ଭୁବନେଶ୍ବର: ରାଜ୍ୟର ୧୭ଟି ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟରୁ ୧୦ଟିରେ କୁଳପତି ନାହାନ୍ତି। ୬୫% ପ୍ରଫେସର ପଦବି ଖାଲି ପଡ଼ିଛି। ୭୩% ଅଣଶିକ୍ଷକ ପଦବି ଖାଲି ପଡ଼ିଛି। ଫଳରେ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ ଓ ଗବେଷଣା ଭୀଷଣ ପ୍ରଭାବିତ ହୋଇଛି। ନାକ୍ ଓ ଏନ୍ଆଇଆରଏଫ୍ରେ ଅବନତି ଅନ୍ୟ ପ୍ରମୁଖ କାରଣ ମଧ୍ୟରେ ଅନ୍ୟତମ ହେଉଛି କ୍ୟାମ୍ପସ୍ରେ ଶିକ୍ଷା ଓ ଗବେଷଣାର ଅବନତି। ଆହୁରି ମଧ୍ୟ ପରୀକ୍ଷା ଫଳ ପ୍ରକାଶରେ ଅହେତୁକ ବିଳମ୍ବ ହେବା ସହ ନାମଲେଖା ପ୍ରକ୍ରିୟା ପ୍ରଭାବିତ ହୋଇଥିଲା। ଗତ ସପ୍ତାହରେ ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ଅଧିନିୟମ ୨୦୨୪ ବିଧାନସଭାରେ ପାରିତ ହେଲା ପରେ ଏହି ଅଚଳାବସ୍ଥା ଦୂର ନେଇ ଆଶା ସଞ୍ଚାର ହୋଇଛି। ବିଧାନସଭାରେ ବିରୋଧୀ ଦଳ ରାତି ତମାମ ଏହି ବିଲ୍ର ବିଭିନ୍ନ ଦିଗକୁ ତର୍ଜମା କରି ସରକାରଙ୍କୁ ଘେରିଥିଲେ। କିନ୍ତୁ ଉଚ୍ଚଶିକ୍ଷା ମନ୍ତ୍ରୀ ବିରୋଧୀଙ୍କ ପ୍ରତିଟି ଅଭିଯୋଗ ଓ ଆଶଙ୍କାକୁ ଖଣ୍ଡନ କରି ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନର ମାନ ବଢ଼ିବ ବୋଲି ଜୋର୍ ଦେଇଥିଲେ। ବର୍ତ୍ତମାନ ବିଲ୍ଟି ରାଜ୍ୟପାଳଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ଏହି ବିଲ୍ ଉପରେ ରାଜ୍ୟରେ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ନିର୍ଭର କରୁଥିବାରୁ ଏହାର କାର୍ଯ୍ୟକାରିତା ଉପରେ ସମସ୍ତଙ୍କର ନଜର ରହିଛି।
୧୦ଟି ପ୍ରମୁଖ ବିଶ୍ବବିଦ୍ୟାଳୟରେ ମୁରବି ଅର୍ଥାତ୍ କୁଳପତି ନଥିବାରୁ ସେଠାରେ ସ୍ଥାଣୁତା ଦେଖାଦେଇଛି। ନୂଆ ନିୟମରେ କୁଳପତି ଚୟନ ପ୍ରକ୍ରିୟାରେ କେବଳ ଶିକ୍ଷାବିତ୍ଙ୍କୁ ସାମିଲ କରାଯିବାର ବ୍ୟବସ୍ଥା ରହିଛି। କୁଳପତି ଚୟନ କମିଟିରେ ଯେଉଁ ତିନି ଜଣ ଶିକ୍ଷାବିତ୍ ରହିବେ, ସେମାନେ ସିଣ୍ଡିକେଟ୍, ରାଜ୍ୟପାଳ ତଥା କୁଳାଧିପତି ଓ ୟୁଜିସି ଦ୍ବାରା ମନୋନୀତ ହେବେ। ୨୦୨୦ରେ ହୋଇଥିବା ସଂଶୋଧନରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ଜଣେ ବରିଷ୍ଠ ଅଧିକାରୀ ରହିବାର ବ୍ୟବସ୍ଥା ଥିଲା, ଯାହାକୁ କି ଏଥିରେ ଉଠାଇ ଦିଆଯାଇଛି। କୁଳପତି ଚୟନ କିପରି ଜଲ୍ଦି ହେବ, ତାହା ଉପରେ ଏବେ ଉଚ୍ଚଶିକ୍ଷା ବିଭାଗ ଫୋକସ୍ କରୁଛି। କୁଳପତିଙ୍କ ବୟସସୀମା ୬୭ରୁ ୭୦ କରାଯାଇଛି। ଜାତୀୟ ତଥା ଆନ୍ତର୍ଜାତିକ ବିଶ୍ବବିଦ୍ୟାଳୟର ବ୍ୟବସ୍ଥା ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି।
ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ରେ ରାଜ୍ୟପାଳଙ୍କ ଅନୁମୋଦନକୁ ଅପେକ୍ଷା
ଶିକ୍ଷାବିତ୍ଙ୍କ ଦ୍ବାରା ହେବ କୁଳପତି ଚୟନ
ଓପିଏସ୍ସି ଦ୍ବାରା ନିଯୁକ୍ତ ପ୍ରଫେସରଙ୍କ ଚାକିରି ବୈଧ ରହିବ
ବର୍ଷକୁ ଦୁଇ ଥର ସିନେଟ୍ ବୈଠକ ବାଧ୍ୟତାମୂଳକ
ପୂର୍ବରୁ ବିଶ୍ବବିଦ୍ୟାଳୟରେ ସିନେଟ୍ ବ୍ୟବସ୍ଥା ଥିଲା, ଯାହା କି ସର୍ବୋଚ୍ଚ ପରାମର୍ଶଦାତା ସଂସ୍ଥା। ୨୦୨୦ରେ ଏହାକୁ ଉଚ୍ଛେଦ କରାଯାଇଥିଲା। ଯେହେତୁ ସିନେଟ୍ ବୈଠକ ନିୟମିତ ବସୁନି, ତେଣୁ ଏହାର ଆବଶ୍ୟକତା ନ ଥିବା ଯୁକ୍ତି ଦର୍ଶାଯାଇଥିଲା। କିନ୍ତୁ ଏବେ ସିନେଟ୍କୁ ପୁନଃପ୍ରଚଳନ କରାଯାଇଛି। ଏଥିରେ ୬୮ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ଥିଲା ବେଳେ ଅତି କମ୍ରେ ୩୭ ଜଣ ସଦସ୍ୟ ଶିକ୍ଷକ, ଶିକ୍ଷାବିତ୍ ଓ ଛାତ୍ରସମାଜରୁ ରହିବେ। ପ୍ରତି ବର୍ଷ ଦୁଇ ଥର ସିନେଟ୍ ବୈଠକ ବାଧ୍ୟତାମୂଳକ କରାଯାଇଛି। ଏବେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ଦ୍ବାରା ନିଯୁକ୍ତି ପ୍ରକ୍ରିୟା ବିକେନ୍ଦ୍ରୀକରଣ ହେବ। ନିଯୁକ୍ତି ପ୍ରକ୍ରିୟାରୁ ଓପିଏସ୍ସିକୁ ବାଦ୍ ଦେଇ ବିଶ୍ବବିଦ୍ୟାଳୟକୁ ସ୍ବାୟତ୍ତତା ପ୍ରଦାନ କରାଯାଇଛି। ଏହା ଦ୍ବାରା ନିଯୁକ୍ତି ପ୍ରକ୍ରିୟା ସମୟସାପେକ୍ଷ ନ ହୋଇ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହୋଇପାରିବ। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିୟମାବଳୀ ଆଧାରରେ ଏହାକୁ କରାଯିବ। ଯଦି କୌଣସି କାରଣରୁ ଗୋଟିଏ ବିଶ୍ବବିଦ୍ୟାଳୟର ନିଯୁକ୍ତି ପ୍ରକ୍ରିୟାରେ ଆଇନଗତ ପ୍ରତିବନ୍ଧକ ଲାଗେ, ତେବେ ଏହା ଅନ୍ୟ ବିଶ୍ବବିଦ୍ୟାଳୟକୁ ପ୍ରଭାବିତ କରିବ ନାହିଁ। ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତ ହେବା ଦ୍ୱାରା ସ୍ନାତକ ଓ ସ୍ନାତକୋତ୍ତର ସ୍ତରର ବିଭିନ୍ନ ପାଠ୍ୟକ୍ରମରେ ଶିକ୍ଷକ-ଛାତ୍ରଛାତ୍ରୀ ଅନୁପାତକୁ ସୁନିଶ୍ଚିତ କରାଯାଇପାରିବ। ୨୦୨୦ରେ ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ ପରେ ଓପିଏସ୍ସି ଦ୍ବାରା ନିଯୁକ୍ତି ପାଇଥିବା ପ୍ରଫେସରମାନଙ୍କ ଭାଗ୍ୟ କ’ଣ ହେବ, ତାହାକୁ ନେଇ ଆଶଙ୍କା ଦେଖାଦେଇଛି। କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ ସେମାନଙ୍କ ଚାକିରିରେ କୌଣସି ଅସୁବିଧା ନାହିଁ। ସେମାନଙ୍କ ନିଯୁକ୍ତି ବୈଧ ରହିବ।
ବିଶ୍ବବିଦ୍ୟାଳୟର ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛତା ଆଣିବାକୁ ମଧ୍ୟ ବିଲ୍ରେ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଲୋକାଲ୍ ଫଣ୍ଡ୍ ଅଡିଟ୍ ଦ୍ବାରା ବିଶ୍ବବିଦ୍ୟାଳୟର ଆୟବ୍ୟୟ ଅଡିଟ୍ ହେଉଥିଲା। କିନ୍ତୁ ନୂଆ ବ୍ୟବସ୍ଥାରେ ସିଏଜି ଅଡିଟ୍ ବାଧ୍ୟତାମୂଳକ କରାଯାଇଛି। ସିଏଜି ଅଡିଟ୍ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରାଯିବ। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦କୁ ନେଇ ସୁପ୍ରିମ୍କୋର୍ଟରେ ଚାଲିଥିବା ମାମଲାର ପୂର୍ଣ୍ଣଛେଦ ପାଇଁ ମଧ୍ୟ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।