ସ୍ବାୟତ୍ତତା ହରାଉଛି ବିଶ୍ବବିଦ୍ୟାଳୟ: କ୍ଷମତା ପାଇଁ ଟଣାଓଟରା

ସିଣ୍ଡିକେଟ୍‌ରେ ବଢ଼ୁଛି ସରକାରୀ ବାବୁଙ୍କ ପତିଆରା

ଭୁବନେଶ୍ବର: ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ଆଇନ-୨୦୨୦ ମାଧ୍ୟମରେ ବିଶ୍ବବିଦ୍ୟାଳୟଗୁଡ଼ିକର କ୍ଷମତା ହ୍ରାସ କରାଯାଇଛି। ପ୍ରଫେସର ନିଯୁକ୍ତିଠାରୁ ଆରମ୍ଭ କରି ଅଣଶିକ୍ଷକ ପଦବି ପୂରଣ ପର୍ଯ୍ୟନ୍ତ, ସବୁଠି ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ରହିଛି। ଆଳଙ୍କାରିକ ସଂସ୍ଥା କହି ବିଶ୍ବବିଦ୍ୟାଳୟ ସିନେଟ୍‌କୁ ଉଚ୍ଛେଦ କରିଛନ୍ତି ସରକାର। ସିଣ୍ଡିକେଟ୍‌ର ପୁନର୍ଗଠନ ହୋଇଛି। ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ କିମ୍ବା ତାଙ୍କ ପ୍ରତିନିଧି(ଯୁଗ୍ମ ସଚିବ ତଳକୁ ହୋଇ ନଥିବେ) ଏକ୍ସ-ଅଫିସିଓ ସଦସ୍ୟ ରହିଛନ୍ତି। ଉଚ୍ଚଶିକ୍ଷା ବିଭାଗର ନିର୍ଦେଶକଙ୍କ ବଦଳରେ ଆଞ୍ଚଳିକ ନିର୍ଦେଶକ ପଦସୂତ୍ରରେ ସଦସ୍ୟ ରହିଛନ୍ତି। ସିଣ୍ଡିକେଟ୍‌କୁ ମନୋନୀତ ହେଉଥିବା ୬ଜଣ ପ୍ରତିନିଧିଙ୍କ ମଧ୍ୟରେ ୩ଜଣ କୁଳାଧିପତି ଓ ୩ଜଣ ରାଜ୍ୟ ସରକାରଙ୍କ ଦ୍ବାରା ଚୟନ ହେଉଛନ୍ତି। ଏହାପରେ ମଧ୍ୟ ଉଚ୍ଚଶିକ୍ଷା ବିଭାଗର ବାବୁମାନଙ୍କ ହାକିମାତି ସରି ନାହିଁ। ବିଶ୍ବବିଦ୍ୟାଳୟ ଭଳି ଏକ ସ୍ବୟଂଶାସିତ ସଂସ୍ଥାକୁ ପଙ୍ଗୁ କରିବାକୁ ବିଭାଗର କିଛି ବରିଷ୍ଠ ଅଧିକାରୀ ଲାଗିପଡ଼ିଛନ୍ତି। ଜୋର୍‌ ଜବରଦସ୍ତ ବିଶ୍ବବିଦ୍ୟାଳୟର ଦୈନିଦିନ କାର୍ଯ୍ୟକ୍ରମରେ ହସ୍ତକ୍ଷେପ କରୁଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଯେଉଁ କଥାଟି ସାମ୍ନାକୁ ଆସିଛି, ତାହା ହେଲା ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ ବୈଠକରେ କେଉଁ ନିଷ୍ପତ୍ତି ହେବ ତାହା ଉଚ୍ଚଶିକ୍ଷା ବିଭାଗର ବାବୁମାନେ ସ୍ଥିର କଲେଣି। ବିଭାଗର ଅତିରିକ୍ତ ସଚିବଙ୍କ ସମେତ ଆଉ କିଛି ଅଧିକାରୀ ଏପ୍ରିଲ ମାସରେ କୁଳସଚିବ ଓ ପରୀକ୍ଷା ନିୟନ୍ତ୍ରକଙ୍କ ବୈଠକ ଡକାଇ ବିଶ୍ବବିଦ୍ୟାଳୟ ଉପରେ ଚାପ ସୃଷ୍ଟି କରିଛନ୍ତି। ବିଭା‌ଗ ପକ୍ଷରୁ ଯାହା ନିର୍ଦ୍ଦେଶ ଦିଆଯାଉଛି ତାହାକୁ ଆକଳନ କରିବାକୁ କୁହାଯାଇଛି।

ସିଣ୍ଡିକେଟ୍‌ରେ ବଢ଼ୁଛି
ସରକାରୀ ବାବୁଙ୍କ ପତିଆରା
କୁଳପତି ନାମକୁ ମାତ୍ର ଅଧ୍ୟକ୍ଷ, ଅଧିକାରୀଙ୍କ ମନ୍‌ମାନି ବଢ଼ୁଛି
ସେକ୍ସନ ଅଫିସରଙ୍କୁ ରିପୋର୍ଟ କରିବେ ଓଏଏସ୍‌ ଅଧିକାରୀ

ମିଳିଥିବା ସୂଚନା ଅନୁସାରେ, ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ ବୈଠକ କିଭଳି ହେବ ସେନେଇ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶାବଳୀ ଜାରି କରିଛି। ବିଶ୍ବବିଦ୍ୟାଳୟ କୁଳସଚିବମାନେ ସିଣ୍ଡିକେଟ୍‌ ବୈଠକର ୧୫ ଦିନ ଆଗରୁ ଉଚ୍ଚଶିକ୍ଷା ସଚିବଙ୍କ ନିକଟକୁ ବୈଠକର ଏଜେଣ୍ଡା ପଠାଇବେ। ଏଥିସହ ସମସ୍ତ ପ୍ରକାର ଡକ୍ୟୁମେଣ୍ଟ ବିଭାଗର ବ୍ରାଞ୍ଚ ଅଫିସରଙ୍କ ନିକଟରେ ଦାଖଲ କରିବେ। ଯଦି ୧୫ ଦିନ ପୂର୍ବରୁ ସିଣ୍ଡିକେଟ୍‌ ବୈଠକର ଏଜେଣ୍ଡା ବିଭାଗ ନିକଟରେ ନ ପହଞ୍ଚେ ତାହା ହେଲେ ବୈଠକକୁ ଘୁଞ୍ଚାଇବେ। ବୈଠକର ଭର୍ଚୁଆଲ୍‌ ଲିଙ୍କ୍‌ ବିଶ୍ବବିଦ୍ୟାଳୟ ସେକ୍ସନ୍‌ର ବ୍ରାଞ୍ଚ ଅଫିସରଙ୍କ ସହ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସେୟାର କରିବେ। ବିଶ୍ବବିଦ୍ୟାଳୟ ସେକ୍ସନର ବ୍ରାଞ୍ଚ ଅଫିସର ଉଚ୍ଚଶିକ୍ଷା ସଚିବଙ୍କ ପ୍ରତିନିଧି ଭାବେ ପ୍ରତି ସିଣ୍ଡିକେଟ୍‌ ବୈଠକରେ ସାମିଲ ହେବେ। ପ୍ରତି ସିଣ୍ଡିକେଟ୍‌ ବୈଠକ ପରେ ଏକ ଡ୍ରାଫ୍ଟ ପ୍ରୋସିଡିଂକୁ ବିଶ୍ବବିଦ୍ୟାଳୟ ସେକ୍ସନର ବ୍ରାଞ୍ଚ ଅଫିସରଙ୍କ ନିକଟରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଦାଖଲ କରିବେ। ତାହାକୁ ସଚିବଙ୍କ ପ୍ରତିନିଧିଙ୍କ ନିକଟରେ ମଧ୍ୟ ଦାଖଲ କରାଯିବ। ଉଚ୍ଚଶିକ୍ଷା ବିଭାଗ ଅଧିକାରୀ ବୈଠକ ନିଷ୍ପତ୍ତିର ଡ୍ରାଫ୍ଟକୁ ଅନୁଧ୍ୟାନ କରିବା ପରେ ବିଶ୍ବବିଦ୍ୟାଳୟ ଅନୁମୋଦନ କରିବ। ବିଶ୍ବବିଦ୍ୟାଳୟର ବିତ୍ତ ନିୟନ୍ତ୍ରକ ସ୍ବତନ୍ତ୍ର ଅତିଥି ସିଣ୍ଡିକେଟ୍‌ ବୈଠକରେ ସାମିଲ ହେବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଧୀରେ ଧୀରେ ରାଜ୍ୟ ସରକାର ମାତ୍ରାଧିକ ହସ୍ତକ୍ଷେପ କରିବା ଦ୍ବାରା ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ରତା ରହୁ ନ ଥିବା ଜଣେ ପୂର୍ବତନ କୁଳପତି କହିଛନ୍ତି। ତାଙ୍କ କହିବାନୁଯାୟୀ, ବିଶ୍ବବିଦ୍ୟାଳୟ ଶୈକ୍ଷିକ ଓ ପ୍ରଶାସନିକ ସ୍ବତନ୍ତ୍ରତାରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ରହୁଛି। ବିଶ୍ବବିଦ୍ୟାଳୟ ନିଜର କୌଣସି ନିଷ୍ପତ୍ତି ନେଇପାରିବ ନାହିଁ। ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ର ଅଧ୍ୟକ୍ଷ ହେଉଛନ୍ତି କୁଳପତି। ମାତ୍ର ତାଙ୍କର କୌଣସି କ୍ଷମତା ରହୁ ନାହିଁ। ଉଚ୍ଚଶିକ୍ଷା ସଚିବ ସିଣ୍ଡିକେଟ୍‌ର ସଦସ୍ୟ ହୋଇଥିଲେ ମଧ୍ୟ ତାଙ୍କ ପ୍ରତିନିଧିଙ୍କ ଯେଉଁଭଳି ହସ୍ତକ୍ଷେପ ରହୁଛି ତାହା ଗ୍ରହଣୀୟ ନୁହେଁ। ବିଶ୍ବବଦ୍ୟାଳୟ କୁଳସଚିବ ପଦବିରେ ଅଧିଷ୍ଠିତ ଜଣେ ଓଏଏସ୍‌ ଅଧିକାରୀ ଉଚ୍ଚଶିକ୍ଷା ବିଭାଗର ଜଣେ ସେକ୍ସନ ଅଫିସରଙ୍କ ନିକଟରେ କିଭଳି ରିପୋର୍ଟ କରିବେ ତାହା ବିସ୍ମିତ କରୁଛି। ସରକାରୀ ବାବୁମାନଙ୍କ ଏଭଳି ହସ୍ତକ୍ଷେପକୁ ନୂଆ ସରକାର ଗୁରୁତ୍ବ ଦେବାର ଆବଶ୍ୟକତା ରହିଥିବା ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର