ଅନଲକ୍‌ ୫.୦: ନିର୍ବାଚନୀ ସଭାସମିତିକୁ ସର୍ତ୍ତମୂଳକ ଅନୁମତି; ଅନ୍ୟ ସବୁ ସମାବେଶ ବନ୍ଦ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ସନ୍ଧ୍ୟାରେ ଅନଲକ୍‌ ୫.୦ ଗାଇଡ୍‌ଲାଇନ ବା ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାରେ କୋଭିଡ୍‌-୧୯ ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟରେ ରାଜ୍ୟରେ ସମସ୍ତ ପ୍ରକାରର ସାମାଜିକ, ରାଜନୈତିକ, କ୍ରୀଡ଼ା, ଶୈକ୍ଷିକ, ସାଂସ୍କୃତିକ ଓ ଧାର୍ମିକ ସମାବେଶ ସମେତ ଏହି ଧରଣର ଅନ୍ୟ ସବୁ ସମାବେଶ ଉପରେ ଜାରିଥିବା ନିଷେଧାଦେଶକୁ ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି।

ତେବେ, ଆସନ୍ତା ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ସମୟ ମଧ୍ୟରେ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ସର୍ତ୍ତମୂଳକ ରାଜନୈତିକ ବା ନିର୍ବାଚନୀ ସମାବେଶ ପାଇଁ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରା ଯାଇଥିବା ସର୍ତ୍ତ ଅନୁଯାୟୀ କୌଣସି ନିର୍ବାଚନୀ ସମାବେଶରେ ଏକକାଳୀନ ୧୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏକତ୍ରିତ ହୋଇ ପାରିବେ ନାହିଁ। ନିର୍ବାଚନୀ ସମାବେଶ ଆୟୋଜନ କରୁଥିବା ରାଜନୈତିକ ଦଳ ବା ପ୍ରାର୍ଥୀଙ୍କୁ ପ୍ରସ୍ତାବିତ ସମାବେଶ ପାଇଁ ନିର୍ବାଚନ କମିଶନ/ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କିମ୍ବା ସେମାନଙ୍କ ଦ୍ୱାରା ଅଧିକୃତ ହୋଇଥିବା ଅଧିକାରୀଙ୍କ ଠାରୁ ପୂର୍ବରୁ ଅନୁମତି ନେବାକୁ ପଡ଼ିବ। ବିନା ଅନୁମତିରେ କୌଣସି ପ୍ରକାରର ନିର୍ବାଚନୀ ସମାବେଶର ଆୟୋଜନ ହୋଇପାରିବ ନାହିଁ।

ସେହିପରି ସମବେଶ ସ୍ଥଳୀରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ପାଇଁ ଥର୍ମାଲ ସ୍କିନିଂ, ମାସ୍କ ପରିଧାନ ସହ ସାମାଜିକ ଓ ଶାରୀରିକ ଦୂରତା (ପରସ୍ପର ମଧ୍ୟରେ ୬ ଫୁଟର ବ୍ୟବଧାନ) ଓ ହାତ ଧୋଇବା ବା ସାନିଟାଇଜ୍‌ କରିବାକୁ ବାଧ୍ୟତାମୂଳକ କରାଯିବା ସହ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଯଦି କୌଣସି ହଲ, ଅଡିଟୋରିୟମ ବା ରୁଦ୍ଧ କଠୋରିରେ ଏହି ସମାବେଶ ଆୟୋଜିତ ହେଉଥାଏ ତେବେ ସେଠାରେ ଥିବା କ୍ଷମତାର ମାତ୍ର ୫୦ ପ୍ରତିଶତ ବ୍ୟକ୍ତି ବିଶେଷଙ୍କ ପାଇଁ ଅନୁମତି ମଳିବ। ପୁଣି ଏ ସଂଖ୍ୟା ମଧ୍ୟ କୌଣସି ପରିସ୍ଥିତିରେ ୧୦୦ ଟପି ପାରିବ ନାହିଁ ବୋଲି ଗାଇଡ୍‌ଲାଇନରେ ସ୍ପଷ୍ଟ କରିଦିଆ ଯାଇଛି। ଏବଂ ଏସବୁର କଡ଼ାକଡ଼ି ପାଳନକୁ ତଦାରଖ କରିବାକୁ ସଂପୃକ୍ତ ନିର୍ବାଚନୀ ମଣ୍ଡଳୀର ଦାୟିତ୍ୱରେ ଥିବା ଜିଲ୍ଲପାଳମାନଙ୍କୁ ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧିତ ଖବର