ବିଚିତ୍ର ଟ୍ରାଫିକ୍‌ ନିୟମ, କୋଇଲା ଟ୍ରକ୍‌ ଯାଞ୍ଚକୁ ନା

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ସଂଶୋଧିତ ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରାଯିବାକୁ ଏସ୍‌ପି ଅଶ୍ବିନୀ ମହାନ୍ତି ସବୁ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ପ୍ରାୟ ସବୁ ଥାନା ଅଞ୍ଚଳରେ ଏବେ ଟ୍ରାଫିକ୍‌ ଧରପଗଡ଼ ଆରମ୍ଭ ହୋଇଛି। ବିଭିନ୍ନ ଛକ ସ୍ଥାନରେ ପୁଲିସ କର୍ମଚାରୀ ଜଗିରହି ଯାନବାହନଗୁଡ଼ିକୁ ଯାଞ୍ଚ କରୁଥିବା ଦେଖା ଯାଇଛି। ଟ୍ରାଫିକ୍‌ ନିୟମ ଅନୁଯାୟୀ ଯାନବାହନ ଚଳାଚଳ କରୁଛି କି ନାହିଁ ତାହା ଦେଖିବା ଓ ଚାଳକମାନଙ୍କ ଉପରେ ଜରିମାନା ଆଦାୟ କରିବା କାମରେ ସାରା ଜିଲ୍ଲାର ପୁଲିସ ବ୍ୟସ୍ତ। ‌ତେବେ ଦେଖା ଯାଉଛି ଯେ ପୁଲିସ ସ୍କାନର୍‌ରେ କେବଳ ଛୋଟ ଛୋଟ ଘରୋଇ ଗାଡ଼ି ଓ ବାଇକ୍‌ ରହିଥିବା ବେଳେ ଭାରୀଯାନଗୁଡ଼ିକ ପୁଲିସର ନଜର ଆଢ଼ୁଆଳରେ ରହି ଯାଉଛି। ଝାରସୁଗୁଡ଼ା ଜିଲ୍ଲାରେ ଦୈନିକ ହଜାର ହଜାର ଟ୍ରକ୍‌ ଚଳାଚଳ କରିଥାଏ। ଏହି ଟ୍ରକ୍‌ଗୁଡ଼ିକ ମଧ୍ୟରେ ୮୦ ପ୍ରତିଶତ କେବଳ କୋଇଲା ପରିବହନ କରୁଥିବା ଦେଖାଯାଇଛି। ମାତ୍ର ପୁଲିସ ଗୋଟିଏ ବି କୋଇଲା ବୋଝେଇ ଟ୍ରକ୍‌କୁ ଯାଞ୍ଚ ପ୍ରକ୍ରିୟାରେ ସାମିଲ କରୁ ନଥିବା ଅଭିଯୋଗ ହେଉଛି।

ଯାତାୟାତ କରୁଥିବା କୋଇଲା, ବାଲି, ପାଉଁଶ, ପଥର ଗୁଣ୍ଡ, ଲୁହାପଥର ବୋଝେଇ ଟ୍ରକ୍‌ଗୁଡ଼ିକ ବେଆଇନ ଭାବରେ ଚଳାଚଳ କରୁଥିବା ବେଳେ ପୁଲିସ କିମ୍ବା ପରିବହନ ବିଭାଗ ଏହାକୁ ସଂପୂର୍ଣ୍ଣ ଏଡ଼ାଇ ଯାଉଥିବା ଅଭିଯୋଗ ହୋଇଛି। କୋଇଲା ବୋଝେଇ କରି ପରିବହନ କରୁଥିବା ଅଧିକାଂଶ ଟ୍ରକ୍‌ର ଡାଲା ଭାଙ୍ଗି ଯାଇଥିବା ବେଳେ ଟାୟାରଗୁଡ଼ିକ ଅତି ଦୁର୍ବଳ। ଟ୍ରକ୍‌ ପଛରେ ଥିବା ଲାଇଟ୍‌ ଜଳିବା ବାଧ୍ୟତାମୂଳକ ହୋଇଥିବା ବେଳେ କୌଣସି କୋଇଲା ଟ୍ରକ୍‌ର ପଛ ଲାଇଟ୍‌ ଜଳୁନାହିଁ। ସବୁଠାରୁ ଗୁରୁତର କଥା ହେଲା ଯେ କୋଇଲା ପରିବହନ କରୁଥିବା କୌଣସି ଟ୍ରକ୍‌ରେ ଖଲାସୀ ନିଯୁକ୍ତ କରାଯାଇ ନାହିଁ। ଖଲାସୀ ନଥିବାରୁ ଡ୍ରାଇଭର୍‌ ବାମ ପଟ ଦେଖି ନପାରିବା କାରଣରୁ ଅଧକାଂଶ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ଅତୀତରେ ଏକାଧିକ ବୈଠକରେ ପ୍ରଶାସନ ପକ୍ଷରୁ ଟ୍ରକ୍‌ଗୁଡ଼ିକରେ ଖଲାସୀ ନିଯୁକ୍ତ କରାଯିବାକୁ ମାଲିକମାନଙ୍କୁ କୁହାଯାଉଥିବା ବେଳେ ଏହାକୁ କେହି ମାନୁ ନାହାନ୍ତି। ଟ୍ରକ୍‌ ମାଲିକଙ୍କ କହିବା ହେଲା ଖଣି ଭିତରକୁ କୋଇଲା ଲୋଡିଂ ପାଇଁ ଗଲା ବେଳେ ଖଲାସୀମାନଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ। ତେଣୁ ସେମାନେ ଟ୍ରକ୍‌ରେ ଖଲାସୀ ରଖୁନାହାନ୍ତି। ତେବେ ଏହି ସମସ୍ୟା ସାମଧାନ କରିବାକୁ ଯାଇ ତତ୍‌କାଳୀନ ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ଏମ୍‌ସିଏଲ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖଣି ଭିତରକୁ ଲୋଡିଂ ପାଇଁ ଗଲାବେଳେ ପ୍ରବେଶ ପଥରେ ଖଲାସୀମାନଙ୍କୁ ଓହ୍ଲାଇ ଦେଉଥିବାରୁ ପ୍ରବେଶ ପଥରେ ସେମାନଙ୍କ ବିଶ୍ରାମ ସହିତ ପାନୀୟ ଜଳ ଓ ଅନ୍ୟ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ମାତ୍ର ଏମ୍‌ସିଏଲ୍‌ ଏହାର କୌଣସି ବ୍ୟବସ୍ଥା କରି ନଥିଲା। ଏବେ ବି ବିନା ଖଲାସୀରେ ଟ୍ରକ୍‌ ଚଳାଚଳ କରୁଛି। ବିଭିନ୍ନ ସମସ୍ୟା ଯୋଗୁଁ ଟ୍ରକ୍‌ ବ୍ୟବସାୟରେ କ୍ଷତି ଘଟୁଥିବା ଟ୍ରକ୍‌ ମାଲିକମାନେ କହି ଆସୁଛନ୍ତି। କୋଇଲା ଲୋଡିଂ ମିଳୁ ନଥିବାରୁ ଶହ ଶହ ଟ୍ରକ୍‌ ବସି ରହୁଥିବାରୁ ମାଲିକମାନେ ଆର୍ଥିକ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି। ଆର୍ଥିକ ପରିସ୍ଥିତି ଠିକ୍‌ ନଥିବାରୁ ବହୁ ଟ୍ରକ୍‌ ମାଲିକ ତାଙ୍କ ଟ୍ରକ୍‌ର ମରାମତି କରିପାରୁନାହାନ୍ତି। ଟ୍ରକ୍‌ର ରୋଡ୍‌ ଟ୍ୟାକ୍ସ, ବୀମା ପ୍ରିମୟମ୍‌ ଦେଇ ପାରୁ ନଥିବାରୁ ଟ୍ରକ୍‌ର ଠିକ୍‌ ସମୟରେ ଫିଟ୍‌ନେସ୍‌ କରାଇ ପାରୁନାହାନ୍ତି ବୋଲି କହୁଛନ୍ତି। ଜିଲ୍ଲାର ସବୁ ରାଜପଥ କଡ଼ରେ ହଜାର ହଜାର ମାଲ୍‌ ବୋଝେଇ ଟ୍ରକ୍‌ ଦିନ ଦିନ ଧରି ରାସ୍ତା ଅବରୋଧ କରି ଅଟକି ରହୁଥିବା ବେଳେ ଏଥିପ୍ରତି କୌଣସି ପୁଲିସ କି ପରିବହନ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନାହିଁ। ସେହିପରି ଅନେକ ଘରୋଇ ବସ୍ ମଧ୍ୟ ବିନା ପରମିଟ୍‌ରେ ବିନା ଫିଟ୍‌ନେସ୍‌ରେ ଚଳାଚଳ କରୁଥିବା ଅଭିଯୋଗ ହୋଉଛି। କିଛି ନାଇଟ୍‌ ବସ୍‌ରେ ମଧ୍ୟ କାଗଜପତ୍ର ତ୍ରୁଟି ଥିବା ଅଭିଯୋଗ ହୋଇଛି। ତେବେ ପୁଲିସ ଏମାନଙ୍କୁ ଜାଣିଶୁଣି ଛାଡ଼ି ଅଟୋ, ବାଇକ୍‌ ପଛରେ ପଡ଼ି ଜରିମାନା କାଟୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର