ସରକାରୀ ନିଷ୍ପତ୍ତି ମାନୁନାହାନ୍ତି ବିଶ୍ୱବିଦ୍ୟାଳୟ, ମେ’ ୩ ଭିତରେ ଖୋଲିବାକୁ ଉଦ୍ୟମ

ଭୁବନେଶ୍ୱର : ଏପ୍ରିଲ ୨୦ରୁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଖୋଲିବା ନେଇ କେତେକ କର୍ତ୍ତୃପକ୍ଷ ଆଜି ଅଣ୍ଟା ଭିଡ଼ିଛନ୍ତି। ବିଭିନ୍ନ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତ ୧୭ତାରିଖରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗଗୁଡ଼ିକ ପାଇଁ ଜାରି ହୋଇଥିବା ବିଜ୍ଞପ୍ତିକୁ ଆଧାର କରି ଖୋଲିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଭଳି ଏକ ଖବରକୁ ନେଇ ଆଜି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ତେବେ କୌଣସି ବି ବିଶ୍ୱବିଦ୍ୟାଳୟ ଏନେଇ ସ୍ପଷ୍ଟ ସୂଚନା ଦେଇ ନାହାନ୍ତି।

‘ସମ୍ବାଦ’ର ହସ୍ତଗତ ହୋଇଥିବା ଏକ ତଥ୍ୟ ଅନୁଯାୟୀ, ଭୁବନେଶ୍ୱରରେ ଥିବା ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ପ୍ରସ୍ତୁତ ରହିବାକୁ କୁଳସଚିବ କହିଛନ୍ତି। ୨୦ତାରିଖ ଭିତରେ ୩୩% କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରି ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ। ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତିକୁ ଆଧାର କରି ବିଶ୍ୱବିଦ୍ୟାଳୟର ଗ୍ରେଡ୍‌-ଏ ର ଅଧିକାରୀ ଅଫିସ୍ ଆସିବାକୁ କୁହାଯାଇଛି। କୁଳସଚିବଙ୍କ ଆଦେଶକୁ ଅନୁପାଳନ କରି ପରୀକ୍ଷା ନିୟନ୍ତ୍ରକ, ବିତ୍ତ ନିୟନ୍ତ୍ରକ, ଉପ କୁଳସଚିବ ଇତି ମଧ୍ୟରେ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିସାରିଥିବା ଜଣାପଡ଼ିଛି। ଏଭଳି ଏକ ତଥ୍ୟ ଭାଇରାଲ ହେବା ପରେ ଉତ୍କଳ, ରେଭେନ୍ସା, ସମ୍ବଲପୁର, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଉତ୍କଳ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ଗୁଜବକୁ ଖଣ୍ଡନ କରିଛନ୍ତି। ସେଭଳି କିଛି ନିଷ୍ପତ୍ତି ହୋଇ ନଥିବା ଉତ୍କଳ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜଣାଇଛନ୍ତି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଜୁଲାଇ ମଧ୍ୟରେ ରାଜ୍ୟର ୪ଟି ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତାହା ପୂର୍ବରୁ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ହେବାକୁ ଥିବା ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ କୁଳପତିମାନେ ଲାଗି ପଡ଼ିଛନ୍ତି। ଯେଉଁଥିପାଇଁ ଲକଡାଉନ୍‌ ସରିବା ପୂର୍ବରୁ ନିଯୁକ୍ତି ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗର ଅଧିକାରୀଙ୍କୁ ହାତ କରି ଆଗୁଆ ବିଶ୍ୱବିଦ୍ୟାଳୟ ଖୋଲିବାକୁ ବିଜ୍ଞପ୍ତି ଜାରି କରିବାକୁ ଚାପ ପକାଉଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଜୁନ୍ ୧୭ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷନୁଷ୍ଠାନ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏମିତିକି ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଥିଲେ ଯେ ବିଶ୍ୱବିଦ୍ୟାଳୟ ପାଇଁ ୟୁଜିସି ନିଷ୍ପତ୍ତି ନେବା ପରେ ଆମେ ପଦକ୍ଷେପ ନେବୁ। ଏହାପରେ ବି ବିଶ୍ୱବିଦ୍ୟାଳୟ ଆଗୁଆ ଖୋଲିବାକୁ କୁଳପତିମାନଙ୍କ ଅଗ୍ରହକୁ ନେଇ ଅନେକ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର