ଭୁବନେଶ୍ବର: ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ପ୍ରସଙ୍ଗ ନେଇ ଓଡ଼ିଶା ପଡ଼ୁଛି ଉଠୁଛି। ହେଲେ ରାଜ୍ୟ ସରକାର ଏ ପ୍ରସଙ୍ଗରେ ଏଯାଏଁ ମୁହଁଖୋଲୁନାହାନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ପ୍ରସଙ୍ଗରେ ବିତର୍କର ଆହ୍ବାନ କରିଛନ୍ତି। ହେଲେ ସଂପ୍ରତି ବିଧାନସଭା ଅଧିବେଶନ ଜାରି ରହିଥିଲେ ମଧ୍ୟ ଏ ପ୍ରସଙ୍ଗରେ ଗୃହରେ ଯେଭଳି ପ୍ରତିକ୍ରିୟା ପ୍ରକାଶ ପାଇବା କଥା ତାହା ଦେଖିବାକୁ ମିଳୁନାହିଁ। ଆଜି ଶୂନ୍ୟକାଳରେ ବିଜେଡି ବିଧାୟକ ଗଣେଶ୍ବର ବେହେରା ଓ ଧ୍ରୁବ ସାହୁ ଏ ପ୍ରସଙ୍ଗ ଉଠାଇଥିଲେ। ହେଲେ ଏହାକୁ ନେଇ ଗୃହରେ ଆଲୋଚନା ଆଗକୁ ବଢ଼ିପାରିନଥିଲା। ଠିକ୍ ଏମିତି ସମୟରେ କିନ୍ତୁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ମନ୍ତବ୍ୟ ଆଲୋଚନାର ବିଷୟ ହୋଇଛି। ମନ୍ତ୍ରୀ ସରକାରୀ ଭାବେ ମତ ରଖିବା ପରିବର୍ତ୍ତେ ବ୍ୟକ୍ତିଗତ ମତ ବୋଲି କହି ଧର୍ମେନ୍ଦ୍ରଙ୍କ ବକ୍ତବ୍ୟକୁ ସମର୍ଥନ ଜଣାଇଛନ୍ତି। ସିଧାସଳଖ ନାମ ପରିବର୍ତ୍ତନକୁ ହଁ କରି ନ ଥିଲେ ହେଁ ରେଭେନ୍ସାଙ୍କର ଓଡ଼ିଶା ପ୍ରତି ଅବଦାନ ଉପରେ ପ୍ରଶ୍ନଚିହ୍ନ ଆଙ୍କିଛନ୍ତି। ଏଥିସହ ନାମ ପରିବର୍ତ୍ତନ ପ୍ରସ୍ତାବ ଉପରେ ତର୍ଜମା କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ମନ୍ତ୍ରୀଙ୍କର ଏଭଳି ଉତ୍ତର ଏବେ ଏହି ପ୍ରସଙ୍ଗକୁ ଅଧିକ ବିବାଦୀୟ କରିଛି। ସରକାରୀ ଭାବେ ମନ୍ତ୍ରୀ କାହିଁକି ଏ ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି, ତାହା ଉପରେ ବି ପ୍ରଶ୍ନ ଚିହ୍ନ ଲାଗିଲାଣି।
ରେଭେନ୍ସାଙ୍କୁ ନେଇ ପ୍ରଶ୍ନ ଉଠାଇଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ବ୍ୟକ୍ତିଗତ ମତ କହି ଧର୍ମେନ୍ଦ୍ରଙ୍କୁ ସମର୍ଥନ ଜଣାଇଲେ
ଗଣେଶ୍ବର ଓ ଧ୍ରୁବ କହିଲେ, ଅନ୍ୟମାନେ ଚୁପ୍
ଉତ୍କଳ ବିଶ୍ବବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଭାଗନେବା ଅବସରରେ ମନ୍ତ୍ରୀ କହିଥିଲେ, ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ବିବାଦ ପଛର କାରଣ କ’ଣ ମୁଁ ଜାଣିପାରୁ ନାହିଁ। କେନ୍ଦ୍ରମନ୍ତ୍ରୀ ନିଜେ କହିଛନ୍ତି ଯେ ଏହା ତାଙ୍କର ବ୍ୟକ୍ତିଗତ ମତ। ତର୍ଜମା କରିବାକୁ ସମାଜକୁ ଛାଡ଼ିଛନ୍ତି। ଗଣତନ୍ତ୍ରର ସବୁଠାରୁ ବଡ଼ ସୌନ୍ଦର୍ଯ୍ୟ ହେଉଛି ଭିନ୍ନ ମତ। ଆମେ ଚାଇନା କିମ୍ବା ଉତ୍ତର କୋରିଆ ଭଳି ଦେଶରେ ରହୁ ନାହୁଁ ଯେ ଶାସକ ଯାହା କହି ଦେବ ତାହା ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ ହେବ। ସଭ୍ୟ ସମାଜ ଏହା ଉପରେ ତର୍ଜମା କରିବା ଦରକାର। ଆମେ ଚିନ୍ତା କରିବା ଦରକାର ଯେ କ’ଣ ପାଇଁ କନ୍ନଟପ୍ଲେସ୍ର ନାଁ ପରିବର୍ତ୍ତନ କରାଗଲା? କ’ଣ ପାଇଁ ‘କର୍ତ୍ତବ୍ୟ ପଥ’ର ନାଁ ଆସିଲା।
ରେଭେନ୍ସାଙ୍କ କାର୍ଯ୍ୟ ସମ୍ପର୍କରେ ଶ୍ରୀ ସୂରଜ କହିଲେ ରତ୍ନା ନାୟକଙ୍କ ନେତୃତ୍ବରେ କେନ୍ଦୁଝରରେ ହୋଇଥିବା ଭୂୟାଁ ଆନ୍ଦୋଳନକୁ ସେ ପ୍ରତିହତ କରିଥିଲେ। କେତେଜଣ ଓଡ଼ିଆଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଥିଲେ? କେତେଜଣଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲେ? କେତେଜଣ ଓଡ଼ିଆଙ୍କୁ କଳାପାଣି ପଠାଇଥିଲେ? କେତେଜଣ ଓଡ଼ିଆଙ୍କୁ ୧୦ ବର୍ଷ, ୧୨ ବର୍ଷ, ୧୫ ବର୍ଷ କାରାଦଣ୍ଡ ଦେଇଥିଲେ? ୧୮୬୬ ମସିହାରେ ଯେତେବେଳେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ସେତେବେଳେ ରେଭେନ୍ସା ସାହେବ କଣ କରୁଥିଲେ? ଏଠି ନ ରହି ୭୦ ଦିନିଆ ଟୁର୍ରେ ଗଡ଼ଜାତ ଅଞ୍ଚଳକୁ ବୁଲିବାକୁ ବାହାରିଥିଲେ। ତାଙ୍କୁ ଯେତେବେଳେ ରେଭିନ୍ୟୁ ବୋର୍ଡ ପକ୍ଷରୁ ପଚରାଯାଇଥିଲା କି ଓଡ଼ିଶାରେ ଖାଦ୍ୟଶସ୍ୟ ମହଜୁଦ ଅଛି କି? ସିଏ କହିଥିଲେ ହଁ ମହଜୁଦ ଅଛି, ଯେତେବେଳେ କି ବାଲେଶ୍ବର ଓ କଟକ ଜିଲ୍ଲାପାଳମାନେ ଏ କଥାକୁ ମନା କରିଥିଲେ। ମନ୍ତ୍ରୀ ଭାବେ ମୋ ମତ ସରକାରୀ ମତ ରହିବ। ମାତ୍ର ବ୍ୟକ୍ତିଗତ ମତ ହେଉଛି ଏହାର ତର୍ଜମା ହେବାର ଆବଶ୍ୟକତା ରହିଛି।
ମନ୍ତ୍ରୀ ଆହୁରି କହିଥିଲେ ଯେ ଓଡ଼ିଶାର ଅନେକ ବରପୁତ୍ର ରହିଛନ୍ତି। ସେମାନଙ୍କ ନାମରେ ବିଦେଶରେ କୌଣସି ସ୍ଥାନରେ କିଛି ନାମକରଣ ହୋଇଛି କି? ରେଭେନ୍ସା ବିଶ୍ବବିଦ୍ୟାଳୟ ପାଇଁ ଓଡ଼ିଶାର ବରପୁତ୍ରଙ୍କ ଅବଦାନ ରହିଛି। କର୍ମବୀର ଗୌରୀଶଙ୍କରଠାରୁ ଆରମ୍ଭ କରି ନୀଳକଣ୍ଠ ଦାସଙ୍କ ପର୍ଯ୍ୟନ୍ତ। ନାମ ପରିବର୍ତ୍ତନ ସମ୍ପର୍କରେ ପୂର୍ବରୁ ବି ଦାବି ହୋଇଛି। ୧୦୦ରୁ ଅଧିକ ପତ୍ରିକାରେ ରେଭେନ୍ସାଙ୍କ କାର୍ଯ୍ୟ ବିଷୟରେ ବହୁତ କିଛି ଲେଖାଯାଇଛି। ଏଠାରେ ଉଲ୍ଲେଖଥାଉକି, ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଲେ, ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସ୍ତାବ ଦୁର୍ଭାଗ୍ୟଜନକ। ଓଡ଼ିଆ ଅସ୍ମିତାର ବାର୍ତ୍ତାବହ ମଧୁ ବାବୁ ଯେତେବେଳେ ଇଂଲଣ୍ଡ ଗସ୍ତ କରିଥିଲେ ସେତେବେଳେ ତାଙ୍କୁ ସ୍ବାଗତ କରିବାକୁ ରେଭେନ୍ସା ନିଜେ ଉପସ୍ଥିତ ଥିଲେ। ଓଡ଼ିଆ ଜାତି ଓ ଭାଷା ପ୍ରତି ତାଙ୍କର ମମତା ଅତୁଳନୀୟ। ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରସ୍ତାବକ୍ରମେ ସେହି କଲେଜକୁ ରେଭେନ୍ସାଙ୍କ ନାମରେ ନାମିତ କରାଯାଇଥିଲା। ତେଣୁ ନାମ ବଦଳାଇବା ଓଡ଼ିଆ ଅସ୍ମିତା ପ୍ରତି କୁଠାରାଘାତ। ଏହା ଚିନ୍ତା ବିଭ୍ରାଟକୁ ସୂଚାଉଛି। ସେହିପରି ଧ୍ରୁବ ସାହୁ କହିଥିଲେ, ଇତିହାସକୁ ଯେଉଁମାନେ ପରିବର୍ତ୍ତନ କରିବାକୁ ଚାହୁଛନ୍ତି ଇତିହାସ ସେମାନଙ୍କୁ କ୍ଷମା ଦେବନି।