ବିଶ୍ବବିଦ୍ୟାଳୟ ଶିକ୍ଷକଙ୍କ ଅବସର ବୟସ ସୀମା ୬୫କୁ ବୃଦ୍ଧି ଦାବି : ୨୪ରେ ରାଜଭବନ ଚାଲ ଡାକରା

ଭୁବନେଶ୍ବର : କେବଳ କେରଳକୁ ଛାଡ଼ି ଦେଶର ଅନ୍ୟ ରାଜ୍ୟଗୁଡ଼ିକ ବିଶ୍ବବିଦ୍ୟାଳୟ ପ୍ରଫେସରଙ୍କ ଅବସର ବୟସ ସୀମା ୬୫ ବର୍ଷ କରିସାରିଲେଣି। କିନ୍ତୁ ଓଡ଼ିଶା ସରକାର ଏକ୍ଷେତ୍ରରେ ପଛରେ ପଡ଼ିଛନ୍ତି। ଏବେବି ଅବସର ବୟସ ସୀମା‌ ୬୦ ବର୍ଷରେ ରହିଛି। ଗତ କିଛି ବର୍ଷ ତଳେ ରାଜ୍ୟ ସରକାର ସମସ୍ତ ବର୍ଗ କର୍ମଚାରୀଙ୍କ ବୟସ ସୀମା ଦୁଇ ବର୍ଷ ଲେଖାଏ ବଢ଼ାଇଥିବା ବେଳେ ବିଶ୍ବବିଦ୍ୟାଳୟ ଶିକ୍ଷକଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ ହୋଇ ନାହିଁ। ଏପରିକି କେନ୍ଦ୍ରୀୟ ଓ ଅନ୍ୟ ରାଜ୍ୟର ଅଧ୍ୟାପକମାନେ ଗବେଷଣା ସନ୍ଦର୍ଭ ପାଇଁ ୭୦ ଓ ୬୫ ବର୍ଷ ପର୍ଯ୍ୟନ୍ତ ତତ୍ତ୍ବାବଧାରକ ହୋଇପାରୁଥିବା ବେଳେ ଓଡ଼ିଶାରେ ଅଧ୍ୟାପକଙ୍କୁ ୬୦ ବର୍ଷ ପରେ ଅଯୋଗ୍ୟ ଘୋଷଣା କରାଯାଉଛି। ଏନେଇ ଓଡ଼ିଶା ବିଶ୍ବବିଦ୍ୟାଳୟ ଶିକ୍ଷକ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି ହେଉଛି। ଏପରିକି ଗତ ଅକ୍ଟୋବର ୧୩ ତାରିଖରେ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଓ ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କୁ ଏନେଇ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଯେଉଁଥିପାଇଁ ଆସନ୍ତା ୨୪ ତାରିଖରେ ରାଜଭବନ ଚାଲ ଡାକରା ଦିଆଯାଇଛି।

ମହାସଂଘ ଆବାହକ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କହିଛନ୍ତି ଯେ ଗତ ୨୦ ଦିନ ହେଲା ଆନ୍ଦୋଳନ କରାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୁଫଳ ମିଳିନିି। ଅବସର ବୟସ ସୀମା ବୃଦ୍ଧି କରାଯାଉ ନ ଥିବା ବେଳେ ସପ୍ତମ ବେତନ କମିସନ ଲାଗୁ ହେଉନି। ଏହାର ବିରୋଧ କରି ନଭେମ୍ବର ୧ରୁ ୯ ତାରିଖ ଯା‌ଏ ବିଶ୍ବବିଦ୍ୟାଳୟ ଅଧ୍ୟାପକ ଓ ପ୍ରଫେସର କଳାବ୍ୟାଜ୍‌ ପିନ୍ଧି ଆନ୍ଦୋଳନ କରିଥିଲେ। ଗତ ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ମଧ୍ୟାହ୍ନରେ ଏକ ଘଣ୍ଟା ଲେଖାଏ ଧାରଣା ଦେଇଥିଲେ। ଦାବି ପୂରଣ ନ ହେବାରୁ ନଭେମ୍ବର ୨୪ରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ରୁ ଅଧ୍ୟାପକ ଓ ପ୍ରଫେସରମାନଙ୍କ ଏକ ପଦଯାତ୍ରା ବାହାରି ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତିଙ୍କୁ ଦାବିପତ୍ର ଦିଆଯିବ। ଏଥିରେ ଉତ୍କଳ ସମେତ ବ୍ରହ୍ମପୁର, ସମ୍ବଲପୁର, ଫକୀର ମୋହନ, ଉତ୍ତର ଓଡ଼ିଶା, ଓୟୁଏଟି, ବିପିୟୁଟି, ରେଭେନ୍ସା ଓ ସଂସ୍କୃତ ବିଶ୍ବବିଦ୍ୟାଳୟର ୫୦୦ରୁ ଅଧିକ ଶିକ୍ଷକ ଯୋଗଦେବେ ବୋଲି ମହାସଂଘ ଅନ୍ୟତମ ଆବାହକ ସର୍ବନାରାୟଣ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର