ଚଣ୍ତିଖୋଲ : ଯାଜପୁର ଜିଲ୍ଲାର ଚଣ୍ତିଖୋଲଠାରେ ପ୍ରତିଷ୍ଠା କରାଯାଇଥିବା ଉତ୍କଳ ବିଶ୍ବବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସ୍ର ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଛି। ଦେଢ଼ବର୍ଷ ହେବ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବାବେଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଉ ଅର୍ଥ ମଧ୍ୟ ମଞ୍ଜୁର କରାଯାଉନାହିଁ। ସେହିପରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ ରୋକ୍ ଲଗାଯାଇଛି। ଏବେ ଚଣ୍ତିଖୋଲସ୍ଥିତ ଗ୍ରାମୀଣ କ୍ୟାମ୍ପସରେ କେବଳ ବି.ଏସ୍.ସି (ନର୍ସିଂ) ପାଠ୍ୟକ୍ରମ ଚାଲୁରହିଛି। ଯାହାର ଅବଧି ଆସନ୍ତାବର୍ଷ ଶେଷ ହୋଇଯିବ। ଏହାପରେ ଏଠାରେ କେଉଁ ବିଷୟରେ ଶିକ୍ଷାଦାନ କରାଯିବା ତାହା ସ୍ପଷ୍ଟ ହୋଇନାହିଁ। ଫଳରେ ଗ୍ରାମୀଣ କ୍ୟାମ୍ପସ୍ର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ ଯେ, ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀ ଚଣ୍ତିଖୋଲଠାରେ ଉତ୍କଳ ବିଶ୍ବବିଦ୍ୟାଳୟର ଗ୍ରାମୀଣ କ୍ୟମ୍ପସ୍ ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ। ୨୦୧୭ମସିହାରେ ତତ୍କାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦ୍ବାରା ଏହି ଗ୍ରାମୀଣ କ୍ୟାମ୍ପସ୍ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ପ୍ରାୟ ୬୬ ଏକର ଅଞ୍ଚଳରେ ଏହି କ୍ୟାମ୍ପସ୍ ପ୍ରତିଷ୍ଠା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିନିମନ୍ତେ ୨୭ କୋଟି ଟଙ୍କା ବ୍ୟୟ ଅଟକଳ ରହିଥିଲା। ଯେଉଁଥିରେ ଐତିହ୍ୟ ଭବନ, ଛାତ୍ରାବାସ, ପ୍ରଶାସନିକ ଭବନ ,ଶ୍ରେଣୀଗୃହ ଆଦି ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହି ନିର୍ମାଣ କାର୍ଯ୍ୟ ପାଇଁ ବର୍ତ୍ତମାନ ସୁଦ୍ଧା ୧୩ କୋଟି ଟଙ୍କା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି। ଯାହାଫଳରେ, କେବଳ ଐତିହ୍ୟ ଭବନ ନିର୍ମାଣ ଶେଷ ହୋଇଥିବାବେଳେ ଅନ୍ୟ ସମସ୍ତ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏଠାରେ ୧୦ ଟି ପାଠ୍ୟକ୍ରମରେ ୩୯୦ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଲକ୍ଷ୍ୟ ରଖାଯାଇଥିଲା ଏବଂ ପରେ ପ୍ରତ୍ୟେକ ବର୍ଷ ନୂଆ ନୂଆ ବିଷୟରେ ଶିକ୍ଷାଦାନ କରାଯିବ ବୋଲି କୁହାଯାଇଥିଲା। ମାତ୍ର ତାହା ଆଜି ଯାଏ ତାହା ସମ୍ଭବ ହୋଇପାରିନାହିଁ।
