ୟାସ୍‌ ମୁକାବିଲା: ନବୀନ ସରକାରକୁ ପ୍ରଶଂସା କଲା ଜାତିସଂଘ

ବିପର୍ଯ୍ୟୟର କିଭଳି ମୁକାବିଲା କରାଯାଏ, ନବୀନ ସରକାରଠାରୁ ଶିଖିବା କଥା
ରାଜ୍ୟ ସରକାରଙ୍କ ସଂକଳ୍ପକୁ ବି ଶିଳ୍ପପତି କହିଲେ ‘ଆଶ୍ଚର୍ଯ୍ୟଜନକ ସୂତ୍ର’

ଭୁବନେଶ୍ବର : ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ପୁଣି ଥରେ ପ୍ରଶଂସା କରିଛି ଜାତିସଂଘ। ଜାତିସଂଘର ବରିଷ୍ଠ ଅଧିକାରୀ ମାନି ମିଜୁ ତୋରି ଗଣମାଧ୍ୟମକୁ କହିଛନ୍ତି ଯେ ବିପର୍ଯ୍ୟୟ ମୁକାବିଲା ପାଇଁ କେମିତି ସଠିକ ପରିଚାଳନା, ସୁଚିନ୍ତିତ ଯୋଜନା ଏବଂ ପୂର୍ବ ପ୍ରସ୍ତୁତି କରାଯାଏ ତାହା ନବୀନ ପଟ୍ଟନାୟକଙ୍କ ସରକାର ଠାରୁ ଶିଖିବା କଥା। ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି।

ସେ ଆହୁରି କହିଛନ୍ତି ଯେ ସମ୍ବଳର ସୁବିନିଯୋଗ ଏବଂ ସଠିକ୍ ପରିଚାଳନା ଯୋଗୁଁ ବାତ୍ୟା ଭଳି ବିପର୍ଯ୍ୟୟକୁ ଠିକ୍ ଢଙ୍ଗରେ ଓଡ଼ିଶା ମୁକାବିଲା କରିପାରିଛି। ୧୯୯୯ ମହାବାତ୍ୟା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିଥିଲେ। ଏହା ପରେ ବିପର୍ଯ୍ୟୟକୁ ରୋକିବା କ୍ଷେତ୍ରରେ ନବୀନ ସରକାର ବଡ଼ ଧରଣର ପଦକ୍ଷେପ ନେଇଛନ୍ତି ଓ କ୍ଷୟକ୍ଷତିକୁ ରୋକିବାରେ ସେମାନେ ସମର୍ଥ ହୋଇଛନ୍ତି। ୧୯୯୯ ମସିହାରେ ୧୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ବୋଲି ମଧ୍ୟ ଜାତିସଂଘ ଅଧିକାରୀ ଜଣକ ମନେ ପକାଇଛନ୍ତି।

ପୂର୍ବରୁ ୨୦୧୩ ମସିହାରେ ଫାଇଲିନ୍ ବାତ୍ୟା ସମୟରେ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲାକୁ ଜାତିସଂଘ ପ୍ରଶଂସା କରିଥିଲା। ଫାଇଲିନ୍ ପ୍ରଭାବ ବି ଭୟଙ୍କର ଥିଲା ଓ ଏହା ଓଡ଼ିଶାରେ ବେଶ୍ କ୍ଷତି ପହଞ୍ଚାଇଥିଲା। ସେବେ କିନ୍ତୁ ଧନଜୀବନ ରକ୍ଷା କରିବାରେ ସରକାର ସଫଳ ହୋଇଥିଲେ।

କେବଳ ଜାତିସଂଘ ନୁହେଁ, ବିପର୍ଯ୍ୟୟ ମୁକାବିଲା ପାଇଁ ଗତକାଲି ମନ୍ତ୍ରୀ ପରିଷଦ ଯେଉଁ ସଂକଳ୍ପ ନେଇଛନ୍ତି, ତାହାକୁ ଭାରତର ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଯେତେବେଳେ ପ୍ରକୃତି ବିଶ୍ବକୁ ଅସ୍ଥିର କରିଦେଇଛି, ସେବେ ନବୀନ ସରକାର “ଆଶ୍ଚର୍ଯ୍ୟଜନକ’’ ସୂତ୍ର ନିର୍ଣ୍ଣୟ କରିଛନ୍ତି। ପୂର୍ବତନ ଇନଫୋସିସ୍ ନିର୍ଦ୍ଦେଶକ ଟିଭି ମୋହନଦାସ ପାଏ ମଧ୍ୟ ନବୀନ ପଟ୍ଟନାୟକଙ୍କ ସୂତ୍ରଗୁଡ଼ିକୁ ରିଟ୍ୱିଟ କରିଛନ୍ତି।

ଏଠାରେ ଉଲ୍ଲେଖଥାଉକି, କରୋନା ମହାମାରୀ ଓ ବନ୍ୟା, ବାତ୍ୟା ଭଳି ମଣିଷ ସମାଜ ସାମ୍ନା କରୁଥିବା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା ଲାଗି ଓଡିଶାର ପ୍ରତି ଘରେ ଘରେ ଯୋଦ୍ଧା ସୃଷ୍ଟି କରାଯିବ। ରାଜ୍ୟ ସରକାର ଓଡିଶାକୁ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ପ୍ରତିରୋଧୀ ରାଜ୍ୟ ଭାବରେ ଗଢିତୋଳିବା ପାଇଁ ଏକ ଟାସ୍କଫୋର୍ସ ଗଠନ କରିବେ।

ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରତି ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ମହାମାରୀ ପରିଚାଳନା ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ପର୍ଯ୍ୟନ୍ତ ସବୁ ବିଷୟରେ ‌ଜ୍ଞାନ ଆହରଣ କରିବେ। ଏହା ସେମାନଙ୍କ ପାଠ୍ୟକ୍ରମର ଅଂଶବିଶେଷ ହେବ।ଏହାଉପରେ ପ୍ରତି ସରକାରୀ କର୍ମଚାରୀଙ୍କୁ ତାଲିମ ଦିଆଯିବ ଏବଂ ସରକାରୀ ଚାକିରୀ ଓ ନିଯୁକ୍ତି ପାଇଁ ଏକ ବାଧ୍ୟତାମୂଳକ ବିଷୟ ହେବ। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୱାର୍ଡ ମେମ୍ବର ଓ ମିସନ ଶକ୍ତି ଗୋଷ୍ଠୀ, ବନ ସୁରକ୍ଷା ସମିତି ଓ ଅନ୍ୟ ଗୋଷ୍ଠୀଭିତ୍ତିକ ସଂଗଠନ ଗୁଡିକୁ ତାଲିମ ଦେବାକୁ ସରକାର ମନ୍ତ୍ରୀ ପରିଷଦ ବୈଠକରେ ସଂକଳ୍ପ ନେଇଛନ୍ତି।

ସମ୍ବନ୍ଧିତ ଖବର