କୋରାପୁଟ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ଚମତ୍କାର ଅନୁଭୂତି। ଆଦି ପୂଜକ ଆଦିବାସୀଙ୍କ ସହ ସଂପର୍କକୁ ଅତି ନିବିଡ଼ କରିଛି କୋରାପୁଟ ଶାବର ଶ୍ରୀକ୍ଷେତ୍ର। ଭାବର ଦେବତାଙ୍କୁ ଜଗତ ଜନଙ୍କ ହୃଦୟର କଥା ଜଣା। ତେଣୁ ଆଦିବାସୀଙ୍କ ସେବାପୂଜା ପାଇବାକୁ ମହାପ୍ରଭୁ ଏଠାରେ ବ୍ୟାକୁଳ। ଶାବର ଶ୍ରୀକ୍ଷେତ୍ରରେ ଆଦିବାସୀଙ୍କ ସେବାକୁ ସର୍ବଦା ପ୍ରାଥମିକତା ଦିଆଯାଇଛି। ଯାହା ଶାବର ଶ୍ରୀକ୍ଷେତ୍ର ରଥଯାତ୍ରାକୁ ସ୍ବତନ୍ତ୍ର କରିଛି।
ଶାବର ଶ୍ରୀକ୍ଷେତ୍ରର ପୂଜା ଓ ପରମ୍ପରା ଅନ୍ୟ ମନ୍ଦିରଠାରୁ ସାମାନ୍ୟ ଭିନ୍ନ। ଅଧିକାଂଶ ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଛେରାପହଁରା ତଥା ପ୍ରଥମ ଭୋଗ ରାଜା କିମ୍ବା ଅନ୍ୟ କେହି କରିଥାନ୍ତି। ଶାବର ଶ୍ରୀକ୍ଷେତ୍ରରେ କିନ୍ତୁ ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତସେବାଠାରୁ ଆରମ୍ଭ କରି ଛେରାପହଁରା ପର୍ଯ୍ୟନ୍ତ ସମସ୍ତ ସେବା ଆଦିବାସୀ ହିଁ କରିଥାନ୍ତି। ପୂର୍ବ ପୁରୁଷଙ୍କ ଠାରୁ ପାଇଥିବା ଚିକିତ୍ସା ପଦ୍ଧତିକୁ ଆଧାର କରି ଆଦିବାସୀ ଶବର ସେବକ ରାମଚନ୍ଦ୍ର ଗେମେଲ ବଣଜଙ୍ଗଲର ଫଳ, ଫୁଲ, ଚେରମୂଳିକୁ ବ୍ୟବହାର କରି ଅଣସରରେ ଠାକୁରଙ୍କ ଗୁପ୍ତ ଉପଚାର କରନ୍ତି। ରଥରେ ଆଦିବାସୀଙ୍କୁ ପ୍ରଥମ ଫଳମୂଳ ଭୋଗ କରିବାକୁ ସୁଯୋଗ ମିଳେ। ଘୋଷଯାତ୍ରାରେ ଦେବୀ ସୁଭଦ୍ରାଙ୍କ ପହଣ୍ଡିଠୁ ଆରମ୍ଭ କରି ରଥ ଟାଣିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ମହିଳା ଭକ୍ତ କରିଥାନ୍ତି।
ରଥଯାତ୍ରା ପୂର୍ବରୁ ଆଦିବାସୀ ରହୁଥିବା ବିଭିନ୍ନ ଗାଁକୁ ନିମନ୍ତ୍ରଣ କରିବାର ପରମ୍ପରା ରହିଛି। ସେହିପରି ୨୮ଖଣ୍ଡ ଆଦିବାସୀ ଗାଁର ମୁଖ୍ୟ ନାୟକଙ୍କୁ ଆମନ୍ତ୍ରଣ କରାଯାଇଥାଏ। ପ୍ରଭୁଙ୍କ ସେବା ଲାଗି ସୁଯୋଗ ମିଳୁଥିବାରୁ ଆଦିବାସୀ ଗ୍ରାମର ନାୟକ ଓ ଗ୍ରାମବାସୀ ପାରମ୍ପରିକ ପୋଷାକରେ ବାଜା ବଜାଇ ଫୁଲଫଳ ଭାର ଧରି ଶାବର ଶ୍ରୀକ୍ଷେତ୍ରରେ ପହଞ୍ଚନ୍ତି। ଶ୍ରୀଜଗନ୍ନାଥ, ବଳଭଦ୍ରା ଓ ସୁଭଦ୍ରା ରଥାରୂଢ଼ ହେବାପରେ ଆଦିବାସୀଙ୍କ ସ୍ବତନ୍ତ୍ର ନାୟକଙ୍କ ଦ୍ବାରା ଛେରାପହଁରା କରାଯାଏ। ଛେରାପହଁରା ପରେ ରଥରେ ଆଦିବାସୀ ଗ୍ରାମର ନାୟକଙ୍କୁ ଜିଲ୍ଲାପାଳ ନିଜ ହସ୍ତରେ ଶିରପା ପିନ୍ଧାଇଥାନ୍ତି। ରଥଟଣା ପୂର୍ବରୁ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ଆସିଥିବା ଫଳମୂଳ ରଥରେ ପହିଲି ଭୋଗ ଲାଗି ହୋଇଥାଏ। ପୂର୍ବରୁ ଏଠାରେ ଗୋଟିଏ ରଥ ରହିଥିବା ବେଳେ ୨୦୧୮ରେ ୩ଟି ରଥ ନିର୍ମାଣ ହୋଇଥିଲା। ୨୦୨୦ ମସିହାରୁ ମହିଳା ଭକ୍ତ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି ବିଜେ କରିବା ସହ ରଥ ଟାଣୁଛନ୍ତି।