ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ- ୨୦୨୦ ରହିତାଦେଶ: ଆଶଙ୍କାରେ ଆଶାୟୀ, ଦୋ’ଛକିରେ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ, ୨୦୨୦ ଉପରେ ସୁପ୍ରିମକୋର୍ଟ ତିନି ମାସ ରହିତାଦେଶ ଲଗାଇଛନ୍ତି। ଏଥିସହ ଚାରି ସପ୍ତାହ ମଧ୍ୟରେ ଜବାବ ସତ୍ୟପାଠ ଦାଖଲ ଲାଗି ଓଡ଼ିଶାର ଆଡଭୋକେଟ୍‌ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ମାସ ପରେ ‌କରାଯିବ ବୋଲି ଖଣ୍ଡପୀଠ କହିବା ପରେ ଏବେ ଆଶଙ୍କାରେ ସମସ୍ତେ। ରହିତାଦେଶ ପରେ ବିଶ୍ବବିଦ୍ୟାଳୟଗୁଡ଼ିକର ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବି ଲାଗି ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ବାରା ଚାଲିଥିବା ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ରହିବ କି ନାହିଁ, ତାହାକୁ ନେଇ ନିଯୁକ୍ତି ପାଇଁ ଅପେକ୍ଷାରତ ଆଶାୟୀ ଏବେ ଆଶଙ୍କାରେ ପଡ଼ିଛନ୍ତି।

ସେପଟେ ଜୁନ୍‌ ମଧ୍ୟରେ ସମସ୍ତ ବିଶ୍ବବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିବାରୁ ରେଗୁଲାର ବିଭାଗରେ ଅତିଥି ଅଧ୍ୟାପକ ନିଯୁକ୍ତି ନ କରିବାକୁ ରାଜ୍ୟ ସରକାର କହିଥିଲେ। ବିଶ୍ବବିଦ୍ୟାଳୟ ମଧ୍ୟ ସେହି ଅନୁଯାୟୀ ପଦକ୍ଷେପ ନେଇଥିବା ବେଳେ ଏବେ ରହିତାଦେଶ ପରେ କର୍ତୃପକ୍ଷ ବି ଆଶଙ୍କାରେ। ଯଦି ରାଜ୍ୟ ସରକାରଙ୍କ ନୂତନ ଅଧି‌ନିୟମକୁ ସୁପ୍ରିମକୋର୍ଟ ଖାରଜ କରନ୍ତି, ତେବେ ଏବେ ସୁଦ୍ଧା ନିଯୁକ୍ତି ପାଇଥିବା ପ୍ରଫେସରଙ୍କ ଭାଗ୍ୟ କ’ଣ ହେବ, ତାହାକୁ ନେଇ ଆଶଙ୍କା ବଢ଼ିଛି। ସଂଶୋଧିତ ଆଇନ ବଳରେ ନିଯୁକ୍ତି ପାଇଥିବା ବିଶ୍ବବିଦ୍ୟାଳୟ କୁଳପତିଙ୍କ ଭବିଷ୍ୟତ କ’ଣ ହେବ? ସେମାନଙ୍କ ନିଯୁକ୍ତି ପ୍ରକ୍ରିୟା ବାତିଲ୍‌ ହେବ କି? ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ କୁଳପତି ଚୟନ ମଧ୍ୟ ସଂଶୋଧିତ ଅଧିନିୟମ ବଦଳରେ ଚାଲିଥିବାରୁ ତାହା ବିଳମ୍ବ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ସମସ୍ତେ ଆଶଙ୍କାରେ ରହିଥିବା ବେଳେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର କୁଳସଚିବମାନଙ୍କୁ ଏକ ଆଶ୍ବାସନା ଦେଇଛନ୍ତି। ଇତି ମଧ୍ୟରେ ଯେଉଁମାନେ ନିଯୁକ୍ତି ପାଇଛନ୍ତି, ସେମାନଙ୍କ ଉପରେ ଏହି ରହିତାଦେଶର କୌଣସି ପ୍ରଭାବ ପଡ଼ିବ ନାହିଁ। ସେମାନେ ପୂର୍ବଭଳି କାର୍ଯ୍ୟ କରିପାରିବେ।

ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ଗତ ଡିସେମ୍ବର ସୁଦ୍ଧା ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକରେ ୬୨% ପ୍ରଫେସର ପଦବି ଖାଲି ଥିଲା। ୧୧ଟି ବିଶ୍ବବିଦ୍ୟାଳୟ ଲାଗି ମୋଟ ୧୬୬୩ ଜଣ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ଅନୁମୋଦନ ହୋଇଥିବା ବେଳେ ୧୦୩୩ ଖାଲି ରହିଥିଲା। ରେଭେନ୍ସା ବିଶ୍ବବିଦ୍ୟାଳୟରେ ସର୍ବାଧିକ ୧୯୩ଟି ପଦବି ଖାଲି ଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟରେ ୧୨୬, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ୧୦୨, ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ୯୬, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ୭୫, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ୬୮, ସମ୍ବଲପୁର ବିଶ୍ବବିଦ୍ୟାଳୟରେ ୬୬, ଫକୀର ମୋହନ ବିଶ୍ବବିଦ୍ୟାଳୟରେ ୪୨ ଓ ଶ୍ରୀ ଜଗନ୍ନା‌ଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ୨୭ଟି ପ୍ରଫେସର ପଦବି ଖାଲି ଥିଲା। ନୂଆ କରି ପ୍ରତିଷ୍ଠା ହୋଇଥିବା ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଲାଗି ଯଥାକ୍ରମେ ୧୨୬ ଓ ୧୧୨ ପଦବି ଅନୁମୋଦନ ‌ହୋଇଥିଲେ ମଧ୍ୟ ଆଦୌ ନିଯୁକ୍ତି ଦିଆଯାଇ ନ ଥିଲା। ସରକାରୀ ମହାବିଦ୍ୟାଳୟର ୭୬ଜଣ ଅଧ୍ୟାପକଙ୍କୁ ପଦୋନ୍ନତି ଦିଆଯାଇ ପ୍ରଫେସର ପଦବିରେ ଅବସ୍ଥାପିତ କରାଯାଇଛି। ୬୦୬ଟି ପଦବି ପୂରଣ ଲାଗି ନିଯୁକ୍ତି ପ୍ରକ୍ରିୟା କରିବାକୁ ଓପିଏସ୍‌ସିକୁ ଚିଠି ଲେଖାଯାଇଥିଲା।

ଇତି ମଧ୍ୟ‌ରେ ଓପିଏସ୍‌ସି ପକ୍ଷରୁ ଭୂତତ୍ତ୍ବ ବିଜ୍ଞାନ, ପବ୍ଲିକ ଆଡମିନି‌‌ଷ୍ଟ୍ରେସନ, ସାମାଜିକ ବିଜ୍ଞାନ, ଇଂରାଜୀ, ମନୋବିଜ୍ଞାନ, ପରିସଂଖ୍ୟାନ, ନୃତତ୍ତ୍ବ ବିଜ୍ଞାନ, ଦର୍ଶନଶାସ୍ତ୍ର ପରି ବିଭାଗରେ ଶତାଧିକ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି। ବାଣିଜ୍ୟ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଇତିହାସ, ରାଜନୀତି ବିଜ୍ଞାନ, ଗଣିତ ପରି ପ୍ରମୁଖ ବିଷୟର ନିଯୁକ୍ତି ପ୍ରକ୍ରିୟା ହେବାକୁ ବାକି ରହିଛି। ସୁପ୍ରିମକୋର୍ଟଙ୍କ ରହିତାଦେଶ ପରେ ଏହି ବିଷୟଗୁଡ଼ିକର ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଓପିଏସ୍‌ସି ପକ୍ଷରୁ ଆଜି ସାମାଜିକ ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ପଦରେ ୧୨ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ବିଜ୍ଞପ୍ତି ଜାରି ହୋଇଛି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟ ଯେଉଁ ରହିତାଦେଶ ଦେଇଛନ୍ତି, ସେଥିରେ ନିଯୁକ୍ତି ପ୍ରକ୍ରିୟାରେ କୌଣସି ବାଧାପ୍ରାପ୍ତ ହେବ ନାହିଁ। ପୂର୍ବ ଭଳି ଓପିଏସ୍‌ସି ନିଯୁକ୍ତି ପ୍ରକ୍ରିୟା ଜାରି ରଖିବ। ନିର୍ଧାରିତ ସମୟ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର