ବିଧାନସଭାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ

ଭୁବନେଶ୍ବର: ବହୁ ହଟ୍ଟଗୋଳ ପରେ ଆଜି ବିଧାନସଭାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ ହୋଇଛି । ଏନେଇ ବିଜେପି ଓ କଂଗ୍ରେସର ବିଧାୟକମାନେ ବାରମ୍ବାର ହଟ୍ଟଗୋଳ କରିବା ସହ ଏହି ବିଲ୍ ପାରିତ ହେଲେ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଶାସକ ଦଳର ପ୍ରାର୍ଦୁଭାବ ବଢିବ ବୋଲି ବିରୋଧୀ ଅଭିଯୋଗ କରିଥିଲେ । ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଧ୍ୱନିମତ ସହାୟତାରେ ଏହି ବିଲକୁ ପାରିତ କରିନେଇଛନ୍ତି।

ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗର ଉତ୍ତର ଦେଇ ଶ୍ରୀ ସାହୁ କହିଛନ୍ତି କି କେନ୍ଦ୍ର ଓ ରାଜ୍ୟ ଆଇନ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ । ଅନ୍ୟ ରାଜ୍ୟରେ କୁଳପତି ଚୟନରେ ଯେଉଁ ବ୍ୟବସ୍ଥା ରହିଛି, ଆମ ରାଜ୍ୟରେ ଭିନ୍ନ । ସେହି ସବୁ ରାଜ୍ୟ କୁଳପତି ଚୟନରେ ସରକାର ହସ୍ତକ୍ଷେପ କରୁଛନ୍ତି । କିନ୍ତୁ ରାଜ୍ୟରେ ନିରପେକ୍ଷତା ଓ ସ୍ୱଚ୍ଛତା ଭିତରେ କୁଳପତି ଚୟନ କରାଯାଇଥାଏ ।

ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ରାଜ୍ୟପାଳ ନିଯୁକ୍ତି କରିଥାନ୍ତି । ରାଜ୍ୟପାଳ ନଭେମ୍ବର ୨୦୧୮ରେ ଅଧ୍ୟାପକ ନିଯୁକ୍ତି ଓପିଏସସି ମାଧ୍ୟମରେ କରିବାକୁ ପ୍ରସ୍ତାବ ଦେଇଥିଲେ । ସେହି ଅନୁସାରେ ରାଜ୍ୟ ସରକାର ବିଲରେ ବ୍ୟବସ୍ଥା କରିଛନ୍ତି । ସିନେଟ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ସିଣ୍ଡିକେଟ ବ୍ୟବସ୍ଥାକୁ ଅଧିକ ମଜଭୁତ କରାଯାଇଛି । ଜାତୀୟ ଶିକ୍ଷା ନୀତିକୁ ଅଧିକ ତର୍ଜମା କରିବାକୁ କମିଟି ଗଠନ ହୋଇଯାଇଛି।

 

ସମ୍ବନ୍ଧିତ ଖବର