ଆନ୍ଦୋଳନକୁ ଓହ୍ଲାଇବେ ବିଶ୍ୱବିଦ୍ୟାଳୟ ଶିକ୍ଷକ

ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକଙ୍କ କ୍ଷେତ୍ରରେ ସପ୍ତମ ବେତନ କମିସନ୍‌ ସୁପାରିଶକୁ ସମ୍ପୂର୍ଣ୍ଣ ଭାବେ ଲାଗୁ, ଅବସର ବୟସସୀମାକୁ ୬୫ ବର୍ଷକୁ ବୃଦ୍ଧି ପରି ବିଭିନ୍ନ ଦାବି ନେଇ ପୁଣିଥରେ ଆନ୍ଦୋଳନ ଓହ୍ଲାଇବ ଓଡ଼ିଶା ବିଶ୍ୱବିଦ୍ୟାଳୟ ଶିକ୍ଷକ ମହାସଂଘ। ଏନେଇ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ବସିଥିବା କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ହୋଇଛି। ଜୁଲାଇ ୨୩ ମଧ୍ୟରେ ଦାବି ପୂରଣ ନହେଲେ ଶିକ୍ଷକମାନେ ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍‌ ପିନ୍ଧି ଆନ୍ଦୋଳନ କରିବେ। ଏହାପରେ ଅଗଷ୍ଟ ୧ରୁ ୭ ଯାଏ ବିଶ୍ୱବିଦ୍ୟାଳୟରେ ଘଣ୍ଟିକିଆ ଧାରଣା ଓ ଅଗଷ୍ଟ ୧୬ରୁ ଧାରଣା ଏବଂ ପରବର୍ତୀ ସମୟରେ ବିଧାନସଭା ଚାଲ ଅଭିଯାନ କରାଯିବ ବୋଲି ସ୍ଥିର କରାଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘ ପ୍ରଫେସର୍‌ ସନ୍ତୋଷ ତ୍ରିପାଠୀ, କୁଞ୍ଜବିହାରୀ ପଣ୍ଡା, ଅଜିତ୍‌ କୁମାର ନାଏକ, ଅକ୍ଷୟ କୁମାର ବସ୍ତିଆ, ଶିବ ଶଙ୍କର ମହାନ୍ତି ପ୍ରମୁଖ ଯୋଗଦେଇ କହିଲେ, ୨୦୧୬ରୁ ସପ୍ତମ ବେତନ କମିସନ ଲାଗୁ ହୋଇଛି। କିନ୍ତୁ ଓଡ଼ିଶାରେ ତାହାକୁ ଆଜି ପର୍ଯ୍ୟନ୍ତ ଲାଗୁ କରାଯାଇ ନାହିଁ। ବରିଷ୍ଠ ପ୍ରଫେସର୍‌ମାନଙ୍କ ପାଇଁ ସଂଶୋଧିତ ଦରମା, ପ୍ରାଧ୍ୟାପକଙ୍କ ପାଇଁ ଅବିକଳ ଦରମା, ବୟସ ସୀମା ବୃଦ୍ଧି ପ୍ରସଙ୍ଗକୁ ୟୁଜିସି ଅନୁଦାନ ଗ୍ରହଣ ନ କରିବା ଆଳରେ ଏଡ଼ାଇ ଚାଲିଛନ୍ତି। ଏପରିକି ୨୦୦୬ରେ ଆସିଷ୍ଟାଣ୍ଟ ଓ ଆସୋସିଏଟ୍‌ ପଦ ଲାଗୁ ହୋଇଥିଲେ ମଧ୍ୟ ରିଡର୍‌ ଭାବେ ନିଯୁକ୍ତ ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ ନୂତନ ପଦ ଦିଆଯାଇନାହିଁ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ଶିକ୍ଷକମାନେ କ୍ୟାମ୍ପସକୁ ଫେରିବେ ନାହିଁ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ବୈଠକରେ ଉତ୍କଳ ସମେତ ବ୍ରହ୍ମପୁର, ଉତ୍ତର ଓଡ଼ିଶା, ଓୟୁଏଟି, ସମ୍ବଲପୁର, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର