ବ୍ରହ୍ମଗିରି: ଆଧୁନିକ ଯୁଗରେ ଲୋକେ ଯନ୍ତ୍ରଚାଳିତ ଯାନବାହନ ଉପରେ ନିର୍ଭରଶୀଳ ହୋଇଗଲେଣି। ପରିବେଶ ପ୍ରଦୂଷଣ ରୋକିବାକୁ ଇ-ବାଇକ୍ ମଧ୍ୟ ପ୍ରଚଳନ ହେଲାଣି। ପାରମ୍ପରିକ ଶଗଡ଼ ଗାଡ଼ି ଆଉ ଅନେକ ଦଶନ୍ଧୀ ହେଲା ପରିବହନର ମାଧ୍ୟମ ହୋଇ ନାହିଁ। କାଁ ଭାଁ କେଉଁଠି ଶଗଡ଼ ଗାଡିଟିଏ ଦେଖିବାକୁ ମିଳୁଛି। କିନ୍ତୁ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୀ ସଦର ବ୍ଲକ୍ ଅଞ୍ଚଳର ପିଳିପିଳା ଗାଁ ଲୋକେ ଆଜି ମଧ୍ୟ ସେହି ପାରମ୍ପରିକ ଶଗଡ଼ ରଖିଛନ୍ତି। ପ୍ରତି ବର୍ଷ ଭଳି ଆଜି ଗାଁର ୧୫ରୁ ଅଧିକ ସୁସଜ୍ଜିତ ଶଗଡ଼ ପୁରୀ-ସାତପଡ଼ା ଜାତୀୟ ରାଜପଥରେ ଦେଖିବାକୁ ମିଳିଥିଲା। ଶଗଡ଼କୁ ସଜ୍ଜିତ କରିବା ସହିତ ବଳଦକୁ ମଧ୍ୟ ସଜାଇଥିଲେ।
ଶଗଡରେ ସମସ୍ତ ଜିନିଷ ଲଦି ପୁରୀ–ସାତପଡା ରାଜପଥ ଦେଇ କୃଷ୍ଣପ୍ରସାଦ ବ୍ଲକ ଅରଖକୁଦାସ୍ଥିତ ପ୍ରସିଦ୍ଧ ଶୈବ ପୀଠ ହରିସହଦେବଙ୍କ ମନ୍ଦିରକୁ ଶଗଡ଼ିଆମାନେ ଯାତ୍ରା କରିଥିଲେ। ବିଶ୍ବାସ ରହିଛି ଗୋମାତାଙ୍କ ରକ୍ଷକ ହେଉଛନ୍ତି ହରିସହଦେବ। ବ୍ରହ୍ମଗିରି, କୃଷ୍ଣପ୍ରସାଦ ଓ ପୁରୀ ସଦର ବ୍ଲକ୍ର ଲୋକେ ମହାପ୍ରଭୁଙ୍କ ମନ୍ଦିରକୁ ପୂଜା କରିବାକୁ ଆସିଥାନ୍ତି। ବିଶେଷକରି ଚୂଡାଘଷା ଭୋଗ ହୋଇଥାଏ। ଆଜି ସକାଳୁ ଶଗଡ ନେଇ ପିଳିପିଳା ଗାଁ ଲୋକେ ମନ୍ଦିରକୁ ବାହାରି ମଧ୍ୟ୍ୟାହ୍ନରେ ପହଞ୍ଚିଥିଲେ। ସେଠାରେ ଆଜି ରହଣି ପରେ ଆସନ୍ତାକାଲି ସକାଳୁ ପୁଣି ଥରେ ଗାଁକୁ ଫେରିଯିବେ ବୋଲି ଜଣାପଡିଛି। ଏକ ପଟୁଆରରେ ଯାଉଥିବା ଶଗଡ଼କୁ ଆଜି ରାଜପଥରେ ଯିଏ ଦେଖିଲା ଘଡିଏ ଅଟକି ରହୁଥିଲା। ଏମିତିକି ଚିଲିକା ବୁଲିବାକୁ ଯାଉଥିବା ପର୍ଯ୍ୟଟକ ମଧ୍ୟ ଗାଡି ଅଟକାଇ ଶଗଡର ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା।