୪ ଦଫା ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ବିଶ୍ବବିଦ୍ୟାଳୟ ଶିକ୍ଷକ ମହାସଂଘ

ଭୁବନେଶ୍ବର : ୪ ଦଫା ଦାବି ନେଇ ଆଜି ବିଶ୍ବବିଦ୍ୟାଳୟ ଶିକ୍ଷକ ମହାସଂଘରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରାଯାଇଥିଲା। ଶିକ୍ଷକମାନଙ୍କୁ ୭ମ ବେତନ କମିସନ୍‌ ସୁପାରିସ ଅନୁଯାୟୀ ଦରମା ପ୍ରଦାନ, ବିଶ୍ବବିଦ୍ୟାଳୟ ଶିକ୍ଷକମାନଙ୍କ ଅବସର ବୟସସୀମା ୬୦ରୁ ୬୫ବର୍ଷ ବୟସକୁ ବୃଦ୍ଧି, ୟୁଜିସି ଗାଇଡ୍‌ ଲାଇନ୍‌ ୨୦୧୮କୁ ଲାଗୁ କରିବା ଏବଂ ବର୍ତ୍ତମାନର ଦରମାରେ ସମସ୍ତ ଅସଂଗତି ଦୂର କରିବା ଆଦି ୪ ଦଫା ଦାବି ନେଇ ସଂଘ ପକ୍ଷରୁ ଶୋଭାଯତ୍ରା କରାଯାଇଥିଲା। ଅପରାହ୍ଣ ପ୍ରାୟ ୪ଟା ସମୟରେ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟର ଶତାଧିକ ଶିକ୍ଷକ କୃଷି ବିଶ୍ବବିଦ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାଜଭବନ ମୁହାଁ ହୋଇଥିଲେ। ହେଲେ ସୂର୍ଯ୍ୟନଗର ଛକଠାରେ ପୂର୍ବରୁ ପ୍ରସ୍ତୁତ ଥିବା ପୁଲିସ କର୍ମଚାରୀ ଶିକ୍ଷକମାନଙ୍କୁ ଆଗକୁ ନଛାଡ଼ି ସେଠାରେ ଅଟକାଇ‌ଥିଲେ। ଏହାପରେ ସଂଘର ଆବାହକ ପ୍ରଫେସର ସନ୍ତୋଷ ତ୍ରିପାଠୀ, ସର୍ବ ନାରାୟଣ ମିଶ୍ର, ଚଣ୍ଡି ପ୍ରସାଦ ନନ୍ଦ, ଅକ୍ଷୟ ବସ୍ତିଆ ଏବଂ ସତ୍ୟନାରାୟଣ ପାଠୀଙ୍କ ଏକ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେବା ସହ ଆଲୋଚନା କରିଥିଲେ। ତେବେ ଦାବି ଉପରେ ଉପଯୁକ୍ତ ପ‌ଦକ୍ଷେପ ନିଆଯିବ ବୋଲି ରାଜ୍ୟପାଳ ପ୍ରତିଶ୍ରୁତି ଦେବା ପରେ ଶିକ୍ଷକମାନେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ। ଆଜିର ଏହି ଆନ୍ଦୋଳନରେ ଉତ୍କଳ, ବ୍ରହ୍ମପୁର, ସମ୍ବଲପୁର, ଓୟୁଏଟି, ରେଭେନ୍ସା, ଫକୀରମୋହନ, ଉତ୍ତର ଓଡ଼ିଶା, ଶ୍ରୀଜଗନ୍ନାଥ ସଂସ୍କୃତ, ବିଜୁ ପଟ୍ଟନାୟକ ଯାନ୍ତ୍ରିକ ଓ ବୀର ସୁରେନ୍ଦ୍ରସାଏ ଯାନ୍ତ୍ରିକ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇ ସମର୍ଥନ ଜଣାଇଥିଲେ।

ସମ୍ବନ୍ଧିତ ଖବର