ବିମାନ ବନ୍ଦରକୁ ଧମକ : ‘ହ୍ୟାଲୋ ! ମୁଁ ପରିଡା କହୁଛି… ମୁଁ ଲୋକାଲ ଲୋକ, ୧୦ ମିନିଟ୍ ଭିତରେ ବିମାନବନ୍ଦର ଉଡାଇଦେବି…’

ଭୁବନେଶ୍ୱର : ‘ହ୍ୟାଲୋ ମୁଁ ପରିଡା କହୁଛି କାଲି ମୋର ଗୋଟିଏ ଗଞ୍ଜେଇ ଅଖା ମୁମ୍ବାଇ ଯିବ । କେଉଁଥିରେ ଯିବ କେମିତି ଯିବ ସେ କଥା ତୁମେ ବୁଝିବ । ଯଦି ଏଥିରେ କିଛି ଭୁଲ ହେବ ତେବେ ପରିସ୍ଥିତି ଭୟଙ୍କର କରିଦେବି। ମୋ ଘର ଖଣ୍ଡଗିରି, ମୁଁ ଲୋକାଲ ଲୋକ ୧୦ ମିନିଟ୍ ଭିତରେ ବିମାନବନ୍ଦର ଉଡାଇଦେବି ପରେ ଆଉ ପରିଡାକୁ ଦୋଷ ଦେବନି କହିଦେଉଛି ।’

ଇଏ କୌଣସି ଯାତ୍ରା ନାଟକର ସଂଳାପ ନୁହେଁ, ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକଙ୍କୁ ଫୋନ ଯୋଗେ ଏପରି ଧମକ ମିଳିଛି। ନିଜକୁ ‘ପରିଡ଼ା’ ବୋଲି ପରିଚୟ ଦେଇ ଜଣେ ବ୍ୟକ୍ତ ୭୮୭୩୬୦୫୯୩୩ ନମ୍ବରରୁ ବାରମ୍ବାର କଲ କରି ଏପରି ଧମକ ଦେଉଥିବା ଅଭିଯୋଗ କରିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ । ଗୁରୁବାର ପୂର୍ବାହ୍ଣରେ ବିମାନ ବନ୍ଦର ଲ୍ୟାଣ୍ଡ ଲାଇନକୁ ବାରମ୍ବାର ଧମକ ଆସିବା ପରେ ବିମାନବନ୍ଦର କର୍ତ୍ତୁପକ୍ଷ ଏୟାର ଫିଲ୍ଡ ଥାନାରେ ଏତଲା ଦେଇଥିବା ଜଣାଇଛନ୍ତି ।

ସମ୍ପୃକ୍ତ ନମ୍ବରକୁ ଅଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକଙ୍କ କହିବା ମୁତାବକ ଭୁବନେଶ୍ୱର ବିମାନବନ୍ଦରର ଅଫିସ୍ ଲ୍ୟାଣ୍ଡଲାଇନକୁ ଏହି ଅଜଣା ନମ୍ବରରୁ କଲ ଆସିଥିଲା । ଅଫିସ ଫୋନ ନିର୍ଦ୍ଦେଶକଙ୍କ ପି.ଏ ରିସିଭ କରିବା ପରେ ବ୍ୟକ୍ତି ଜଣକ ଓଡ଼ିଆରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଧମକ ଦେଇଥିଲା ବୋଲି ନିର୍ଦ୍ଦେଶକ କହିଛନ୍ତି ।

ଏଯାବତ୍ କିଏ ,କେଉଁ ଉଦ୍ଦେଶ୍ୟରେ ଏହି ଧମକ ଦେଉଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ଗୋଟିଏ ପଟେ ବିମାନବନ୍ଦରରୁ ଲଗାତାର ସୁନା ଜବତ ହେବା ଘଟଣାରେ ହୁଏତ କେହି ସୁନା ସ୍ମଗଲର କିମ୍ବା ଅପରାଧୀ ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । କେବଳ ଏତିକି ନୁହେଁ, ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ୨୬ରେ କଟକ ଆସୁଥିବା ବେଳେ ଏଭଳି ଧମକ ପୂର୍ଣ୍ଣ ଫୋନକୁ ନେଇ ମଧ୍ୟ ପୋଲିସ୍ ତନାଘନା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର