ରାଉରକେଲା: ସମାନ ନାଗରିକ ସଂହିତା (ୟୁସିସି)କୁ ନେଇ ସାରା ଦେଶରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଦେଶର ପ୍ରାୟ ଅଧିକାଂଶ ସଙ୍ଗଠନ ୟୁସିସି ସପକ୍ଷରେ ଥିଲାବେଳେ କିଛି ସଙ୍ଗଠନ ଓ ରାଜନୈତିକ ଦଳ ଏହାକୁ କଡ଼ା ବିରୋଧ କରୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ପେସା ଗ୍ରାମସଭା ସଂଯୋଜକ କମିଟି ପକ୍ଷରୁ ୟୁସିସିକୁ କଡ଼ା ବିରୋଧ କରାଯାଇଛି। ପ୍ରତିବାଦରେ ଆଜି ଆଦିବାସୀ ସଂଗଠନ ପକ୍ଷରୁ ବିଶାଳ ରାଲି ଅନୁଷ୍ଠିତ ହୋଇଥିଲା। କମିଟି ପକ୍ଷରୁ ବିର୍ସା ମୁଣ୍ଡା ଛକରୁ ବିଶାଳ ରାଲି ବାହାରିଥିଲା। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୨ ହଜାରରୁ ଅଧିକ ଆଦିବାସୀ ପୁରୁଷ, ମହିଳା ଏଥିରେ ସାମିଲ ହୋଇଥିଲେ।
ରାଲି ରିଂ ରୋଡ୍ ଦେଇ ଆର୍ଏମ୍ସି ଅଫିସ୍ ନିକଟରେ ପହଞ୍ଚିଥିଲା। ସେଠାରୁ ଉଦିତନଗର ଆମ୍ବେଦକର ଛକ ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ କେନ୍ଦ୍ର ସରକାର ବିରୋଧୀ ନାରା ଦେଇଥିଲେ। ସେମାନେ କହିଥିଲେ ‘ଆମକୁ ସମାନ ନାଗରିକ ସଂହିତା’ ଦରକାର ନାହିଁ। କାରଣ ଆଦିବାସୀମାନଙ୍କ ସ୍ବତନ୍ତ୍ର ପରିଚୟ, ପରମ୍ପରା, ସଂସ୍କୃତି ଓ ସାମାଜିକ ବ୍ୟବସ୍ଥା ରହିଛି। ଆଦିବାସୀ ସମାଜର ନିଜସ୍ବ ସୁଶାସନ ଓ ପାରମ୍ପରିକ ପରିଚାଳନା ବ୍ୟବସ୍ଥା ରହିଛି। ସମ୍ବିଧାନର ଧାରା ୧୩ (୩), ସମ୍ବିଧାନର ପଞ୍ଚମ ଅନୁସୂଚିତ ଧାରା ୨୪୪(୧), ସମ୍ବିଧାନର ଧାରା ୨୪୩ (ଏମ୍), ଧାରା ୨୪୩ ଜେଡ୍ସି, ଜଙ୍ଗଲ ଅଧିକାର ଆଇନ -୨୦୦୬ ଓ ପେସା ଆଇନ ୧୯୯୬ ଇତ୍ୟାଦି ଅଧିକାର ଗୁଡ଼ିକୁ କ୍ଷତି ପହଞ୍ଚାଇବାକୁ ଭାରତ ସରକାର ୟୁସିସି ଆଣୁଛନ୍ତି। ପ୍ରତ୍ୟାହାର ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆ ଯାଇଥିଲା। ପରେ କମିଟିର ପ୍ରତିନିଧି ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।