ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତିକୁ ନେଇ ବିବାଦ କାହିଁକି?

ମାତିଛନ୍ତି କାର୍ପଟଦାର ଗୋଷ୍ଠୀ
ସଚିବାଳୟରୁ ରାଜଭବନ ଯାଏ ଲମ୍ବିଛି ଚେର

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ପ୍ରକ୍ରିୟାରେ ବି ରାଜନୈତିକ, ପ୍ରଶାସନିକ ହସ୍ତକ୍ଷେପ ତଥା ପ୍ରିୟାପ୍ରୀତିତୋଷଣ କରାଯାଉଥିବା ନେଇ ସାଂଘାତିକ ଅଭିଯୋଗ ଉଠିଲାଣି। ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଚୟନ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରାଯାଉନଥିବା ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାକୁ ଆସିଛି।

ଏକଦା ଦେଶ ଓ ରାଜ୍ୟର ପ୍ରତିଷ୍ଠିତ ବୁଦ୍ଧିଜୀବୀଙ୍କୁ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଉଥିଲା। କୁଳପତିଙ୍କୁ ନେଇ କେବଳ ଛାତ୍ରଛାତ୍ରୀ କାହିଁକି ସମୁଦାୟ ସମାଜ ଗର୍ବ କରୁଥିଲା। ବର୍ତମାନ ଏସବୁ ସ୍ୱପ୍ନ ହୋଇଯାଉଛି। ହେଲେ ନିକଟରେ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପ୍ରକ୍ରିୟାକୁ ଟିକିଏ ତଳେଇ ଦେଖିଲେ, ପୁଳା ପୁଳା କେଳେଙ୍କାରୀ ସାମ୍ନାକୁ ଆସୁଛି। ଏମିତି ଯେ ନିର୍ଦିଷ୍ଟ କେଉଁ ମାପକାଠିରେ କୁଳପତିଙ୍କୁ ବଛାଯାଉଛି, ଗୋଟିଏ ଛୋଟ ବିଶ୍ୱବିଦ୍ୟାଳୟରେ କୁଳପତି ଭାବେ ସାକ୍ଷାତକାରରେ ବିଫଳ ହେଉଥିବା ପ୍ରଫେସର ଅପେକ୍ଷାକୃତ ଏକ ବଡ଼ ବିଶ୍ୱବିଦ୍ୟାଳୟର କୁଳପତି ହେବାରେ କିଭଳି ସକ୍ଷମ ହେଉଛନ୍ତି, ପ୍ରାଧ୍ୟାପକ, ବୁଦ୍ଧିଜୀବୀ ଓ ଛାତ୍ର ସମାଜ ଏମିତି ଅନେକ ପ୍ରଶ୍ନର ଉତ୍ତର ପାଇପାରୁନାହାନ୍ତି।

ଉଲ୍ଲେଖଯୋଗ୍ୟ, ଦିନକୁ ଦିନ ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତିକୁ ନେଇ ବିବାଦ ତେଜିବାରେ ଲାଗିଛି। ନିକଟରେ ରେଭେନ୍‌ସା କୁଳପତି ନିଯୁକ୍ତି ପ୍ରସଙ୍ଗ ହାଇକୋର୍ଟକୁ ଯାଇଛି। କୁଳପତି ନିଯୁକ୍ତି ପାଇଁ ଗଠନ କରାଯାଇଥିବା ସର୍ଚ୍ଚ କମିଟିର ବୈଧତାକୁ ଏଥିରେ ଚ୍ୟାଲେଞ୍ଜ କରାଯାଇଛି। ଏହି ଅଭିଯୋଗକୁ ଗ୍ରହଣ କରି କୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି।

ଠିକ୍‌ ଏମିତି ଏକ ସମୟରେ ଅନ୍ୟ ବିଶ୍ୱବିଦ୍ୟାଳୟର କୁଳପତି ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ତେଜିଲାଣି। ଏ କ୍ଷେତ୍ରରେ ରାଜ୍ୟପାଳ ଜାରି କରିଥିବା ୧୧ ଦଫା ନିୟମାବଳୀକୁ ବି ଫୁ କରି ଉଡ଼ାଇ ଦେଉଛନ୍ତି କାର୍ପଟଦାର ଗୋଷ୍ଠୀ। ଏହାର ଚେର ଉଚ୍ଚଶିକ୍ଷା ବିଭାଗ ଠାରୁ ରାଜଭବନ ଯାଏ ଲମ୍ବିଥିବା ଅଭିଯୋଗ ହେଉଛି।
ମିଳିଥିବା ସୂଚନା ଅନୁସାରେ, ସର୍ଚ୍ଚ କମିଟି ଓ କୁଳପତି ଚୟନ ପାଇଁ ୟୁଜିସି ନିୟମାବଳୀ ରହିଛି। କିନ୍ତୁ ଏହି କମିଟିରେ ନିଆଯାଉଥିବା ଅଧିକାରୀ ଓ ବ୍ୟକ୍ତିବିଶେଷଙ୍କୁ ନେଇ ପ୍ରଶ୍ନ ଉଠିଲାଣି। ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି, ଜଣେ ଅବସରପ୍ରାପ୍ତ ବ୍ୟୁରୋକ୍ରାଟ୍‌, କୌଣସି ପ୍ରମୁଖ ସାଧାରଣ ଉଦ୍ୟୋଗର ମୁଖିଆଙ୍କୁ ନେଇ ଏହି କମିଟି କରାଯାଉଛି।

ଏମାନଙ୍କର ଉଚ୍ଚଶିକ୍ଷା କ୍ଷେତ୍ର ସହିତ ଦୂର ଦୂର ପର୍ଯ୍ୟନ୍ତ ସଂପର୍କ ଆଜି ଦିନରେ ଆଉ ନାହିଁ। କେବଳ ସେତିକି ନୁହେଁ, ଶିକ୍ଷା କ୍ଷେତ୍ରରେ ଗ୍ରହଣ କରାଯାଉଥିବା ବିଭିନ୍ନ ସଂସ୍କାର କାର୍ଯ୍ୟକ୍ରମ, ଶିକ୍ଷାନୁଷ୍ଠାନର ସମସ୍ୟା ସହିତ ଏମାନେ ଓତଃପ୍ରୋତଃ ଭାବେ ସଂଶ୍ଳିଷ୍ଟ ନାହାନ୍ତି। ଫଳରେ ଏଭଳି କମିଟି ଦ୍ୱାରା ହେଉଥିବା ଚୟନର ମାନ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। କୌତୂହଳର କଥା ହେଲା, ନିକଟରେ ନିଯୁକ୍ତି ପାଇଥିବା ଜଣେ କୁଳପତିଙ୍କ ପଛର ରହସ୍ୟ ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ସତ ହୋଇଥିଲେ ସାଂଘାତିକ। କମିଟିରେ ଥିବା ଜଣେ ପଦସ୍ଥ ବ୍ୟକ୍ତିଙ୍କ ସଂପର୍କୀୟଙ୍କୁ ନିଯୁକ୍ତି ଦିଆଯିବା କୁହାଯାଉଛି। ଏଭଳି ଘଟଣା ହିଁ କୁଳପତି ନିଯୁକ୍ତିକୁ ନେଇ ପ୍ରାଧ୍ୟାପକମାନଙ୍କ ମଧ୍ୟରେ ଥିବା ସନ୍ଦେହକୁ କ୍ରମଶଃ ଦୃଢୀଭୂତ କରୁଛି।

ନିୟମତଃ କୌଣସି ସଂପର୍କୀୟ ଆବେଦନକାରୀ ବା ଆଶାୟୀ ଥିଲେ, କମିଟିରେ ତାଙ୍କର ନିକଟ ବା ଦୂର ସଂପର୍କୀୟଙ୍କୁ ରଖାଯିବା ଉଚିତ୍‌ ନୁହେଁ। କିନ୍ତୁ ଏ ନିୟମକୁ ମଧ୍ୟ ଜଳାଞ୍ଜଳି ଦେବା ଲାଗି କର୍ତ୍ତୃପକ୍ଷ ପଛଘୁଞ୍ଚା ଦେଉନାହାନ୍ତି। ଯେଉଁ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ଚୟନ କରାଯାଏ, ସାଧାରଣତଃ ସେହି ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକମାନଙ୍କୁ ସର୍ଚ୍ଚ କମିଟିରେ ସ୍ଥାନ ମିଳିବା କଥା ନୁହେଁ। ଯେଉଁ ବ୍ୟକ୍ତି ଥରେ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି, ତାଙ୍କୁ ଆଉଥରେ ସୁଯୋଗ ଦିଆଯିବାର ବ୍ୟବସ୍ଥା ନାହିଁ। ଖୋଦ୍‌ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ନିର୍ଦେଶନାମାର ଏହା ପରପନ୍ଥୀ। ହେଲେ ଓଡ଼ିଶାରେ ଏସବୁର ଖୋଲା ଉଲ୍ଲଂଘନ ହୋଇଛି ଓ କୁଳାଧିପତିଙ୍କ ଠାରୁ ଆରମ୍ଭକରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଆଖିବୁଜି ବସିଛନ୍ତି। ସେହିିଭଳି ପାଖାପାଖି ତିନି ଦଶନ୍ଧି ଧରି ଓଡ଼ିଶାର ପାଣିପାଗ ଓ ଶିକ୍ଷା ସହିତ ସଂପର୍କ ରଖିନଥିବା ପ୍ରଫେସରଙ୍କୁ ଗୁରୁତ୍ୱ ଦିଆଯିବା ସହିତ ସ୍ଥାନୀୟ ପ୍ରଫେସରଙ୍କୁ ଉପେକ୍ଷା କରାଯିବା ଭଳି ସଙ୍ଗିନ୍‌ ଅଭିଯୋଗ ବି ଉଠୁୁଛି। ଯଦି ଏମିତି ମନଇଚ୍ଛା ନିଯୁକ୍ତି ଦିଆଯିବ, ତେବେ କୁଳାଧିପତିଙ୍କ ନିର୍ଦେଶନାମା କାହା ପାଇଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।

ଏଠାରେ ପ୍ରକାଶ ଥାଉକି, ପ୍ରତି ବିଶ୍ୱବିଦ୍ୟାଳୟର କୁଳପତି ପଦ ଲାଗି ପ୍ରାୟ ୪୦ ଜଣ ପ୍ରଫେସର ଆବେଦନ କରିଥାନ୍ତି। ତାହା ସତ୍ତ୍ୱେ କୁଳପତି ପଦରେ ନିଯୁକ୍ତି ପାଉଥିବା ବ୍ୟକ୍ତି ବିବାଦ ଉର୍ଧ୍ୱରେ ରହିପାରୁନାହିଁ।

ସମ୍ବନ୍ଧିତ ଖବର