୨୦୧୮-୧୯ ରେ ଏଠାରେ ଶିକ୍ଷାଦାନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇ ଚଣ୍ତିଖୋଲ ସ୍ଥିତ ବାବା ଭୈରବାନନ୍ଦ ମହାବିଦ୍ୟାଳୟ ସହ ଏକ ଚୁକ୍ତିନାମା କରାଯାଇ ସେହି କଲେଜ କ୍ୟାମ୍ପସରେ ପାଠ ପଢା ଆରମ୍ଭ କରାଯାଇଥିଲା। ୨୦୧୯-୨୦ ଶିକ୍ଷାବର୍ଷଠାରୁ ବି.ଏସ୍.ସି (ନର୍ସିଂ) ପାଠ୍ୟକ୍ରମ ୟୁଏଚ୍ଇସିଟି ଏକ ଘରୋଇ ସଂସ୍ଥା ସହବନ୍ଧିତରେ ଆରମ୍ଭ ହୋଇଥିଲା। ସ୍ଥାନ ଅଭାବ ପାଇଁ ବିଇଡି ଓ ଏମ୍ଇଡି ପାଠପଢା ଗ୍ରାମୀଣ କ୍ୟାମ୍ପସରେ ନହୋଇ ବାଣୀବିହାରଠାରେ ଘରୋଇ ସଂସ୍ଥାର ସହଭାଗିତାରେ ଚାଲିଛି। ଏହି ଗ୍ରାମୀଣ କ୍ୟାମ୍ପସରେ ବି.ଏସ୍.ସି (ନର୍ସିଂ) ପାଠପଢା ଦାୟିତ୍ବ ନେଇଥିବା ଘରୋଇ ସଂସ୍ଥା ୟୁଏଚ୍ଇସିଟିର ଅବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀ ଅଭିଯୋଗ ଉଠାଇବା ସହ ଅନେକବାର ଆନ୍ଦୋଳନକୁ ଓହ୍ଲାଇଥିଲେ। ନିକଟରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ସଂସ୍ଥାକୁ କାର୍ଯ୍ୟରୁ ଦୂରେଇ ଦେଇଛନ୍ତି। ବିଶ୍ବବିଦ୍ୟାଳୟ ପକ୍ଷରୁ ନୂତନ ନିଯୁକ୍ତି ପ୍ରଦାନ କରାଯାଇ ପାଠପଢା ଚାଲୁରହିଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ ରୋକ ଲଗାଯିବା ପରେ ଏହି ଗ୍ରାମୀଣ କ୍ୟାମ୍ପସ ପାଇଁ ଅନୁମୋଦିତ ୧୦ ଟି ପାଠ୍ୟକ୍ରମରୁ ୮ଟି ବନ୍ଦ ହେବା ନିଶ୍ଚିତ ହୋଇଯାଇଛି। ବିଏସ୍ସି ନର୍ସିଂ ପାଠ୍ୟକ୍ରମର ଅବଧି ଆସନ୍ତାବର୍ଷ ଶେଷ ହେବାପରେ ଏହି କ୍ୟାମ୍ପସ୍ରେ କ’ଣ ପଢ଼ାଯିବ, ତାହାର ଉତ୍ତର କାହାରି ପାଖରେ ନାହିଁ। ସେହିପରି ଆସନ୍ତା ଡିସେମ୍ବର ମାସରେ ବାବାଭୈରବାନନ୍ଦ ମହାବିଦ୍ୟାଳୟ ସହିତ ଉତ୍କଳ ବିଶ୍ବବିଦ୍ୟାଳୟର ହୋଇଥିବା ଚୁକ୍ତି ଅବଧି ଶେଷ ହୋଇଯିବ। କ୍ୟାମ୍ପସ୍ ଅଧାପନ୍ତରିଆ ହୋଇପଡ଼ିରହିଥିବା ବେଳେ ଆଗାମୀଦିନରେ କେଉଁ ଠାରେ ପାଠ ପଢାଯିବ, ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଧାପନ୍ତରିଆ କ୍ୟାମ୍ପସ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ନହେବା, ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ବନ୍ଦ ହେବା, ଏହି କ୍ୟାମ୍ପସ ପାଇଁ କୌଣସି ସ୍ଥାୟୀ ନିଯୁକ୍ତି ଦିଆନଯିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।