ଲକ୍‌ଡାଉନ୍‌ରେ ଖୋଲିବ ବିଶ୍ୱବିଦ୍ୟାଳୟ, କେବେଠାରୁ ଖୋଲିବ ସେନେଇ ସ୍ପଷ୍ଟ କଲେନି ସଚିବ

ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ କଥାରେ ରହୁନି ତାଳମେଳ, ଉତ୍କଳ, ରମାଦେବୀ, ରେଭେନ୍ସା କର୍ମଚାରୀଙ୍କ ମଧ୍ୟରେ ଭାଳେଣି

ଭୁବନେଶ୍ୱର : ମାସେ ହେଲା ବନ୍ଦ ହୋଇଥିବା ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି କହିସାରିଛନ୍ତି ଯେ ଜୁନ୍‌ ୧୭ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏହାସତ୍ତ୍ବେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଘରୋଇ ଓ ସରକାରୀ ବିଶ୍ବବିଦ୍ୟାଳୟ ପୂର୍ବଭଳି କାର୍ଯ୍ୟକ୍ଷମ କରିବାକୁ ବିଭାଗୀୟ ଶାସନ ସଚିବ ଶାଶ୍ବତ ମିଶ୍ର ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସଚିବ ଶ୍ରୀ ମିଶ୍ରଙ୍କ ଏଭଳି ବିଜ୍ଞପ୍ତିକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। କାରଣ ଦୁଇ ଦିନ ତଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଗଣମାଧ୍ୟମରେ ଦେଇଥିବା ବକ୍ତବ୍ୟ ଓ ସଚିବ ଶ୍ରୀ ମିଶ୍ରଙ୍କ ବିଜ୍ଞପ୍ତିରେ ତାଳମେଳ ରହୁ ନ ଥିବା ଦେଖିବାକୁ ମିଳିଛି। ପ୍ରଫେସରଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ଅଭିଭାବକ ସମସ୍ତେ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ନିର୍ଦେଶକୁ ଅପେକ୍ଷା ନ କରି ବିଶ୍ବବିଦ୍ୟାଳୟ ଖୋଲିବା ଲାଗି ଉଚ୍ଚଶିକ୍ଷା ବିଭାଗ ସଚିବ ଶ୍ରୀ ମିଶ୍ର କାହିଁକି ବିଜ୍ଞପ୍ତି ପ୍ରକାଶ କଲେ ତାହାକୁ ନେଇ ଏବେ ନାନା ପ୍ରଶ୍ନ ଉଠିଛି।

ସଚିବ ଶ୍ରୀ ମିଶ୍ର ଜାରି କରିଥିବା ବିଜ୍ଞପ୍ତିରେ କହିଛନ୍ତି ଯେ ଗ୍ରୁପ୍-‘ଏ’ର ସମସ୍ତ ଟିଚିଂ, ନନ୍ ଟିଚିଂ ଷ୍ଟାଫ୍ ଦୈନିକ ଅଫିସ ଆସିବେ। ତେବେ ଗ୍ରୁପ୍‌ ‘ବି’, ଗ୍ରୁପ୍‌ ‘ସି’, ଗ୍ରୁପ୍‌ ‘ଡି’ର ଏକ ତୃତୀୟାଂଶ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ। ବିଶ୍ୱବିଦ୍ୟାଳୟ ଖୋଲିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ଥିଓରି ଓ ପ୍ରାକ୍ଟିକାଲ କ୍ଲାସ ସିଧାସଳଖ ହେବନି। ବରଂ ଅନଲାଇନ୍‌ରେ କରାଯିବ। ଏବେ କୌଣସି ପରୀକ୍ଷା ହେବ ନାହିଁ। ହେଲେ ପରୀକ୍ଷା ପାଇଁ ବିଶ୍ବବିଦ୍ୟାଳୟଗୁଡ଼ିକ ପ୍ରସ୍ତୁତ ରହିବେ। କୌଣସି ପିଲା ହଷ୍ଟେଲରେ ରହିପାରିବେ ନାହିଁ। ବିନା ଅନୁମତିରେ କୌଣସି ଛାତ୍ରଛାତ୍ରୀ କିମ୍ବା ଅଭିଭାବକ କ୍ୟାମ୍ପସକୁ ପ୍ରବେଶ କରିପାରିବେ ନାହିଁ। କ୍ୟାମ୍ପସ ପରିସରରେ ସମ୍ମିଳନୀ, ସାକ୍ଷାତକାର ପରୀକ୍ଷା, ଫିଲ୍ଡୱାର୍କ/ଭ୍ରମଣ/ଟ୍ରିପ୍‌, ଆଲୋଚନାଚକ୍ର, କର୍ମଶାଳା ଆଦି ହେବନି। ଆବଶ୍ୟକ ସ୍ଥଳେ ଏହାକୁ ଅନ୍‌ଲାଇନରେ କରାଯାଇପାରିବ। ସରିଥିବା ବିଭିନ୍ନ ବିଷୟର ପରୀକ୍ଷାର ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ ହେବ। ତେବେ ଜୋନାଲ ମୂଲ୍ୟାୟନ କରାଯିବ ନାହିଁ। ଅନ୍‌ଲାଇନରେ ପିଏଚଡି ଛାତ୍ରଛାତ୍ରୀଙ୍କ ମୌଖିକ ସାକ୍ଷାତ କରାଯିବ। ପିଏଚ୍‌ଡି ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପ୍ରି-ସମିସନ୍‌ ଦାଖଲ କରିପାରିବେ। ବିଶ୍ବବିଦ୍ୟାଳୟ ଯେଉଁ ବିଜ୍ଞପ୍ତି ପ୍ରକାଶ କରିବ ତାହାର ଏକ ନିର୍ଦେଶାନାମା ସ୍ଥାନୀୟ ପୁଲିସ ଓ ପ୍ରଶାସନକୁ ପ୍ରଦାନ କରିବେ। ବିଶ୍ବବିଦ୍ୟାଳୟର କର୍ମଚାରୀମାନେ ବୁଲିବା ସମୟରେ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶନାମା, ବିଶ୍ବବିଦ୍ୟାଳୟର ନିର୍ଦେଶନାମା ଓ ନିଜର ପରିଚୟପତ୍ର ସାଙ୍ଗରେ ନେବାକୁ ପଡ଼ିବ। ବିଶ୍ବବିଦ୍ୟାଳୟ ଖୋଲିବା ପରେ ସାମାଜିକ ଦୂରତ୍ବ ରକ୍ଷା, ହାତ ଧୋଇବା, ସାନିଟାଇଜେସନ, ମାସ୍କ ବ୍ୟବହାର ବାଧ୍ୟତାମୂଳକ, ବାୟୋମେଟ୍ରିକ ଉପସ୍ଥାନ ନ କରିବାକୁ କୁହାଯାଇଛି। ତେବେ କେବେଠୁ ବିଶ୍ୱବିଦ୍ୟାଳୟ ଖୋଲିବ ସେ ନେଇ ନିର୍ଦ୍ଦେଶନାମାରେ ଶ୍ରୀ ମିଶ୍ର କିଛି ସ୍ପଷ୍ଟ କରିନାହାନ୍ତି।

ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ରଙ୍କ ବିଜ୍ଞପ୍ତି ପରେ ଏବେ ଏକାଧିକ ପ୍ରଶ୍ନ ଉଠିଛି। ପ୍ରଥମତଃ ଦୁଇ ଦିନ ତଳେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ ଜୁନ୍‌ ୧୭ରେ ଶିକ୍ଷାନୁଷ୍ଠାନ ଖୋଲିବା ପରେ ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ। ଲକ୍‌ଡାଉନ୍‌ ଭିତରେ କୌଣସି ବି କାର୍ଯ୍ୟକ୍ରମ କରାଯିବ ନାହିଁ। ୟୁଜିସି ରିପୋର୍ଟ ଓ ନିର୍ଦେଶକୁ ଅନୁଧ୍ୟାନ କରାଯାଇ ପରବର୍ତୀ ପଦକ୍ଷେପ ନିଆଯିବ। ମନ୍ତ୍ରୀଙ୍କ ବକ୍ତବ୍ୟର ଦୁଇ ଦିନ ପରେ ସଚିବଙ୍କ ଏଭଳି ବିଜ୍ଞପ୍ତିରେ ତାଳମେଳ ରହୁ ନ ଥିବାରୁ ବିବାଦ ସୃଷ୍ଟି ହୋଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଅଧିକାଂଶ ବିଶ୍ବବିଦ୍ୟାଳୟ ଏବେ ରେଡ ଜୋନ୍‌ରେ ରହିଛି। ଭୁବନେଶ୍ବର ସମେତ ବାଲେଶ୍ବର, କଟକ, ସୁନ୍ଦରଗଡ଼ ଜିଲ୍ଲାରେ ଇତି ମଧ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ତେଣୁ କେଉଁ ଆଧାରରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶ୍ରୀ ମିଶ୍ର ଏଭଳି ଏକ ବଡ଼ ନିଷ୍ପତ୍ତି ନେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର