ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ଦିଗରେ ପଦକ୍ଷେପ ନିଆଯାଇଛି। ବିଶ୍ବବିଦ୍ୟାଳୟଗୁଡ଼ିକ ଲାଗି ଅନୁମୋଦିତ ଶିକ୍ଷକ ପଦ ମଧ୍ୟରୁ କେତେ ଖାଲି ରହିଛି ସେନେଇ ତଥ୍ୟ ମିଳିସାରିଛି। ତେଣୁ ଏଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ୪ଟି ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ଚିଠି ଲେଖାଯାଇଛି। ଖାଲିଥିବା ପଦ ପୂରଣ ସହ ୨୦୨୦ ମାର୍ଚ୍ଚ ୩୧ରେ ଖାଲି ହେବାକୁ ଥିବା ପଦଗୁଡ଼ିକ ପାଇଁ ନିଯୁକ୍ତି ପ୍ରକ୍ରିୟା କରିବାକୁ ନିର୍ଦେଶ ଦିଆଯାଇଛି।

Advertisment

କଟକସ୍ଥିତ ରେଭେନ୍ସା ବିଶ୍ବବିଦ୍ୟାଳୟରେ ସର୍ବାଧିକ ୧୭୯ଟି ପଦ ଖାଲିରହିଛି। ଏଥିସହ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ୫୨, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ୨୪, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ୭୪ଟି ଶିକ୍ଷକ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ୨୦୧୯ ଜୁଲାଇ ୩୧ରେ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିବା‌ ସଂରକ୍ଷଣ ଗାଇଡ୍‌ଲାଇନ୍‌ ଅନୁଯାୟୀ ନିଯୁକ୍ତି ପ୍ରକ୍ରିୟା କରାଯିବ। ଓପନ ବିଜ୍ଞାପନ ମାଧ୍ୟମରେ ଏହି ପ୍ରକ୍ରିୟା ହେବ। ‌ଯେଉଁମାନେ ନିଯୁକ୍ତି ପାଇବେ ସେ‌ମାନେ ନିୟମିତ(ରେଗୁଲାର) ଭାବେ ବି‌ବେଚିତ ହେବେ। ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଆଉ କିଛି ପଦ ଖାଲି ହେବ। ତେଣୁ ଉଚ୍ଚଶିକ୍ଷା ବିଭାଗର ପରବର୍ତୀ ଆଦେଶକୁ ଅପେକ୍ଷା ନ କରି ଏଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।