ବିଶ୍ୱବିଦ୍ୟାଳୟ ନିଯୁକ୍ତି ପ୍ରକ୍ରିୟା ବନ୍ଦ

ଭୁବନେଶ୍ୱର : ଓଡ଼ିଶା ସମେତ ସାରା ଦେଶରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟା ପ୍ରଭାବିତ ହୋଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ସଂରକ୍ଷିତ ନୀତିକୁ ନେଇ ସୁପ୍ରିମ୍‌କୋର୍ଟରେ ମାମଲା ଚାଲିଥିବାରୁ କେନ୍ଦ୍ରୀୟ, ରାଜ୍ୟ ଓ ଡିମ୍‌ଡ ବିଶ୍ୱବିଦ୍ୟାଳୟରେ ଏହି ସମୟ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ନ କରିବାକୁ ୟୁଜିସି ପକ୍ଷରୁ କୁହାଯାଇଛି। ଯେଉଁଥିପାଇଁ ଓଡ଼ିଶାରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ଚାଲିଥିବା ନିଯୁକ୍ତି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି।

ଜୁଲାଇ ୧୯ ତାରିଖରେ ଏନେଇ ୟୁଜିସି ପକ୍ଷରୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଚିଠି (ନମ୍ବର-F-1-5/2006) ପଠାଯାଇଥିଲା। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ (ଚିଠି ନମ୍ବର-୨୦୯୭୮) ୨୪ ତାରିଖରେ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନିକଟକୁ ଚିଠି ଦିଆଯାଇଥିଲା। ଚିଠି ପାଇବା ପରେ ବି କିଛି ବିଶ୍ୱବିଦ୍ୟାଳୟ ନିଯୁକ୍ତି ପ୍ରକ୍ରିୟା ଜାରି ରଖିଥିଲେ। ଏପରିକି ଗତ ୨୫ ତାରିଖରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜର୍ଣ୍ଣାଲିଜିମ୍‌ ଓ ମାସ୍‌ କମ୍ୟୁନିକେସନ ବିଭାଗର ଟିଚିଂ ପଦ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସାରା ଦେଶରୁ ଆବେଦନ କରିଥିବା ଆଶାୟୀ ପରୀକ୍ଷା ଦେବାକୁ ଆସିଥିବା ବେଳେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେମାନେ ଯୁକ୍ତି ବାଢ଼ିଥିଲେ ଯେ ଗତ ୧୯ ତାରିଖରୁ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟା ଉପରେ ୟୁଜିସି ପକ୍ଷରୁ ରୋକ୍‌ ଲଗାଯାଇଛି। ଏହାପରେ ବି ନିଯୁକ୍ତି ପ୍ରକ୍ରିୟା କିଭଳି ହେଉଛି। ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଏହାର ଉତ୍ତରରେ ସଫେଇ ଦେଇଥିଲେ ଯେ ଆମେ ଜାଣିନୁ। ଆମ ପାଖକୁ ୟୁଜିସିର କୌଣସି ଚିଠି ପହଞ୍ଚି ନାହିଁ। ଚିଠି ଆସିଲେ ପଦକ୍ଷେପ ନେବୁ। ହେଲେ ବିଶ୍ୱବିଦ୍ୟାଳୟ କୁଳସଚିବ ସେହି ୨୫ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିରେ କୁହାଯାଇଥିଲା ଯେ ଜୁଲାଇ ୨୭ରୁ ୨୯ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏମ୍‌ବିଏ ଓ ଅଗଷ୍ଟ ୩ରେ ହେବାକୁ ଥିବା ହିନ୍ଦୀ ବିଷୟର ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦ ପାଇଁ ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ ରଖାଗଲା। ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ।

ଯଦି ୟୁଜିସି ପକ୍ଷରୁ ଜୁଲାଇ ୧୯ରୁ ବିଜ୍ଞପ୍ତି ବାହାରିଲାଣି ତେବେ ରମାଦେବୀ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଜାଣିପାରିଲେ ନାହିଁ କେମିତି? ୟୁଜିସି ପକ୍ଷରୁ ଓ୍ଵବସାଇଟ୍‌ରେ ଚିଠି ଛଡ଼ାଯାଇଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଆଉ କିଭଳି ଚିଠିକୁ ଅପେକ୍ଷା କରିଥିଲେ? ଯଦି ୟୁଜିସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ଧରାଯିବ ତେବେ ଜୁଲାଇ ୧୯ରୁ ୨୫ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ନିଯୁକ୍ତି ପରୀକ୍ଷାର ଭାଗ୍ୟ କ’ଣ ହେବ? ଯେଉଁମାନେ ପରୀକ୍ଷା ଦେଇଛନ୍ତି ସେମାନଙ୍କ ପାଇଁ ଆଉଥରେ ପରୀକ୍ଷା ହେବ କି? ପରୀକ୍ଷା ଦେଇଥିବା ଆଶାୟୀଙ୍କ ମଧ୍ୟରେ ଏବେ ଏଭଳି ପ୍ରଶ୍ନ ଉଙ୍କି ମାରିଛି। ଏନେଇ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନାହିଁ। ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ ନିଯୁକ୍ତି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। କେଉଁଠି ବିଜ୍ଞପ୍ତି ପ୍ରକାଶ ପାଇଛି ତ ଆଉ କେଉଁଠି ଆଶାୟୀଙ୍କ ପରୀକ୍ଷା ଦେବା ପାଇଁ ଡକାଯାଇଛି। ହେଲେ ତାହାକୁ ଏବେ ବାତିଲ କରାଯାଉଛି। ଏମିତିକି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଯେଉଁଦିନ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିଲା ସେହିଦିନ ଚିଠି ମିଳିବା ପରେ ବିଜ୍ଞପ୍ତି ହିଁ ବାହାରି ପାରି ନାହିଁ।

ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଛନ୍ତି ଯେ ଏହାଦ୍ୱାରା ନିଯୁକ୍ତି ପ୍ରକ୍ରିୟା ଅବଶ୍ୟ ବାଧାପ୍ରାପ୍ତ ହୋଇଛି। ତଥାପି ୟୁଜିସି ଉପରେ ଆମେ ନୁହେଁ। ସଂରକ୍ଷିତ ବ୍ୟବସ୍ଥାକୁ ନେଇ କୋର୍ଟରେ ମାମଲା ଥିବାରୁ ୟୁଜିସି ଏଭଳି ନିଷ୍ପତ୍ତି ନେଇଛି। ଯଦି ତାହାକୁ ନ ମାନି ନିଯୁକ୍ତି ପ୍ରକ୍ରିୟା କରାଯାଏ ତେବେ ପରେ ବାତିଲ୍‌ କରିବାକୁ ପଡ଼ିବ। ତେଣୁ ଆମେ ଏବେ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖିଛୁ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା କହିଛନ୍ତି ଯେ ଯେଉଁଦିନ ଟିଚିଂ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବାର ଥିଲା ସେଦିନ ଚିଠି ପହଞ୍ଚିଲା। ତେଣୁ ଆମେ ବାଧ୍ୟ ହୋଇ ନିଯୁକ୍ତି ପ୍ରକ୍ରୟାକୁ ବନ୍ଦ ରଖିଲୁ। ଆଉ ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ। ୟୁଜିସି ପକ୍ଷରୁ ଅନୁମତି ମିଳିଲେ ଆମେ ଏ ଦିଗରେ ପଦକ୍ଷେପ ନେବୁ। ଅଗଷ୍ଟ ୧୩ରେ ସମସ୍ୟାର ସମାଧାନ ହୋଇଯିବ।

ସମ୍ବନ୍ଧିତ ଖବର