ଛାମୁଆ କର୍ମକର୍ତ୍ତାଙ୍କୁ ଦାୟିତ୍ବ ଦେଲେ ନଡ୍ଡା: ଏବେ ଓଡ଼ିଶା ପାଳି, ବିଜେଡି ମୁକ୍ତ କର

ଭୁବନେଶ୍ୱର : ଓଡ଼ିଶା ଗସ୍ତର ଶେଷ ଦିନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନାଁ ନ ନେଇ ଓଡ଼ିଶାକୁ ବିଜେଡି ମୁକ୍ତ କରିବାକୁ ଦଳର ଛାମୁଆ ସଙ୍ଗଠନର କର୍ମକର୍ତ୍ତାଙ୍କୁ ସେ ଆହ୍ବାନ ଦେଇଛନ୍ତି। ଭୁବନେଶ୍ୱର ଜନତା ମଇଦାନଠାରେ ଶୁକ୍ରବାର ବିଜେପି ପକ୍ଷରୁ ଆୟୋଜିତ ‘ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ’ରେ ଯୋଗଦେଇ ନଡ୍ଡା କହିଛନ୍ତି ଯେ ଓଡ଼ିଶାର ଗାଁ ଗାଁରେ ପଦ୍ମ ଫୁଟାଇବାର ସମୟ ଆସିଛି। ସେଦିଗରେ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ। କେନ୍ଦ୍ର ସରକାରଙ୍କ ପ୍ରତିଟି ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ହେବ। ଓଡ଼ିଶାର ୪୦ ଲକ୍ଷ ଘରକୁ ଟ୍ୟାପ୍‌ ପାଣି ଯୋଗାଇ ଦିଆଯାଇଛି। ୭୨ ଲକ୍ଷ ଲୋକଙ୍କୁ ଶୌଚାଳୟ, ୫୧ ଲକ୍ଷ ପରିବାରକୁ ଉଜ୍ଜ୍ବଳା ଯୋଜନାରେ ଗ୍ୟାସ୍‌ ସିଲିଣ୍ଡର ମିଳିଛି।

କିଷାନ୍‌ ସମ୍ମାନ ନିଧି ଯୋଜନାରେ ୪୦ ଲକ୍ଷ ୮୦ ହଜାର ଲୋକଙ୍କୁ ସାମିଲ କରାଯାଇଛି। ୮ ବର୍ଷରେ ଏଠାରେ ୬ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ଏହି ବିକାଶର ଚିତ୍ରକୁ ଆମକୁ ଗାଁ ଲୋକଙ୍କୁ ଜଣାଇବାକୁ ପଡ଼ିବ। ମୋଦୀଙ୍କ ନେତୃତ୍ବରେ କିଭଳି ବିକାଶ ହେଉଛି ସେନେଇ ଗାଁ ଗାଁରେ ପହଞ୍ଚାଇବାକୁ ହେବ।

ଓଡ଼ିଶା ସରକାରଙ୍କୁ ସମାଲୋଚନା କରି ନଡ୍ଡା କହିଲେ ମନରେଗା କାମରେ ହେଉଥିବା ନକଲି ବିଲ୍‌ ବିରୋଧରେ ଲଢ଼ିବାକୁ ପଡ଼ିବ। ଏହି ଭ୍ରଷ୍ଟାଚାରୀ ସରକାରକୁ ହଟାଇବାକୁ ହେବ। ଏଠାକାର ମନ୍ତ୍ରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଲାଗିଛି। ଏମାନେ ରକ୍ଷକ ନୁହେଁ, ଭକ୍ଷକ ସାଜିଛନ୍ତି। ଏମାନଙ୍କଠାରୁ ମୁକ୍ତ ହେବାକୁ ପଡ଼ିବ। ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ହଜିଲା। ଡୁପ୍ଲିକେଟ ଚାବି କରାଗଲା। ଯେପରି ଡୁପ୍ଲିକେଟ ଚାବି, ଠିକ୍ ସେଭଳି ଡୁପ୍ଲିକେଟ୍‌ ନେତା। ତେଣୁ ଆମକୁ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ସୁରକ୍ଷା କରିବାକୁ ହେବ। ଏଥିପାଇଁ ଓଡ଼ିଶାରେ ଡବଲ ଇଞ୍ଜିନ୍‌ ସରକାର ଆଣିବାକୁ ପଡ଼ିବ। ଏବେଠୁ ସଂଯୁକ୍ତ ମୋର୍ଚ୍ଚାର କର୍ମକର୍ତ୍ତାମାନେ ପରିଶ୍ରମ କରନ୍ତୁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ପ୍ରତି ପରିବାରକୁ ପକ୍କା ଘର ଯୋଗାଇ ଦିଆଯାଉଛି। ମାତ୍ର ସେଥିରେ ବିଜୁ ପକ୍କାଘର ଷ୍ଟାମ୍ପ ଲଗାଯାଉଛି। ଏଠି ଜଣେ ବିକାଶ କାମ କରୁଛି, ଆଉ ଜଣେ ନାଁ ନେଉଛି। ଏସମ୍ପର୍କରେ ଲୋକଙ୍କୁ ଅବଗତ କରିବାକୁ ସେ ଦଳୀୟ ନେତାଙ୍କୁ ଆହ୍ବାନ ଦେଇଥିଲେ।

ଶ୍ରୀ ନଡ୍ଡା ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିହାରରେ ପଦ୍ମ ଫୁଟିଛି। ଉତ୍ତର ପ୍ରଦେଶରେ ଦ୍ବିତୀୟ ଥର ଲାଗି ବିଜେପି ସରକାର ଲୋକଙ୍କ ଆସ୍ଥା ଭାଜନ ହୋଇଛି। ଗୋଆରେ ତୃତୀୟଥର ପାଇଁ ଦଳ କ୍ଷମତା ବଜାୟ ରଖିଛି। ମଣିପୁର, ଉତ୍ତରାଖଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକରେ ବିଜେପି କ୍ଷମତାକୁ ଫେରି ଲୋକଙ୍କୁ ସୁଶାସନ ଯୋଗାଇ ଦେଉଛି। ଏବେ ଓଡ଼ିଶାର ପାଳି। ବିଜେଡି ନେତା କହୁଛନ୍ତି, ଆମର ବସ୍ ଦିଲ୍ଲୀରେ ବସିଛନ୍ତି। କିନ୍ତୁ ଦିଲ୍ଲୀରେ ଆମର କେହି ବସ ନାହାନ୍ତି। ସେଠାରେ ପ୍ରଧାନ ସେବକ ବସିଛନ୍ତି। ଆଉ ପୂରା ବିଶ୍ୱର ବସ୍ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ତାଙ୍କ ଉପରେ ଆଉ କେହି ବସ୍ ନାହାନ୍ତି। ଯିଏ ପୂରା ଜଗତର ସର୍ବେସର୍ବା। ଯିଏ ସାରା ବିଶ୍ୱକୁ ପରିଚାଳିତ କରୁଛନ୍ତି।

ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ନିଜ ଅଭିଭାଷଣରେ ଶ୍ରୀ ପ୍ରଧାନ କହିଲେ ରାଜ୍ୟ ସରକାର ଚାଷୀଙ୍କୁ ଦେଉଥିବା ପ୍ରତିଶ୍ରୁତି ପାଳନ କରୁ ନାହାନ୍ତି। ଗତ ନିର୍ବାଚନ ସମୟରେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦ ହଜାର ଟଙ୍କା କୁଆଡେ ଗଲା? ଏମ୍‌ଏସ୍‌ପିର ଉଚିତ୍ ମୂଲ୍ୟ ଚାଷୀଙ୍କୁ ମିଳୁନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରଧାନମନ୍ତ୍ରୀ ପଠାଉଛନ୍ତି। କିନ୍ତୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଦେଉଥିବା ଚାଷୀ ତାଲିକାରେ ତାରତମ୍ୟ ରହୁ ନାହିଁ। ମାତୃ ଓ ଶିଶୁ ମୃତ୍ୟୁହାରରେ ଓଡ଼ିଶା ଆଗରେ। ଗର୍ଭବତୀ ମହିଳାମାନେ ଏବେ ବି ଖଟିଆରେ ବୁହା ହେଉଛନ୍ତି। ଏ ସରକାର ବାହାପିଆ ନୀତି ଆପଣାଇଛି। ଧୃତରାଷ୍ଟ୍ରଙ୍କ ଭଳି ସରକାର ଆଖିରେ ଅନ୍ଧପୁଟୁଳି ବାନ୍ଧିଛି। ପିଏମ ଆବାସ ଯୋଜନାରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ଯୁବକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି।

The Indian Express

ଶ୍ରୀ ପ୍ରଧାନ କହିଲେ, ଓଡ଼ିଶା ଏକମାତ୍ର ରାଜ୍ୟ, ଯେକି ପଛୁଆ ଜାତିର ଲୋକଙ୍କୁ ସ୍ୱୀକୃତି ଦେଉନାହିଁ। ମୋଦୀ ସରକାର ଓବିସି ବର୍ଗଙ୍କୁ ସାମ୍ବିଧାନିକ ପ୍ରଦତ୍ତ ସଂରକ୍ଷଣ ପ୍ରଦାନ କରୁଛନ୍ତି। କିନ୍ତୁ ରାଜ୍ୟରେ ବହୁସଂଖ୍ୟକ ପଛୁଆ ବର୍ଗଙ୍କ ପାଇଁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗୁ ହେଉନାହିଁ। ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ଏହି ଅଧିକାରକୁ ଆଙ୍ଗୁଠି ଗେଞ୍ଜି ଛଡ଼ାଇ ନେଇଛନ୍ତି। ମୋଦୀ ସରକାର ଏସସି ଓ ଏସଟି ବର୍ଗଙ୍କୁ ଗୁରୁତ୍ୱ ଦେଇଥିବା ବେଳେ ରାଜ୍ୟ ସରକାର ଅବହେଳା କରୁଛନ୍ତି। ଦଳୀୟ କର୍ମୀଙ୍କୁ ଟଙ୍କା ବାଣ୍ଟିବା ପାଇଁ ପିଡବ୍ଲୁଡି କୋଡ୍ ବଦଳାଯାଉଛି। ସାଢେ ୪ କୋଟି ଓଡ଼ିଆଙ୍କ ରାଜସ୍ୱକୁ ଦଳୀୟ ପାଣ୍ଠି ଭାବେ ବ୍ୟବହାର କରାଯାଉଛି। ଏହା ବିରୋଧରେ ସବୁ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ସ୍ୱର ଉତ୍ତୋଳନ କରିବାକୁ ହେବ। ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଦୁର୍ନୀତିଗ୍ରସ୍ତ ଓ ପ୍ରଚାରସର୍ବସ୍ୱ ରାଜ୍ୟ ସରକାରର ଅସଲ ମୁଖା ନ ଖୋଲିବା ପର୍ଯ୍ୟନ୍ତ ବିଶ୍ରାମ ନ ନେବା ପାଇଁ ସେ ପରାମର୍ଶ ଦେଇଥିଲେ।

 

ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ସାଂସଦ ଜୁଏଲ୍‌ ଓରାମ, ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସାଂସଦ ସୁରେଶ ପୂଜାରୀ, ସାଂସଦ ବସନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ବରୀ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ସହ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ବିଜେପି ରାଷ୍ଟୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସୁରମା ପାଢ଼ୀଙ୍କ ସମେତ ୭ଟି ମୋର୍ଚ୍ଛାର ସଭାପତିମାନେ ଅଭିଭାଷଣ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର