ମାର୍ଚ ୪ ରେ ବିଶ୍ୱବିଦ୍ୟାଳୟ ଓ କଲେଜ ଶିକ୍ଷକ ମହାସଂଘର ସମାବେଶ

ୟୁଜିସି ବେତନ ହାର ପ୍ରଦାନ ଓ ୟୁଜିସି ଦରମାହାରର ସଂପ୍ରସାରଣ ଦାବି

ଭୁବନେଶ୍ୱର : ସପ୍ତମ ସଂଶୋଧିତ ୟୁଜିସି ବେତନ ହାର ପ୍ରଦାନ ଏବଂ ୟୁଜିସି ଦରମା ହାରର ସଂପ୍ରସାରଣ ଦାବିରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ମିଳିତ କ୍ରିୟାନୁଷ୍ଠାନ ପରିଷଦ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛି।

ଉତ୍କଳ ବିଶ୍ୱବିଦ୍ୟାଳୟ ଫ୍ୟାକଲ୍ଟି କ୍ଲବଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆବାହକ ରବି ରାୟ କହିଛନ୍ତି, ଓଡ଼ିଶାରେ ଷଷ୍ଠ ବେତନହାର ସମ୍ପର୍କିତ ଚାକିରି ସର୍ତାବଳୀ ଏପର୍ଯ୍ୟନ୍ତ ଲାଗୁ କରାଗଲାନାହିଁ। ଏହା ଦ୍ୱାରା ସରକାର ଜାଣିଶୁଣି ଅନେକ ଅଧ୍ୟାପକ, ଅଧ୍ୟାପିକାଙ୍କୁ ପଦୋନ୍ନତି ସୁଯୋଗରୁ ବଞ୍ଚିତ କରିଛନ୍ତି।

ବାରମ୍ବାର ଧାରଣା, ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉନାହିଁ। ତେଣୁ ସଂଘ ବାଧ୍ୟ ହୋଇ ଏଥର ଏହି ଚରମ ପଦକ୍ଷେପ ଗ୍ରହଣ କରୁଛି। ସରକାର ତୁରନ୍ତ କଲେଜ ଗୁଡ଼ିକରେ ରାଜ୍ୟ ଦରମା ହାରରେ ଚାକିରି କରୁଥିବା ଅଧ୍ୟାପକଙ୍କୁ ୟୁଜୁସି ଦରମା ହାରରେ ଅନ୍ତର୍ଭୁକ୍ତ କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର ଉପସଭାପତି ମହେଶ୍ୱର ସାହୁ ଦାବି କରିଛନ୍ତି।

ୟୁଜିସି ଦରମା ହାର ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଭୂମିକା ମଧ୍ୟ ନୈରାଶ୍ୟଜନକ ବୋଲି ସଂଘ କହିଛି। ପୂର୍ବବର୍ଷ ପରି ରାଜ୍ୟକୁ ବର୍ଦ୍ଧିତ ଦରମାହାର ବ୍ୟୟର ୮୦ ଭାଗ ଦିଆନଯାଇ ୩ ବର୍ଷ ପାଇଁ ୫୦ ଭାଗ ଦେବା ନେଇ ସଂଘ କ୍ଷୋଭ ପ୍ରକାଶ କରିଛି। ଅନ୍ୟମାନଙ୍କ ମଧ୍ୟରେ ହରିଶ୍ଚନ୍ଦ୍ର ନାୟକ, ମହମ୍ମଦ ଫକୀରଉଦ୍ଦିନ, କୁଞ୍ଜବିହାରୀ ପଣ୍ଡା, ଦୁଷ୍ମନ୍ତ କୁମାର ନାୟକ ଓ ସୁନୀଲ କୁମାର ରଥ ପ୍ରମୁଖ ସଂଘ ର କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର