ବଦଳିଲା ବିଶ୍ୱବିଦ୍ୟାଳୟ ନିୟମ : ପୁନର୍ଗଠନ ହେବ ସିଣ୍ଡିକେଟ୍‌, ବନ୍ଦ ହେବ ସିନେଟ୍ ବ୍ୟବସ୍ଥା

କୁଳପତି ଚୟନ ପ୍ରକ୍ରିୟାରେ ସରକାର ଅଂଶୀଦାର ହେବେ

କୁଳପତିଙ୍କ କାର୍ଯ୍ୟକ‌ାଳ ୪ବର୍ଷ ହେବ, ଅବସର ବୟସ ୬୭କୁ ବୃଦ୍ଧି
ରେଭେନ୍ସା ବିଶ୍ବବିଦ୍ୟାଳୟ ଅଧିନିୟମ-୨୦୦୫ ଉଚ୍ଛେଦ ହେବ
ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମରେ ସଂଶୋଧନ

ଭୁବନେଶ୍ୱର : ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ସଂସ୍କାର ଆଣିବାକୁ ଯାଇ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ, ୧୯୮୯କୁ ସଂଶୋଧନ କରିବା ସଂକ୍ରାନ୍ତ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି କ୍ୟାବିନେଟ୍ ବସିଥିଲା। ଏଥିରେ ମୋଟ ଦୁଇଟି ପ୍ରସ୍ତାବ ପାରିତ ହୋଇଛି।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଥିଲେ ଯେ ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ, ୧୯୮୯ଅନୁସାରେ ପରିଚାଳିତ ହୁଅନ୍ତି।

କିନ୍ତୁ ଏହି ଅଧିନିୟମରେ ଥିବା କିଛି ବ୍ୟବସ୍ଥା ବର୍ତମାନ ପରିସ୍ଥିତିରେ ପ୍ରାସଙ୍ଗିକତା ହରାଇଛି।ବିଶେଷକରି ବିଶ୍ବବିଦ୍ୟାଳୟର ସିନେଟ୍ ଏକ ପ୍ରକାର ଆଳଙ୍କରିକ ହୋଇପଡ଼ିଛି। ଏହାର ପ୍ରକୃତ ବୈଧାନିକ କ୍ଷମତା ସିଣ୍ଡିକେଟ୍ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରୟୋଗ କରାଯାଉଛି। ଏଣୁ କ୍ୟାବିନେଟ୍ ଆଜି ସ୍ଥିର କରିଛି ଯେ ସିଣ୍ଡିକେଟ୍ କର୍ତ୍ତୃପକ୍ଷର ପୁନର୍ଗଠନ କରାଯିବ ଓ ସିନେଟ୍ ବ୍ୟବସ୍ଥା ବନ୍ଦ କରାଯିବ। ଏହାଦ୍ବାରା ରାଜ୍ୟର ସବୁ ବିଶ୍ବବିଦ୍ୟାଳୟଗୁଡିକର ଶିକ୍ଷାଗତ ଓ ପ୍ରଶାସନିକ କାର୍ଯ୍ୟକାରିତା ଠିକ୍ ଭାବେ ପରିଚାଳିିତ ହେବ ବୋଲି ମୁଖ୍ୟସଚିବ କହିଛନ୍ତି। କେବଳ ସେତିକି ନୁହେଁ, କୁଳପତି ଚୟନ କମିଟିର ପୁନର୍ଗଠନ କରାଯିବ। ଏହି କମିଟିରେ ସିଣ୍ଡିକେଟ୍‌ର ଜଣେ ଚୟନ ସଭ୍ୟ ପରିବର୍ତ୍ତେ ରାଜ୍ୟ ସରକାରଙ୍କର ଜଣେ ପ୍ରତିନିଧି ଅର୍ଥାତ୍ ଜଣେ ଶିକ୍ଷାବିତ୍‌ଙ୍କୁ ସାମିଲ କରାଯିବ। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟାରେ ଏକ ଅଂଶୀଦାର ହେବେ।

ସେହିଭଳି କୁଳପତିମାନଙ୍କର କାର୍ଯ୍ୟକ‌ାଳ ଅବଧିକୁ ୪ବର୍ଷ ପର୍ଯ୍ୟନ୍ତ କରାଯାଇଛି। ଅବସର ବୟସ ସୀମା ମଧ୍ୟ ସରକାର ୬୭କୁ ବୃଦ୍ଧି ଲାଗି ସ୍ଥିର କରିଛନ୍ତି। ଏହାଦ୍ବାରା କୁଳପତିମାନେ ବିଶ୍ବବିଦ୍ୟାଳୟରେ ଦୀର୍ଘମିଆଦୀ ପରିବର୍ତ୍ତନ ଆଣିବାରେ ସକ୍ଷମ ହେବେ ବୋଲି ସରକାର ବିଶ୍ବାସ ଦେଇଛନ୍ତି।

ଅନ୍ୟପକ୍ଷରେ ବିଶ୍ବବିଦ୍ୟାଳୟଗୁଡିକରେ ପଞ୍ଜୀକୃତ ଶିକ୍ଷକ ଓ ପଞ୍ଜୀକୃତ ସ୍ନାତକ ବ୍ୟବସ୍ଥାର ପ୍ରାସଙ୍ଗିକତା ନାହିଁ ବୋଲି ଦର୍ଶାଇ ସରକାର ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଶ୍ବବିଦ୍ୟାଳୟରେ ଶିକ୍ଷକମାନଙ୍କର ଚୟନ ତଥା ଅଣଶିକ୍ଷକଙ୍କ ନିଯୁକ୍ତି ଏବେ ଓଡ଼ିଶା ଲୋକସେବା ଆୟୋଗ ଏବଂ ରାଜ୍ୟ ପ୍ରବରଣ ମଣ୍ଡଳୀ କରିବେ।

ରାଜ୍ୟରେ ବିଶ୍ବବିଦ୍ୟାଳୟ ସଂଖ୍ୟା ବୃଦ୍ଧି ପାଇଛି। ବିଶ୍ବବିଦ୍ୟାଳୟର ବାର୍ଷିକ ରିପୋର୍ଟ ମଧ୍ୟ ବିଶାଳକାୟ ହେଉଛି। ଏଣୁ ବିଧାନସଭାରେ ଏହାର ଉପସ୍ଥାପନ କଷ୍ଟସାଧ୍ୟ ହୋଇପଡୁଛି। ଏହି ବ୍ୟବସ୍ଥାର ପରିବର୍ତ୍ତନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏବେ ବିଶ୍ବବିଦ୍ୟାଳୟଗୁଡିକ ସେମାନଙ୍କର ବାର୍ଷିକ ସମୀକ୍ଷା ରିପୋର୍ଟକୁ ନିଜ ନିଜର ୱେବ୍ ସାଇଟ୍ ମାଧ୍ୟମରେ ସର୍ବସାଧାରଣଙ୍କ ଅବଗତି ପାଇଁ ରଖିବେ ଓ ଅନ୍ୟୂନ ତିନିବର୍ଷ ପାଇଁ ଏହା ରହିବ।

ଏହି ପ୍ରସ୍ତାବ ଭିତରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇ ରେଭେନ୍ସା ବିଶ୍ବବିଦ୍ୟାଳୟ ଅଧିନିୟମ, ୨୦୦୫କୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଏହି ବିଶ୍ବବିଦ୍ୟାଳୟ ଏବେ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ, ୧୯୮୯ ଅନୁଯାୟୀ କାର୍ଯ୍ୟ କରିବ। ସରକାର ଏଭଳି ନିଷ୍ପତ୍ତି ନେବା ପଛରେ ଯୁକ୍ତି ରଖିଛନ୍ତି ଯେ ସଂପ୍ରତି ରେଭେନ୍ସା ଗୋଟିଏ ଏକକ ବିଶ୍ବବିଦ୍ୟାଳୟ ହୋଇଥିଲେ ହେଁ, ଏହା ସ୍ବତନ୍ତ୍ର ଆଇନ ଦ୍ବାରା ପରିଚାଳିତ ହେଉଥିଲା। ହେଲେ ରାଜ୍ୟର ଅନ୍ୟ ଦୁଇଟି ଏକକ ବିଶ୍ବବିଦ୍ୟାଳୟ ଅର୍ଥାତ୍ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ, ୧୯୮୯ ଅନ୍ତର୍ଗତ ଥିଲା। ଏଣୁ ନିୟମ ମେଳ ଖାଉନଥିଲା। ଏହି ଅସଙ୍ଗତିକୁ ଦୂର କରିବା ଲାଗି ରେଭେନ୍ସା ସ୍ବତନ୍ତ୍ର ଆଇନ ସଂପର୍କରେ ଏକ ବଡ଼ ନିଷ୍ପତ୍ତି ସହିତ ତାହାକୁ ରଦ୍ଦ କରାଯାଇଛି।

ଏହି ପ୍ରସ୍ତାବ ବ୍ୟତୀତ କ୍ୟାବିନେଟ୍ ଆଇନ ବିଭାଗର ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ପାରିତ କରିଛନ୍ତି। ଏକ ଅଧ୍ୟାଦେଶ ଜାରି କରି ସରକାର ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମ ସଂଶୋଧନ ଲାଗି ନିଷ୍ପତ୍ତି ନେଇଛନ୍ତି।

ଏ ସଂକ୍ରାନ୍ତରେ ସୂଚନା େଦଇ ମୁଖ୍ୟ ସଚିବ କହିଥିଲେ ଯେ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ, ମହାମାରୀ ଆଦି ପରିସ୍ଥିତି ଉପୁଜିଥିବାରୁ ଆଇନ ବ୍ୟବସାୟ କ୍ଷେତ୍ରରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଛି। ଏହାଦ୍ବାରା ଆଇନଜୀବୀମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏଣୁ ଅଭାବର ଶିକାର ହୋଇଥିବା ଆଇନଜୀବୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଅଧିବକ୍ତା କଲ୍ୟାଣ ପାଣ୍ଠିକୁ ଯେଭଳି ଅନୁମତି ଦିଆଯାଇପାରିବ, ସେ ନେଇ ମୂଳ ନିୟମରେ ପରିବର୍ତ୍ତନ କରାଯାଇଛି।

ସମ୍ବନ୍ଧିତ ଖବର