାଯ୍ୟ ଭିକ୍ଷା କରିଛନ୍ତି। ଶିକ୍ଷକ ଯେ କେବଳ ଶିକ୍ଷା ପ୍ରଦାନ କରେ; ତାହା ନୁହେଁ, ଛାତ୍ରଛାତ୍ରୀଙ୍କ ଅଭିଭାବକ ଭୂମିକା ମଧ୍ୟ ନିର୍ବାହ କରେ। ଯାହା ଆଜି ଶିକ୍ଷକ ଗଣେଶ ଚନ୍ଦ୍ର ଜେନା ପ୍ରମାଣିତ କରି​ ଦେଖାଇଛନ୍ତି। ଗୁଞ୍ଜନଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ୁ। ତାଙ୍କର ସଫଳ ଚିକିତ୍ସା ହେବା ସହ ପରିବାର ମୁହଁରେ ହସ ଫୁଟୁ।