ଭୁବନେଶ୍ୱର : ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାରଠାରୁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ବନ୍ଦ ରହିବ। କ୍ଲାସରୁମ୍ ପାଠପଢ଼ା ସହ ହଷ୍ଟେଲଗୁଡ଼ିକ ମଧ୍ୟ ବନ୍ଦ କରାଯାଇଛି। ଗତ ୭ ତାରିଖରେ ଏନେଇ ଘୋଷଣା କରାଯିବା ପରେ ଛାତ୍ରଛାତ୍ରୀ ରବିବାର ସନ୍ଧ୍ୟା ସୁଦ୍ଧା ହଷ୍ଟେଲ ଛାଡ଼ିଛନ୍ତି। ମାତ୍ର ସ୍କଲାର, ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଗବେଷଣା/ପ୍ରକଳ୍ପ କାର୍ଯ୍ୟ ଜାରି ରଖିବାକୁ କର୍ତୃପକ୍ଷ ଅନୁମତି ଦେଇଛନ୍ତି। ଅବଶ୍ୟ ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଅଣ୍ଡରଟେକିଂ ଦେଇଥିବା ଜଣାପଡ଼ିଛି।
ସରକାରୀ କର୍ମଚାରୀଙ୍କ ପାଇଁ ଜାରି ହୋଇଥିବା ନିର୍ଦେଶାବଳୀ ଅନୁଯାୟୀ ବିଶ୍ବବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ ଓ କଲେଜର ଶିକ୍ଷକ, କର୍ମଚାରୀମାନେ କାର୍ଯ୍ୟ କରିବେ। ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ସେମାନଙ୍କୁ ଅନ୍ଲାଇନ୍ କ୍ଲାସ, ଏକାଡେମିକ, ସେମି-ଏକାଡେମିକ୍, ପ୍ରଶାସନିକ କାର୍ଯ୍ୟରେ ନିୟୋଜିତ କରିପାରିବେ। ଉଚ୍ଚ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ସମସ୍ତ କୋଚିଂ ଶିକ୍ଷାନୁଷ୍ଠାନ, ସଂସ୍ଥା, କୋଚିଂ ସେବା ଦେଉଥିବା ବ୍ୟକ୍ତିବିଶେଷ ମଧ୍ୟ ସୋମବାରଠାରୁ ଅଫ୍ଲାଇନ୍ ପାଠପଢ଼ା ବନ୍ଦ କରିବେ। ତେବେ ଭର୍ଚୁଆଲ ତଥା ଅନ୍ଲାଇନ୍ ପାଠପଢ଼ା ଜାରି ରଖିପାରିବେ। ଶିକ୍ଷାନୁଷ୍ଠାନରେ ଜାରି ରହିଥିବା ସମସ୍ତ ଅଫ୍ଲାଇନ୍ ପରୀକ୍ଷା ନିର୍ଧାରିତ ସୂଚୀ ଅନୁଯାୟୀ କୋଭିଡ୍ କଟକଣା ମଧ୍ୟରେ ଚାଲିବ।
ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି, ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ କଲେଜରେ ଶନିବାରଠାରୁ ବାୟୋମେଟ୍ରିକ୍ ଉପସ୍ଥାନ ବନ୍ଦ ହେବା ସହ ଅଫ୍ଲାଇନ୍ ଉପସ୍ଥାନ ଆରମ୍ଭ ହୋଇଛି। ଜାନୁଆରି ୧୦ରୁ ୩୧ ପର୍ଯ୍ୟନ୍ତ କ୍ଲାସରୁମ୍ ଥିଓରି କିମ୍ବା ପ୍ରାକ୍ଟିକାଲ ପାଠପଢ଼ା ବନ୍ଦ ରହିବ ଏବଂ ଅନ୍ଲାଇନ୍ ପାଠପଢ଼ା ଚାଲିବ। ୫୦% କର୍ମଚାରୀଙ୍କୁ ନେଇ ଦୈନିକ କାର୍ଯ୍ୟ ଚାଲିବ। ବିଶ୍ବବିଦ୍ୟାଳୟ ଓ କଲେଜରେ କୌଣସି କାର୍ଯ୍ୟ ଯେପରି ପ୍ରଭାବିତ ନ ହୁଏ, ସେଥିପ୍ରତି କର୍ତୃପକ୍ଷ ଦୃଷ୍ଟି ଦେବେ। ଶିକ୍ଷକମାନେ କଲେଜ ଓ ବିଶ୍ବବିଦ୍ୟାଳୟକୁ ଆସିବାର ଆବଶ୍ୟକତା ନାହିଁ। ସେମାନଙ୍କ ଲାଗି ରୋଷ୍ଟର୍ ବ୍ୟବସ୍ଥା କରାଯିବ। ଘରେ ରହି ଅନ୍ଲାଇନ୍ରେ କ୍ଲାସ ନେବେ। ଦିବ୍ୟାଙ୍ଗ ଶିକ୍ଷକମାନେ ଘରେ ରହି ଅନ୍ଲାଇନ୍ରେ ପଢ଼ାଇ ପାରିବେ। ଜାନୁଆରି ୩୧ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ଅଫ୍ଲାଇନ୍ ପରୀକ୍ଷା ସ୍ଥଗିତ ରହିବ।