ଦଶମନ୍ତପୁର: ଝାଡ଼ାବାନ୍ତି ପରେ ଦଶମନ୍ତପୁର ବ୍ଲକରେ ବ୍ୟାପିଲା ଅଜଣା ରୋଗ। ଗାଦିଆଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ପଞ୍ଚଡ଼ାପଦର ଗାଁର ଅଧିକାଂଶ ଲୋକ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କ ରହିଛନ୍ତି। ପ୍ରାୟ ୧୧ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ସୂଚନା ମିଳିଛି। ଲକ୍ଷଣରୁ ରୋଗ ଚିହ୍ନଟ କରିବା କଷ୍ଟକର ହେଉଛି। ଡାକ୍ତରଙ୍କୁ ଦେଖାଇ ଔଷଧ ଖାଇବା ସତ୍ତ୍ବେ କୌଣସି ପ୍ରଭାବ ପଡ଼ୁନଥିବା ଜଣାପଡ଼ିଛି।
ଗ୍ରାମବାସୀଙ୍କ କହିବା ହେଲା, ପ୍ରଥମେ ଶରୀରରେ ଛୋଟ ଛୋଟ ଫୋଟକା ହେଉଛି। ଯାହା ବଡ଼ ହୋଇ ଆପେଆପେ ଫାଟି ଯାଉଛି। ପୂରା ଶରୀର ଏବଂ ମୁଣ୍ଡ ପ୍ରବଳ ବିନ୍ଧୁଛି। ଗାଁର ପ୍ରାୟ ୭୦ପ୍ରତିଶତ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇସାରିଲେଣି ବୋଲି ରାମ ସାଉନ୍ତା, ଦୁଲିଆ ସାଉନ୍ତା, ଭିଙ୍ଗୁ ସାଉନ୍ତା ପ୍ରକାଶ କରିଛନ୍ତି। ବର୍ତ୍ତମାନ ଗାଁର ମମତା ସାଉନ୍ତା, ମିକି ସାଉନ୍ତା, ଜାମ୍ବଲି ସାଉନ୍ତା, ଲିପସା ସାଉନ୍ତା, ସୁନ୍ଦରୀ ସାଉନ୍ତା, ଝାଡ଼ୁ ସାଉନ୍ତା, ଜୟନ୍ତୀ ସାଉନ୍ତା, ଆରନ୍ତି ସାଉନ୍ତା, ରୁନି ସାଉନ୍ତା, ଅଭିୟ ସାଉନ୍ତା, ଶାନ୍ତି ସାଉନ୍ତା ପ୍ରମୁଖ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। ଡିଆଁ ରୋଗ ଭଳି ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପୁଥିବା ଗ୍ରାମବାସୀ କହିଛନ୍ତି। ଗାଁର ଦୁଇ ଜଣ ପୋଡ଼ାଗଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ। ଡାକ୍ତରଙ୍କୁ ଦେଖାଇ ଔଷଧ ନେଇ ଘରକୁ ଫେରିଥିଲେ। ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା କରିଥିଲେ। କିନ୍ତୁ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବା ସହ ଗାଁର ଅନ୍ୟମାନେ ମଧ୍ୟ ଆକ୍ରାନ୍ତ ହୋଇଥିଲେ।
ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ଲୋକେ ଆଉ ଡାକ୍ତରଙ୍କୁ ଭରସା କରିପାରୁ ନାହାନ୍ତି। ତେଣୁ ଦିଶାରୀ ଦ୍ବାରା ଝଡ଼ାଫୁଙ୍କା ଏବଂ ଦେଶୀ ଔଷଧର ସାହାରା ନେଇଛନ୍ତି। ମିଳିମିଳା ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ଗାଁର ପରିସ୍ଥିତି ସଂପର୍କରେ ଭ୍ରାମ୍ୟମାଣ ଚିକିତ୍ସା ଟିମ୍ର ଡାକ୍ତର ବ୍ରଜ ବିହାରୀ ଶର୍ମାଙ୍କୁ ପଚାରିବାରୁ ବର୍ତ୍ତମାନ ଡାକ୍ତରଖାନାରେ କମ୍ ସଂଖ୍ୟକ ଡାକ୍ତର ରହିଥିବା ଦର୍ଶାଇ ଅତି ହାଲ୍କା ଭାବେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ। ଯାହାକୁ ସାଧାରଣରେ ତିବ୍ର ନିନ୍ଦା କରାଯାଇଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି। ନଚେତ ଆଗକୁ ପରିସ୍ଥିତି ବିସ୍ଫୋରକ ହୋଇପାରେ ବୋଲି ଗ୍ରାମବାସୀ କହିଛନ୍ତି।