ନୂଆସାହିରେ ଅଜଣା ରୋଗ, ଗୋଟିଏ ମାସରେ ୧୭ ମୃତ 

ହାଟଡିହି: ହାଟଡିହି ବ୍ଲକ ଧନୁର୍ଜୟପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଅଜଣା ରୋଗରେ  ଗତ ମାସକ ମଧ୍ୟରେ ୧୭ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଏହି ଗ୍ରାମଟି ବଉଳା ଖଣି ଅଞ୍ଚଳରେ ଅବସ୍ଥିତ। ଏହି ଗାଁର ଲୋକମାନେ ନିକଟସ୍ଥ ଖଣିରେ କାମକରି ପେଟ ପୋଷୁଥିଲେ। ମାତ୍ର ଖଣି ବନ୍ଦ ହୋଇଯିବାପରେ ଏବେ ଲୋକମାନେ ନାନା ଅସୁବିଧାରେ କାଳ କାଟୁଛନ୍ତି। ବିଶେଷ କରି ଆର୍ଥିକ  ଅନଟନ ସେମାନଙ୍କୁ ଘାରିଛି। କାମଧନ୍ଦା ନପାଇ ଅନେକ ଲୋକ ମୂଲ ମଜୁରି ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଗାଁରେ ୪ଟି ନଳକୂପ ଅଛି । ଯାହାର ପାଣିକୁ ଲୋକମାନେ ପାନୀୟଜଳ ଭାବେ ବ୍ୟବହାର କରନ୍ତି । କିନ୍ତୁ ଗତ କିଛି ମାସ ହେବ ଅନେକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ପଡ଼ିଛନ୍ତି। ଅଧିକାଂଶ ଲୋକ କିଡିନି ରୋଗରେ ପଡ଼ି ଅକାଳରେ ମୃତ୍ୟୁବରଣ କରୁଛନ୍ତି।  ଏଠାରେ ପୂର୍ବରୁ ଡାକ୍ତରଖାନାଟିଏ ଥିବାବେଳେ ଏ ଅଞ୍ଚଳର ଲୋକମାନେ ଡାକ୍ତରଙ୍କୁ ଦେଖାଇ ଔଷଧପତ୍ର ଖାଇଥାନ୍ତି । କିନ୍ତୁ ଖଣି ବନ୍ଦ ହେବାପରେ ଡାକ୍ତରଖାନା ବନ୍ଦ ହୋଇଯାଇଛି। ପାଖରେ ପଇସା ନଥିବାରୁ  ଲୋକମାନେ ଦୂର ଦୂରାନ୍ତକୁ ଚିକିତ୍ସା ପାଇଁ ଯାଇ ପାରୁ ନାହାନ୍ତି।

ଗତ ମାସକ ଭିତରେ ମଣି ଡାକୁଆ(୬୦), ଭାସ୍କର ଡାକୁଆ(୫୦), ଜାନକୀ ଡାକୁଆ(୪୫), କମଳା ଡାକୁଆ(୪୫), ମିଞ୍ଜା ନାଇକ(୧୯), ସୁରେନ୍ଦ୍ର ନାଇକ  (୫୦), ସୁରେନ୍ଦ୍ର ଗିରି(୪୫), ରାଣୀ ଗିରି(୪୦), ଅର୍ଜୁନ ନାଇକ(୨୮), ମେନକା ଗିରି(୨୯), କୈଳାଶ ଗିରି(୫୦), ବାସନ୍ତୀ ଗିରି(୪୫), ପାଣ୍ଡି ମହାକୁଡ(୪୫), ବାବୁଲି ମହାକୁଡ(୩୦), ରାମାଇ ମହାକୁଡ଼(୫୫), ବେଲ ଗିରି(୩୬)ଙ୍କ ସମେତ ୧୭ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ଏବେବି ଗୋଲେଖ ଡାକୁଆ, ଭାଗବତ ମହାକୁଡ, ଶ୍ରୀମତୀ ଗିରି, ରମାକାନ୍ତ ବିଶ୍ୱାଳ,  ଗୋପାଳ ଗିରି, ପୂର୍ଣ୍ଣ ପଦୁରିଆ, ସୁଦାମ ନାଇକଙ୍କ ଭଳି ଅନେକ ଲୋକ ଆକ୍ରାନ୍ତ ହୋଇ ଘରେ ପଡି ରହିଛନ୍ତି । ବିଭିନ୍ନ କମ୍ପାନିର ଭୂତଳ ଖଣି ଗୁଡିକ ବନ୍ଦ ହୋଇଯାଇଥିବାରୁ ତା ମଧ୍ୟରେ ଥିବା ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇ ପାଣି ସହିତ ମିଶୁଥିବାରୁ ନଳକୂପ ଗୁଡିକର ପାଣି ବିଷାକ୍ତ ହୋଇ ଏପରି ଘଟୁଥିବା ଗ୍ରାମବାସୀ ଆଶଙ୍କା କରୁଛନ୍ତି । ତୁରନ୍ତ ନଳକୂପର ପାଣିକୁ ପରୀକ୍ଷା କରିବା ସହିତ ଗାଁକୁ ଏକ ଡାକ୍ତରୀଦଳ ପଠାଇ ରୋଗୀଙ୍କୁ ଚିକିତ୍ସା କରାଇବା ପାଇଁ ଅନିରୁଦ୍ଧ ନାଇକ, ଅନିତା ନାଇକ, ଚକ୍ରଧର ଡାକୁଆ, ରବୀନ୍ଦ୍ର ଗିରି, ଅମିତ ନାଇକ, ଦେବାଶିଷ ନାଇକ, ଯମୁନା ପଇଦା ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ସେମାନେ ଏକ ଦାବିପତ୍ର ଜିଲ୍ଲାପରିଷଦ ଉପାଧ୍ୟକ୍ଷଙ୍କ ମାଧ୍ୟମରେ କେନ୍ଦୁଝର ଜିଲ୍ଲାପାଳଙ୍କୁ ଦେଇଛନ୍ତି ।

ସମ୍ବନ୍ଧିତ ଖବର