ବିଜେପି କହିଲା ଶିକ୍ଷାର ମାନଦଣ୍ଡ କମିବ
ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ
ସମର୍ଥନରେ ବାହାରିଲେ ଛାତ୍ର ବିଜେଡି ନେତା
ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟ ପରିଚାଳନା ନିୟମରେ ପରିବର୍ତ୍ତନ ଆଣିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ପ୍ରବଳ ବିରୋଧ ଜାରି ରହିଛି। ଗତକାଲି ଏବିଭିପି ସମେତ ବିଭିନ୍ନ ଛାତ୍ର ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଆଜି ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଶ୍ୱବିଦ୍ୟାଳୟଗୁଡ଼ିକର ଅମଲାତାନ୍ତ୍ରୀକରଣ, ରାଜନୀତିକାରଣ ଓ ଶିକ୍ଷାର ମାନଦଣ୍ଡ ହ୍ରାସ କରିବାର ଚକ୍ରାନ୍ତ କରାଯାଉଛି ବୋଲି ଅଭିଯୋଗ କରାଯାଇଛି। ସେପଟେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଉତ୍କଳ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ଅନୁରୂପ ଭାବେ ଆଇନ ସଂଶୋଧନ ନିଷ୍ପତ୍ତିକୁ ସ୍ୱାଗତ କରି ଆଜି ଛାତ୍ର ବିଜେଡ଼ି ପକ୍ଷରୁ ବାଣୀବିହାର ସମ୍ମୁଖରେ ଶୋଭାଯାତ୍ରା କରାଯାଇଛି।
ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ କ୍ୟାବିନେଟର ଏହି ନିଷ୍ପତ୍ତି ବିଶ୍ଵବିଦ୍ୟାଳୟଗୁଡ଼ିକର ଅଟୋନମି ନଷ୍ଟ କରିବ। ଗବେଷଣା ଓ ଗୁଣାତ୍ମକ ଶିକ୍ଷାର ମାନ କମିବ। ଓପିଏସସିର ସେତିକି ସମର୍ଥ ନାହିଁ ଯେ ପ୍ରଫେସରମାନଙ୍କୁ ଚୟନ କରିବ। ବିଶ୍ୱବିଦ୍ୟାଳୟରୁ ସିନେଟ ହଟାଇବା ଦର୍ଶାଉଛି ଏହା ପଛରେ ଏକ ଷଡଯନ୍ତ୍ର ରହିଛି। ନିଯୁକ୍ତି, କୁଳପତି ଚୟନ ଓ ବିଶ୍ଵବିଦ୍ୟାଳୟ ପରିଚାଳନାକୁ ସରକାର ନିଜ ନିୟନ୍ତ୍ରଣକୁ ଆଣିବାକୁ ଯୋଜନା କରିଛନ୍ତି। ଅନ୍ୟତମ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଏହା ତରବରିଆ ଓ ଆବଶ୍ୟକତାହୀନ ନିଷ୍ପତି। ସିନେଟ୍ ଅଚଳ ହେଲା ବୋଲି ସରକାର କହୁଛନ୍ତି। ତାକୁ କିଏ ଅଚଳ କଲା, ତାର ଉତ୍ତର ରାଜ୍ୟ ସରକାର ଦିଅନ୍ତୁ। ବିଶ୍ଵବିଦ୍ୟାଳୟ ଖର୍ଚ୍ଚର ବିବରଣୀ ବିଧାନସଭାରେ ଉପସ୍ଥାପନା କରାନଯିବା ନିଷ୍ପତ୍ତି କାହା ସ୍ୱାର୍ଥରେ। ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ ଉଚ୍ଚଶିକ୍ଷା ସମ୍ପର୍କିତ ଆଇନ୍ ପ୍ରଣୟନ କେନ୍ଦ୍ର ସରକାରଙ୍କ ବ୍ୟାପାର। ପରିବର୍ତ୍ତନ ପୂର୍ବରୁ ରାଜ୍ୟ ସରକାର ଉଚିତ ପରାମର୍ଶ ନେଇଛନ୍ତି ତ? ନା ରଥଯାତ୍ରା ସମୟରେ ଯେଭଳି ସରକାର ନ୍ୟାୟିକ ଲଢେଇରେ ହାରିଲେ ସେଭଳି ସ୍ଥିତି ହେବନି ତ? ବିଶ୍ଵ ବିଦ୍ୟାଳୟକୁ ମହାବିଦ୍ୟାଳୟରେ ପରିଣତ କରିବାକୁ ସରକାର ଚେଷ୍ଟା କରୁଛନ୍ତି। ଅଧ୍ୟାଦେଶକୁ ମୋହର ଲଗାଇବା ପୂର୍ବରୁ ସରକାର ତର୍ଜମା କରନ୍ତୁ। ନ ହେଲେ ଭୟଙ୍କର ପରିସ୍ଥିତି ଉପୁଜିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଛାତ୍ର ଓ ଯୁବ କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି ଯେ ଜାତୀୟ ଶିକ୍ଷା ନୀତିରେ ସ୍ୱୟଂଶାସିତ କଥା କୁହାଯାଉଥିବା ବେଳେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ କ୍ଷମତା ସଙ୍କୁଚିତ କରିବାକୁ ଉଦ୍ୟମ କରୁଛନ୍ତି। ବିଶ୍ୱବିଦ୍ୟାଳୟ ସିଣ୍ଡିକେଟରେ ପ୍ରଶାସକଙ୍କ କଣ ଆବଶ୍ୟକତା ରହିଛି? ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦ୍ୱାରା ବିଶ୍ୱବିଦ୍ୟାଳୟ ଗବେଷଣା, ନୂଆ ପ୍ରକଳ୍ପ କାର୍ଯ୍ୟକାରୀ କ୍ଷେତ୍ରରେ ସମସ୍ୟା ହେବ। କେନ୍ଦ୍ରୀୟ ସ୍ତରରେ ପ୍ରତି ବିଶ୍ୱବିଦ୍ୟାଳୟର ନିଜସ୍ୱ ଆଇନ ଓ ନିୟମ ରହିଛି। ଯେଉଁଥିପାଇଁ ସେମାନେ ରାଜ୍ୟ ବିଶ୍ୱବିଦ୍ୟାଳୟ ତୁଳନାରେ ବହୁ ଆଗରେ ଅଛନ୍ତି। ଓପିଏସସି ଦ୍ୱାରା ବିଶ୍ୱବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହେବା ଦ୍ୱାରା ବହୁ ବିଳମ୍ବ ହେବ। ଏମିତିରେ ଓପିଏସସି ଦୁର୍ନୀତି ମୁକ୍ତ ନୁହେଁ। ବର୍ଷ ବର୍ଷ ଧରି ନିଯୁକ୍ତି ପ୍ରକ୍ରିୟା ଚାଲୁଛି ଯେ ସରୁନି। ସରକାରୀ କଲେଜରେ ଅଧ୍ୟାପକ ନିଯୁକ୍ତି ପାଇଁ ୩ରୁ ୪ ବର୍ଷ ପର୍ଯ୍ୟନ୍ତ ସମୟ ଲାଗୁଛି। ଯଦି ଜଣେ କୁଳପତି ୬୭ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ ତେବେ ପ୍ରଫେସରଙ୍କ କାର୍ଯ୍ୟକାଳ କାହିଁକି ବୃଦ୍ଧି କରାଯିବ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ବିଜେପି ଓ କଂଗ୍ରେସ ଆଣିଥିବା ଅଭିଯୋଗର ଜବାବ ରଖିଛି ବିଜେଡ଼ି। ଦଳର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ ଉଚ୍ଚଶିକ୍ଷା ସମ୍ପର୍କରେ ଯେଉଁ ସଂସ୍କାର ଅଣାଯାଇଛି ସେନେଇ ଅନେକ ବିଚାର ବିମର୍ଶ ହୋଇଛି ଏବଂ ଶିକ୍ଷାବିତଙ୍କ ସହ ବି ଆଲୋଚନା ହୋଇଛି। ଆର୍ଡିନାନ୍ସ ଆଣିବାରେ କୌଣସି ତ୍ରୁଟି ବିଚ୍ୟୁତି ହୋଇନି କି ସମ୍ବିଧାନିକ ଆଇନର ସେମିତି କିଛି ଉଲଘଂନ ହୋଇ ନାହିଁ। ଏହାଦ୍ୱାରା ବିଶ୍ୱବିଦ୍ୟାଳୟର ଅଟୋନୋମି ଓ ଆକାଉଣ୍ଟବିଲିଟ ରହିବ। ଉଚ୍ଚଶିକ୍ଷା କ୍ଷେତ୍ରରେ ମାନ ବୃଦ୍ଧି ହେବ। ଓପିଏସସି ଦ୍ୱାରା ଚୟନ ବେଳେ ଏକ ଷ୍ଟାଣ୍ଡାଡ଼ ମେଣ୍ଟନ ହେବ। ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଏହା ସହାୟକ ହେବ। ବିଶ୍ୱବିଦ୍ୟାଳୟକୁ କେମିତି ଅଧିକ କ୍ରିୟାଶୀଳ ଓ ଫଳପ୍ରଦ କରାଯାଇ ପାରିବ ସେଥିପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ ଭାବୁଛନ୍ତି ଜନ ଆନ୍ଦୋଳନ କରି ପ୍ରତ୍ୟେକ କଥାରେ ରାଜନୀତି କରିବେ ତାହା ଦ୍ୱାରା ସେମାନଙ୍କର କିଛି ଫାଇଦା ହେବନି କି ଲୋକମାନେ ବି ସେମାନଙ୍କ କଥାରେ ପ୍ରଭାବିତ ହେବେ ନାହିଁ।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ପ୍ରଣୀତ ନୂଆ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ତଥା ଛାତ୍ର ବିଜେଡିର ସଦସ୍ୟମାନେ ସ୍ୱାଗତ କରିଛନ୍ତି। ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ରାଜେଶରାଜ ସ୍ବାଇଁଙ୍କ ନେତୃତ୍ୱରେ ସୌମ୍ୟରଂଜନ ମହାପାତ୍ର, ରଶ୍ମିରଞ୍ଜନ ପରିଡା, ଅରୁପ ଶ୍ରୀଚନ୍ଦନ, ଜ୍ଞାନରାଜ ପଟ୍ଟନାୟକ, ଅନିଶ ରଥଙ୍କ ସମେତ ଅନେକ ଛାତ୍ରମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/3.university-sanmanku-khurna-karibare-rajyasarkarnka-dwara-prayajita-hina-chakranta-birodhare-utkal-university-samukhare-chatra-o-yuba-Congress-ra-mantri-arun-sahoo-nka-kusaputalika-daha.jpg)