ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ରାଇଗୁଡ଼ା ଗାଁର ଜନସାଧାରଣଙ୍କୁ ବିସ୍ଥାପିତ କରି ଅନୁଗୁଳ ବ୍ଲକ୍‌ ସାରୁଆଳି ନିକଟରେ ଥଇଥାନ କରାଯାଇଛି। ଏହି ଗାଁର ନାମ ହେଉଛି ‘ନୂଆରାଇଗୁଡ଼ା।’ ଯେଉଁ ଆଶା‌ ଦେଇ ସେମାନଙ୍କୁ ବିସ୍ଥାପିତ କରାଯାଇଥିଲା, ସେଥିରୁ ଅଧିକାଂଶ ପୂରଣ ହୋଇନାହିଁ। ଏପରିସ୍ଥଳେ ନୂଆରାଇଗୁଡ଼ା ଗାଁରେ ଦେଖାଦେଇଛି ଅଜଣା ରୋଗ। ଏହି ନୂଆ ଗାଁ ସ୍ଥାପିତ ହେବାକୁ ୬ ବର୍ଷ ବିତିଥିବା ବେଳେ ଅଜଣା ରୋଗରେ ଗାଁର ୧୫ ଜଣଙ୍କର ଜୀବନ ଗଲାଣି। ପାଣି ଯୋଗୁଁ ଅକାଳରେ ଜୀବନ ଚାଲିଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। 

Advertisment

ସୂଚନା ମୁତାବକ, ସାତକୋଶିଆ ଅଭୟାରଣ୍ୟରୁ ୨୦୧୭ ଡିସେମ୍ବର ୨୮ରେ ରାଇଗୁଡ଼ା ଗ୍ରାମବାସୀଙ୍କୁ ବିସ୍ଥାପିତ କରି ନୂଆରାଇଗୁଡ଼ା ଗାଁରେ ଥଇଥାନ କରାଯାଇଛି। ୭୮ଟି ପରିବାର ନୂଆରାଇଗୁଡ଼ାରେ ବାସ କରୁଛନ୍ତି। ସେତେବେଳେ ବନ ବିଭାଗ ପକ୍ଷରୁ ପ୍ରତି ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଇଥିଲା। ନୂଆରାଇଗୁଡ଼ା ଗାଁକୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା।  କିନ୍ତୁ ଗ୍ରାମବାସୀଙ୍କ ନିକଟରେ ମୌଳିକ ସୁବିଧା ଏବେ ବି ଅପହଞ୍ଚ ହୋଇ ରହିଛି। ବିଶେଷ କରି ଗାଁର ପାନୀୟ ଜଳ କ୍ଷାରିଆ ହୋଇଥିବା ବେଳେ ଏଥିରେ ଅଧିକ ଲୌହ ଅଂଶ ରହୁଛି। ତେଣୁ ତାହା ପାନୀୟ ଉପଯୋଗୀ ନୁହେଁ ବୋଲି ଗାଁର ଲୋକମାନେ ଅଭି‌ଯୋଗ କରିଛନ୍ତି। ଏହି ପାଣି ପିଇବା ଦ୍ବାରା ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଗାଁର ଜଳଧର ପ୍ରଧାନ, ଖୁଲଣା ଦେହୁରୀ, ରାମ ପ୍ରଧାନଙ୍କ ସମେତ ଅନ୍ୟ କେତେକ ୩୦ରୁ ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲାଣି। ସେହିପରି ଗାଁଣ ମୂଳିଆ ପ୍ରଧାନ, ଗଦେଇ ପଧାନ, ସାବିତ୍ରୀ ଦେହୁରୀ, ମହର୍ଗା ପଧାନ, ରମେଶ ଦେହୁରୀ, ରତ୍ନାକର ପଧାନ ପ୍ରମୁଖଙ୍କର ୫୦ରୁ ୬୦ ବର୍ଷ ବୟସ ମଧ୍ୟରେ ମୃତ୍ୟୁ ଘଟିଛି। ସେମାନେ ଜଙ୍ଗଲ ଭିତରେ ନିଜ ଭିଟାମାଟିରେ ବାସ କରୁଥିବା ବେଳେ ଗାଁର ମୃତ୍ୟୁ ସଂଖ୍ୟା ଏତେ ଅଧିକ ନଥିଲା ବୋଲି ଗ୍ରାମବାସୀ କହିଛନ୍ତି। ନୂଆରାଇଗୁଡ଼ା ଗାଁକୁ ଆସିବା ପରେ ଅଜଣା ରୋଗ ଜୀବନ ନେଉଛି।  ଗ୍ରାମବାସୀଙ୍କର ଅକାଳ ମୃତ୍ୟୁର ପ୍ରକୃତ କାରଣ ପ୍ରଶାସନ ପକ୍ଷରୁ ଅନୁସଂଧାନ କରାଯିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଭୁବନେଶ୍ବରରୁ ଏକ ଟିମ୍‌ ଆସି ଗାଁରୁ ପାନୀୟଜଳ ନମୁନା ସଂଗ୍ରହ କରି ଫେରିଛି।