ଅଜଣା ରୋଗ ଆତଙ୍କ: ମାଲକାନଗିରିରେ ୬ ମଲେଣି, ତଥାପି କ୍ବାକ୍ ଭରସା

ଲୋକ ଶୁଣୁନାହାନ୍ତି, ଡାକ୍ତରୀ ଟିମ୍‌ର ମୁଣ୍ଡବ୍ୟଥା

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପୁଣି ଅଜଣା ରୋଗର ଆତଙ୍କ ଦେଖାଦେଇଛି। ଏହି ରୋଗ ଗତ ୧୦ ଦିନ ମଧ୍ୟରେ ୬ ଜଣଙ୍କର ଜୀବନ ନେଇସାରିଛି। ଏବେ ବି ୧୦ ଜଣ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏହାସତ୍ତ୍ବେ ବି ଆକ୍ରାନ୍ତମାନେ ଡାକ୍ତରଖାନା ନୁହେଁ, କ୍ବାକ୍‌ ଉପର ଭରସା କରୁଛନ୍ତି। ଆଜି ଜଣେ କ୍ବାକ୍‌ ଚିକିତ୍ସା କରୁଥିବା ସମୟରେ ଧରାପଡ଼ି ଗିରଫ ହୋଇଛି।

ଏହି ଜିଲ୍ଲା ମାଥିଲି ବ୍ଲକ୍ ସାଲିମି ପଞ୍ଚାୟତ ଅନ୍ତର୍ଗତ ହଳଦୀକୁଣ୍ଡ ଗ୍ରାମରେ ଗତ ୧୦ ଦିନ ହେଲା ଅଜଣା ରୋଗର ଆତଙ୍କ ଦେଖିବାକୁ ମିଳିଛି। ଲୋକଙ୍କ ଗୋଡ଼ହାତ ଫୁଲିବା ସହ ପେଟ ଫୁଲି ମୃତ୍ୟୁବରଣ କରୁଛନ୍ତି। ଏହି ରୋଗରେ ଗ୍ରାମର ୬ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଏବେ ବି ଗ୍ରାମର ଅର୍ଦ୍ଧାଧିକ ଲୋକଙ୍କୁ ଗ୍ରାସ କରିସାରିଲାଣି। ଲୋକେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି।

ଚିକିତ୍ସା କରୁଥିବାବେଳେ ବନ୍ଧାହେଲେ କ୍ବାକ୍‌
୧୦ ଦିନରେ ୬ ମୃତ୍ୟୁ ସହ ୧୦ ଜଣ ଆକ୍ରାନ୍ତ

ଖବର ପାଇ ମାଥିଲି ମେଡିକାଲ ଟିମ୍ ହଳଦୀକୁଣ୍ଡ ଗ୍ରାମରେ ପହଞ୍ଚି ଲୋକଙ୍କୁ ସେବା ଯୋଗାଇବାକୁ ଚେଷ୍ଟା କରୁଛି। କିନ୍ତୁ ଲୋକେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଏବଂ ଡାକ୍ତରଙ୍କର ସେବା ନେବାକୁ ସଫା ସଫା ମନା କରି ଦେଉଥିବା ଦେଖିବାକୁ ମିଳିଛି। ଡାକ୍ତରୀ ଚିକିତ୍ସାରେ ହିଁ ଲୋକେ ମରୁଛନ୍ତି, ତେଣୁ ଆମେ ଦିସାରୀ ଗୁଣିଆ ପାଖରେ ଚିକିତ୍ସା କରିବୁ ପଛେ ଡାକ୍ତରଖାନା ଯିବୁ ନାହିଁ ବୋଲି ଲୋକେ କହୁଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ଗ୍ରାମବାସୀଙ୍କର ଏହି ଯୁକ୍ତି ଶୁଣି ଡାକ୍ତରୀ ଦଳ ପାଇଁ ଏବେ ମୁଣ୍ଡବ୍ୟଥା ପାଲଟିଛି। ଗତକାଲି ଜଣେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଡାକ୍ତରଖାନାକୁ ଆଣୁଥିବା ବେଳେ ବାଟରେ ମୃତ୍ୟୁ ଘଟିଥିଲା। ତେଣୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଗଲେ ମୃତ୍ୟୁ ସୁନିଶ୍ଚିତ ବୋଲି ଗ୍ରାମବାସୀ କହିବା ସହ ଭୟଭୀତ ହୋଇପଡ଼ିଛନ୍ତି। ତଥାପି ଗ୍ରାମରେ ବର୍ତ୍ତମାନ ଯେଉଁମାନେ ରୋଗରେ ପଡ଼ି ଘରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସମସ୍ତଙ୍କୁ ଡାକ୍ତରୀ ଦଳ ତୁରନ୍ତ ମେଡିକାଲ ଯିବାକୁ ଅଡ଼ି ବସିଛନ୍ତି। ସମସ୍ତଙ୍କର ଗୋଡ ଫୁଲିଯାଉଥିବା ବେଳେ ଧୀରେ ଧୀରେ ଶରୀରର ଅନ୍ୟ ଅଂଶ ମଧ୍ୟ ଫୁଲିବାକୁ ଲାଗୁଛି। ଯାହାଫଳରେ ରୋଗୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ମୃତ୍ୟୁବରଣ କରୁଛନ୍ତି। ଆଜି ମେଡିକାଲ ଟିମ୍ ଗ୍ରାମକୁ ଯିବା ସମୟରେ ଜଣେ କ୍ବାକ୍ ରୋଗୀଙ୍କ ଚିକିତ୍ସା କରୁଥିବା ଦେଖି ମାଥିଲି ପୁଲିସକୁ ଖବର ଦେଇଥିଲେ। ପୁଲିସ ସେଠାରେ ପହଞ୍ଚି ସାଲିମି ଗ୍ରାମର ନରେନ୍ଦ୍ର ମାଦ୍ରି ନାମକ ଜଣେ କ୍ବାକକୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ଜଣାପଡ଼ିଛି।

ପ୍ରକାଶ ଥାଉକି, ଗତ ମାସରେ ମାଲକାନଗିରି ଜିଲ୍ଲାର କାଲିମେଳା ଅଞ୍ଚଳରେ ଅଜଣା ରୋଗରେ କିଛି ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ଅଜଣା ରୋଗ ମାଥିଲି ଅଞ୍ଚଳକୁ ଗ୍ରାସ କରିଛି। ତେବେ ଏମାନେ କେଉଁ ପାଣି ପିଉଛନ୍ତି ଏବଂ କ’ଣ ଖାଦ୍ୟ ଖାଉଛନ୍ତି ତାହା ଉପରେ ଡାକ୍ତରୀ ଦଳ ତଦନ୍ତ କରୁଥିବା ଜଣାପଡ଼ିଛି। ତୁରନ୍ତ କୌଣସି ପଦକ୍ଷେପ ନନେଲେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର