ରାଉରକେଲା ସରକାରୀ ସ୍ବୟଂ ଶାସିତ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି

ଆବଶ୍ୟକୀୟ ଭିତ୍ତିଭୂମି ସହ ରହିଛି ସମସ୍ତ ସୁବିଧା

ରାଉରକେଲା: ନିକଟରେ ରାଜ୍ୟ ସରକାର କୋରାପୁଟ ଜୟପୁରର ବିକ୍ରମଦେବ ସ୍ବୟଂ ଶାସିତ କଲେଜକୁ ବିଶ୍ବବିଦ୍ୟାଳୟ ଘୋଷଣା କରିଛନ୍ତି। ହେଲେ ବିକ୍ରମଦେବ କଲେଜ ଠାରୁ ପୁରୁଣା, ଆବଶ୍ୟକୀୟ ଭିତ୍ତିଭୂମି ଓ ସମସ୍ତ ସୁବିଧା ଉପଲବ୍ଧ ଥିବା ସତ୍ବେ ରାଉରେକଲା ସରକାରୀ ସ୍ବୟଂ ଶାସିତ କଲେଜକୁ ଅଣାଦେଖା କରାଯାଉଛି। ଦଳମତ ନିର୍ବିଶେଷରେ ବିଶ୍ବବିଦ୍ୟାଳୟ ଦାବି ଜୋର ଧରୁଥିବାବେଳେ ସରକାରଙ୍କ ପକ୍ଷରୁ ସେତେଟା ଗୁରୁତ୍ବ ଦିଆ ନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦେବଗଡ, ସୁନ୍ଦରଗଡ଼, ବଣାଇ ସବ୍‌ଡିଭିଜନ୍‌ ବିଶେଷ କରି ରାଉରକେଲା କଲେଜଗୁଡ଼ିକରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କର ସୁବିଧା ପାଇଁ ରାଉରକେଲା ସରକାରୀ ସ୍ବୟଂ ଶାସିତ କଲେଜକୁ ବିଶ୍ବବିଦ୍ୟାଳୟ ଘୋଷଣା ହେବା ଜରୁରୀ।

ତିନିଟି ଜିଲ୍ଲାରେ ପାଖାପାଖି ୧୨୦ରୁ ଅଧିକ ଡିଗ୍ରୀ କଲେଜ ରହିଛି। ବିଶ୍ବବିଦ୍ୟାଳୟ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଛାତ୍ରଛାତ୍ରୀମାନେ ୨୦୦ କି.ମି. ସମ୍ବଲପୁର ଯିବାକୁ ପଡୁଛି। ଅନେକ ସମୟରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେଣୁ ରାଉରକେଲା ସରକାରୀ ସ୍ବୟଂ ଶାସିତ କଲେଜକୁ ସରକାର ତୁରନ୍ତ ବିଶ୍ବବିଦ୍ୟାଳୟ ଘୋଷଣା କରିବାକୁ କଲେଜର ପୁରାତନ ଛାତ୍ର ତଥା ସିଆଇଟିୟୁର ସର୍ବଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତି, ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର, ରାଉରକେଲା ଆର୍‌ଏସ୍‌ପି ଅଫିସର ସଂଘର ପୂର୍ବତନ ସଭାପତି ବିମଳ ବିଶି, ଡକ୍ଟର ସମର ମୁଦାଲି, ନାରାନେତ୍ରୀ ଛବି ମହାନ୍ତି, ବିଜେପିର ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ପ୍ରମୁଖ ଦାବି କରିଛନ୍ତି। କେବଳ ପୁରାତନ ଛାତ୍ର ନୁହେଁ ସହରର ବିଭିନ୍ନ ସାମାଜିକ ସଙ୍ଗଠନଗୁଡ଼ିକ ମଧ୍ୟ ସମାନ ଦାବି କରୁଛନ୍ତି। ସେମାନେ ରାଉରକେଲା ସରକାରୀ ସ୍ବୟଂ ଶାସିତ ‌କଲେଜକୁ ବିଶ୍ବବିଦ୍ୟାଳୟ କରିବାକୁ ଯୁକ୍ତି ବାଢ଼ିଛନ୍ତି।

ରାଉରକେଲା ସରକାରୀ ସ୍ବୟଂ ଶାସିତ କଲେଜରେ ମୋଟ ୨୭ ବିଭାଗର ସ୍ନାତକୋତ୍ତର ବିଭାଗ ରହିଛି। ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷରୁ ମାସ୍‌ କମ୍ୟୁନିକେସନ୍‌ ଓ ଏମ୍‌ବିଏ ପାଠ୍ୟକ୍ରମ ଶିକ୍ଷାଦାନ ଦିଆଯିବ। ଏଥିସହ କଲେଜରେ ଉନ୍ନତଧରଣର ଲାବ୍ରୋ‌ଟୋରି, କମ୍ୟୁଟର ସେଣ୍ଟର ରହିଛି। ରାଜ୍ୟ ସରକାର ମୁକ୍ତ ବିଶ୍ବବିଦ୍ୟାଳୟ ସହ ଇନ୍ଦିରାଗାନ୍ଧି ମୁକ୍ତ ବିଶ୍ବବିଦ୍ୟାଳୟ ଖୋଲାଯାଇଛି। ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲ ସହ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ରହିଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ଅଧିକ ପାଣ୍ଠି ବିନିଯୋଗ କରିବାକୁ ପଡିବନି। ବିଶ୍ବବିଦ୍ୟାଳୟ ହେଲେ ପିଏଚ୍‌ଡି, ରିସର୍ଚ୍ଚ ପାଇଁ ସମସ୍ତ ରାସ୍ତା ଖୋଲିବ। ଅଧିକରୁ ଅଧିକ ୟୁଜିସି ଓ କେନ୍ଦ୍ରୀୟ ଅନୁଦାନ ମିଳିବ। ଶିକ୍ଷାର ଗୁଣାତ୍ମକ ମାନ ଆହୁରି ବଢ଼ିବ।

ଦେବଗଡ, ସୁନ୍ଦରଗଡ ଓ ରାଉରକେଲା ବିଭିନ୍ନ ଡିଗ୍ରୀ କଲେଜରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କୁ ୨୦୦ କି.ମି. ସମ୍ବଲପୁର ଯିବାକୁ ପଡିବନି। କେବଳ ଏତିକି ନୁହେଁ ସ୍ବୟଂ ଶାସିତ ସରକାରୀ କଲେଜ ଓଡ଼ିଶା ହାଇକୋର୍ଟର ବିଚାରପତି ଚିତ୍ତରଞ୍ଜନ ଦାସ, ଝାଡ଼ଖଣ୍ଡର ହାଇକୋର୍ଟର ବିଚାରପତି ଅନୀଲ କୁମାର ଚୌଧୁରୀ, ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅତୁନ ଭୌମିକ, ଫକୀରମୋହନ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର କୁମରବର ଦାଶଙ୍କ ଭଳି ଅନେକ ପ୍ରତିଷ୍ଠିତ ବ୍ୟକ୍ତି ସୃଷ୍ଟି କରିଛି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଓ ଦୁର୍ବଳଶ୍ରେଣୀ ପ୍ରାୟ ୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି କଲେଜରେ ପାଠ ପଢ଼ୁଛନ୍ତି। ଏସବୁ ଦୃଷ୍ଟିକୋଣକୁ ରାଜ୍ୟ ସରକାର କୋରାପୁଟ ଜୟପୁରସ୍ଥ ବିକ୍ରମଦେବ ସ୍ବୟଂ ଶାସିତ କଲେଜ ପରି ରାଉରକେଲା ସରକାରୀ ସ୍ବୟଂ ଶାସିତ କଲେଜକୁ ବିଶ୍ବବିଦ୍ୟାଳୟ ଘୋଷଣା କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର