ଗବେଷଣା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ଗୁରୁତ୍ୱ ଦିଅନ୍ତୁ: ପ୍ରଣବ ମୁଖାର୍ଜୀ

ରେଭେନ୍ସା ବିଶ୍ୱବିଦ୍ୟାଳୟ ଉନ୍ନୟନ ଟ୍ରଷ୍ଟର ସପ୍ତମ ବକ୍ତୃତା କାର୍ଯ୍ୟକ୍ରମ

କଟକ: ଆଜିର ବିଶ୍ୱବିଦ୍ୟାଳୟ ଓ ଛାତ୍ରଛାତ୍ରୀ ଗବେଷଣା କରି କିଛି ନୂଆ ଉଦ୍ଭାବନ କରିବା କ୍ଷେତ୍ରରେ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି। ଦେଶର ସ୍ୱାଧୀନତା ପରେ ଆମେ ଉଚ୍ଚଶିକ୍ଷା କ୍ଷେତ୍ରରେ ଅନେକ ଆଗକୁ ଯାଇଛୁ। ଦେଶରେ ୭୬୭ଟି ବିଶ୍ୱବିଦ୍ୟାଳୟ ଓ ୩୭ ହଜାରରୁ ଅଧିକ ସ୍ନାତକ କଲେଜ ରହିଛି। ମାତ୍ର ଆମ ଉଚ୍ଚଶିକ୍ଷା ବ୍ୟବସ୍ଥା ଗବେଷଣାକୁ ଗୁରୁତ୍ୱ ଦେବାକୁ ଭୁଲିଯାଇଛିି। ଦେଶର ଇତିହାସରେ ଲିପିବଦ୍ଧ ଥିବା ନାଳନ୍ଦା, ତକ୍ଷଶୀଳା, ବିକ୍ରମଶୀଳା ପରି ଶିକ୍ଷାନୁଷ୍ଠାନ ପୃଥୀବିର ବିଭିନ୍ନ ଅଂଶରୁ ବୁଦ୍ଧିମାନ ଶିକ୍ଷକ ଓ ଛାତ୍ରମାନଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛନ୍ତି। ଗବେଷଣାକୁ ଅଧିକ ଗୁରୁତ୍ୱ ଦେବା ହିଁ ଏହି ଶିକ୍ଷାନୁଷ୍ଠାନଗୁଡିକ ଅନ୍ୟମାନଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛନ୍ତି ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟ ଉନ୍ନୟନ ଟ୍ରଷ୍ଟର ସପ୍ତମ ବକ୍ତୃତା କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପୂବର୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି।

ବିଶ୍ୱବିଦ୍ୟାଳୟର ସେଭେନ୍‌ ପିଲାର୍ସ ସ୍ଥିତ ଆନେକ୍ସ-୧ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମୁଖାର୍ଜୀ ଆହୁରି ମଧ୍ୟ କହିଲେ, ଦେଶର ଉଚ୍ଚଶିକ୍ଷାନୁଷ୍ଠାନଗୁଡିକ ତିନୋଟି ବିଷୟ ପ୍ରତି ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ପ୍ରଥମେ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକ ନିଜ ନିଜ ଭିତରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଅଦଳବଦଳ କରିବା ଆବଶ୍ୟକ। ଦ୍ୱିତୀୟରେ ଶିକ୍ଷାନୁଷ୍ଠାନଗୁଡିକୁ ସ୍ଥାନୀୟ ଶିଳ୍ପ ଓ ବିଭିନ୍ନ କାର୍ଯ୍ୟକ୍ଷେତ୍ର ସହ ସଂଯୁକ୍ତ ହେବା ଜରୁରୀ। ତୃତୀୟରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକ ଗବେଷଣା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବା ସହ ଅଧିକ ଅର୍ଥ ଲଗାଇବା ଦିଗରେ ଉଦ୍ୟମ କରିବା ନିହାତି ଆବଶ୍ୟକ। ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇରହିଛି। ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଆଗକୁ ବଢିଚାଲନ୍ତୁ। ସେମାନଙ୍କ ପଛରେ ଶିକ୍ଷକଙ୍କ ଆଶୀର୍ବାଦ ରହିଛି ବୋଲି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ଶ୍ରୀ ମୁଖାର୍ଜୀ ମଧ୍ୟ ଏହା କହିଛନ୍ତି।

ଉତ୍ସବରେ ଯୋଗଦେଇ ଶ୍ରୀ ମୁଖାର୍ଜୀ ଉନ୍ନୟନ ଟ୍ରଷ୍ଟର ପୂର୍ବତନ ଅଧ୍ୟକ୍ଷ ତଥା ପୂବର୍ତନ ପୁଲିସ ଡିଜି ଅମୀୟ ଭୂଷଣ ତ୍ରିପାଠୀଙ୍କ ଦ୍ୱାରା ରଚିତ ପୁସ୍ତକ ‘ଟ୍ରଷ୍ଟ ସାର୍ଥକତା’କୁ ଉନ୍ମୋଚନ କରିଥିବା ବେଳେ ଟ୍ରଷ୍ଟର ଅଧ୍ୟକ୍ଷ ନାଟ୍ୟକାର ଅନନ୍ତ ମହାପାତ୍ର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡଙ୍ଗୀ ଅତିଥି ପରିଚୟ ଦେଇଥିବା ବେଳେ ଟ୍ରଷ୍ଟର ସଂପାଦକ ଡକ୍ଟର ପଦନ କୁମାର ଜେନା ଧନ୍ୟବାଦ ଦେଇଥିଲେ। ଡକ୍ଟର ସଂଜୟ କୁମାର ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉତ୍ସରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ବିଶ୍ୱବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର