ମାଲକାନଗିରି : ମାଲକାନଗିରି ବ୍ଲକ୍ ପେଡ଼ା କୋଣ୍ଡା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡ଼ା ଗାଁରେ ଅଜଣା ରୋଗ ଆତଙ୍କ। ଗତ ୩ଦିନ ମଧ୍ୟରେ ଏହି ଗାଁର ୩ଜଣ ପ୍ରାଣ ହରାଇ ସାରିଲେଣି। ସେହିପରି ଫେବ୍ରୁଆରି ମାସରୁ ଆଜି ସୁଦ୍ଧା ମୋଟ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ଗାଁର ଭୀମ କାବାସୀଙ୍କ ପୁଅ ସମରା କାବାସୀ (୨୫) ଏହି ରୋଗରେ ପ୍ରାଣ ହରାଇବା ପରେ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ସାଧାରଣ ଲକ୍ଷଣ ରହିଥିବା ବେଳେ ରୋଗ ଚିହ୍ନଟ ନହେବା ଏବେ ସ୍ବାସ୍ଥ୍ୟ ବିଭାଗର ଚିନ୍ତାକୁ ବଢ଼ାଇ ଦେଇଛି।
ପ୍ରଥମେ ଗୋଡ଼, ହାତ ଫୁଲି ଯାଉଛି। ଏହାପରେ ଜ୍ବର ହୋଇ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଉଛି। ଔଷଧ ଦ୍ବାରା ରୋଗ ଉପଶମ ହେଉ ନାହିଁ। ଗତ ଫେବ୍ରୁଆରି ମାସରୁ କେନ୍ଦୁଗୁଡ଼ା ଗାଁରେ ଏମିତି ଅଜଣା ରୋଗ ବ୍ୟାପୀ ୧୦ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ୧୦ଦିନ ତଳେ ଆଇତା ମୁସାକି, ଉଙ୍ଗା ମାଡ଼କାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଯୁବକ ସମରା କାବାସୀ ଏହି ରୋଗରେ ପ୍ରାଣ ହରାଇଛନ୍ତି। ଆଦିବାସୀ ବହୁଳ ଅଞ୍ଚଳରେ ଏଭଳି ଅକାଳ ମୃତ୍ୟୁ କୋକୁଆ ଭୟ ସୃଷ୍ଟି କରିଛି। ଫେବ୍ରୁଆରି ମାସରେ ଏହି ରୋଗରେ ପ୍ରଥମ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ତେଣୁ ଦୁଇ ମାସ ତଳେ ସ୍ବାସ୍ଥ୍ୟ ବିଭାଗର ଗୋଟିଏ ଟିମ୍ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲା। କିନ୍ତୁ ରୋଗ ଚିହ୍ନଟ କରିବାରେ ବିଭାଗ ବିଫଳ ହୋଇଥିଲା। ତେବେ ବିଭାଗ ପକ୍ଷରୁ ସଫେଇ ଦିଆଗଲା ଯେ, ଦୂଷିତ ପାଣି ଯୋଗୁଁ କିଡନି ରୋଗରେ ଲୋକଙ୍କର ମୃତ୍ୟୁ ହେଉଛି। ଏହାପରେ ଆଉ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ଲୋକେ ଏତେମାତ୍ରାରେ ଆତଙ୍କିତ ହୋଇ ରହିଛନ୍ତି ଯେ, ସ୍ବାସ୍ଥ୍ୟ ବିଭାଗ ଉପରୁ ଆସ୍ଥା ହରାଇ ଗୁଣିଗାରେଡ଼ିର ସାହାରା ନେବା ଆରମ୍ଭ କରିଛନ୍ତି।
ଏଭଳି ମୃତ୍ୟୁର ତଦନ୍ତ କରି ତୁରନ୍ତ ପ୍ରତିକାର ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମି ଦାବି କରିଛନ୍ତି। ଚଳିତ ମାସ ୩ଜଣଙ୍କ ମୃତ୍ୟୁ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ନିକଟରେ କୌଣସି ଖବର ନାହିଁ। ଏନେଇ ସିଡିଏମ୍ଓଙ୍କୁ ସୂଚନା ଦେବାରୁ କିଡନି ରୋଗ ଯୋଗୁଁ ଲୋକେ ପ୍ରାଣ ହରାଉଥିବା ସେ କହିଥିଲେ ବୋଲି ଶ୍ରୀ ପଡ଼ିଆମି କହିଛନ୍ତି। ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।