ସଂକ୍ରମଣ କମ୍ ଥିଲେ ଅନ୍‌ଲକ୍‌, କୋଭିଡ୍‌ ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀଙ୍କ ‌ସଙ୍କେତ

ଶିଶୁଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଉପରେ ଗୁରୁତ୍ବ, କମ୍‌ ସଂକ୍ରମିତ ଜିଲ୍ଲାରେ କୋହଳ ହେବ କଟକଣା

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଜାରି ରହିଛି। ସଂକ୍ରମଣ କମିଥିବା ତିନିଟି ଜିଲ୍ଲାରେ କଟକଣା ସାମାନ୍ୟ କୋହଳ ଅଛି। ଅନ୍ୟ‌ ଯେଉଁ ଜିଲ୍ଲାଗୁଡ଼ିକରେ ଏବେ ସଂକ୍ରମଣ ହାର କମୁଛି, ସେଠାରେ ପର୍ଯ୍ୟାୟକ୍ରମେ ଅନ୍‌-ଲକ୍‌ ପ୍ରକ୍ରିୟା ଆରମ୍ଭ କରିବା ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି। ଆଜି ରାଜ୍ୟରେ କୋଭିଡ୍‌ ପରିସ୍ଥିତି ସମ୍ପର୍କରେ ସୀମକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ କୋଭିଡ ସଂକ୍ରମଣରେ ଉନ୍ନତି ପରିଲକ୍ଷିତ ହେବା ସହିତ ପଜିଟିଭିଟି ରେଟ୍‌ ହ୍ରାସ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଆଶ୍ବସ୍ତି ପ୍ରକାଶ କରିଛନ୍ତି। ଆଗାମୀ କିଛି ସପ୍ତାହ ମଧ୍ୟରେ ପରିସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ସେ ଆଶାପ୍ରକାଶ କରିଥିଲେ।

କେତେକ ଜିଲ୍ଲାରେ ପଜିଟିଭ୍‌ ରେଟ୍‌ ଅଧିକ ଥିବାରୁ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହା ସହିତ ବର୍ତ୍ତମାନ ଚାଲିଥିବା ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ସମ୍ପର୍କରେ ସଚେତନତା ସହିତ ତାର ଉପଯୁକ୍ତ ତଦାରଖ ଏବଂ ଲକ୍ଷଣଯୁକ୍ତ ରୋଗୀଙ୍କର ତୁରନ୍ତ ଚିକିତ୍ସା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ଆସିଥିଲେ ମଧ୍ୟ ଦ୍ବିତୀୟ ଲହର ପ୍ରଭାବରୁ ଆମେ ଏବେ ମଧ୍ୟ ସଂପୂର୍ଣ୍ଣ ମୁକ୍ତ ହୋଇ ନାହୁଁ। ତାହା ସହିତ ବିଭିନ୍ନ ପର୍ବପର୍ବାଣି ଆସୁଥିବାରୁ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ। ଏଥି ପାଇଁ କୋଭିଡ୍‌ ନିୟମାବଳୀକୁ ଆହୁରି କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

କୋଭିଡ୍‌ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ସମ୍ପର୍କରେ ବିଶେଷଜ୍ଞମାନେ ମତ ଦେଉଥିବାରୁ ଏବେ ଠାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ପିଲାମାନଙ୍କ ପାଇଁ ସ୍ବତନ୍ତ୍ର କୋଭିଡ୍‌ ଚିକିତ୍ସା ସୁବିଧାର ବିକାଶ, ଆବଶ୍ୟକ ଉପକରଣ ଓ ଔଷଧ ମହଜୁଦ ରଖିବା ସଙ୍ଗେ ସଙ୍ଗେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଶିଶୁ ରୋଗ ସମ୍ପର୍କରେ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତୃତୀୟ ଲହର ପାଇଁ ଗଠିତ ଟେକ୍ନିକାଲ୍‌ ଟାସ୍କଫୋର୍ସ କମିଟି ସୁପାରିସ୍‌ ଅନୁଯାୟୀ ଆଗୁଆ ପ୍ରସ୍ତୁତି କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ରାଜ୍ୟରେ ଦୈନିକ ଟିକାକରଣ ଦେଢ ଲକ୍ଷ ଥିବାବେଳେ, ଏହାକୁ ୩ ଲକ୍ଷକୁ ବୃଦ୍ଧି କରିବା ପାଇଁ କହିଥିଲେ। ସେହିପରି ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହିତ ସେଥି ପାଇଁ ଆବଶ୍ୟକ ଔଷଧ ମହଜୁଦ ରଖିବା ଏବଂ ଆବଶ୍ୟକ ସ୍ଥଳେ ଜରୁରୀ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ। ରାଜ୍ୟରେ ଅକ୍ସିଜେନ ଯୋଗାଣ ସନ୍ତୋଷଜନକ ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟା ପ୍ରଭାବିତ ଅଞ୍ଚଳରେ କୋଭିଡ୍‌ ସଂକ୍ରମଣରେ କୌଣସି ବୃଦ୍ଧି ଘଟି ନ ଥିବା ଆଶ୍ବସ୍ତିର ବିଷୟ। ରାଜ୍ୟରେ ପିଜିଟିଭିଟି ହାର କମିଥିବାରୁ ଆଇସିୟୁ ଓ ଅକ୍ସିଜେନ୍‌ ସଂଯୁକ୍ତ ବେଡ୍‌ ଉପରେ ଚାପ ହ୍ରାସ ପାଇଛି। ଖୁବ୍‌ ଶୀଘ୍ର ସଂକ୍ରମଣ ୫ ପ୍ରତିଶତକୁ ହ୍ରାସ ପାଇବ ବୋଲି ସେ ଆଶାପ୍ରକାଶ କରିଥିଲେ। କୋଭିଡର ସ୍ଥିତି ସଂପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ, ରାଜ୍ୟରେ ବର୍ତ୍ତମାନ ୮୬ ପ୍ରତିଶତ କୋଭିଡ୍‌ ରୋଗୀ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ଡାକ୍ତରଖାନାରେ ୬୮ ପ୍ରତିଶତ ବେଡ୍‌ ଖାଲି ରହିଛି। ରାଜ୍ୟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ମେଡିକାଲ କଲେଜ ପର୍ଯ୍ୟନ୍ତ ୧୧୧୪ ଡାକ୍ତର ଓ ୧୦୩୬ ସ୍ବାସ୍ଥ୍ୟକର୍ମୀଙ୍କୁ ଶିଶୁ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ତାଲିମ ଆରମ୍ଭ କରାଯିବ। ଏହା ସହିତ ତୃତୀୟ ଲହରର ମୁକାବିଲା ପାଇଁ ୩୦୦୦ ବେଡ୍, ୨୩୯୦ ଆଇସୋଲେସନ୍ ବେଡ୍‌, ୬୧୦ ଅାଇସିୟୁ ବେଡ୍‌ ପ୍ରସ୍ତୁତ ରଖାଯାଇଛି। ଜୁନ୍‌ ମଧ୍ୟ ଭାଗରୁ ଗଞ୍ଜାମ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଚତୁର୍ଥ ସେରୋ ସର୍ଭେ ଆରମ୍ଭ କରାଯିବ ଏବଂ ଏଥିରେ ପିଲାମାନଙ୍କ ବିଷୟରେ ବିଶେଷ ତଥ୍ୟ ସଂଗ୍ରହ କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଅଧିକ ସଂକ୍ରମଣ ହାର ଥିବା ରାୟଗଡା, ଯାଜପୁର, ପୁରୀ ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ତଥା ଭୁବନେଶ୍ବର ଓ କଟକ ମହାନଗର ନିଗମ କମିସନର୍‌ମାନଙ୍କ ସହିତ ସ୍ଥାନୀୟ ପରିସ୍ଥିତି ସଂପର୍କରେ ପଚାରି ବୁଝିଥିଲେ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୩ ଲକ୍ଷ ୬୨ ହଜାର ୧୦୫ ଡୋଜ୍‌ ଟିକା ଦିଆଯାଇଛି ଏବଂ ଟିକାକରଣ କ୍ଷେତ୍ରରେ ଭୁବନେଶ୍ବର ସବୁଠାରୁ ଆଗରେ ରହିଛି। ଜୁଲାଇ ୧୫ ସୁଦ୍ଧା ଭୁବନେଶ୍ବରରେ ୪୫ ବର୍ଷରୁ ଉର୍ଦ୍ଧ୍ବ ସବୁ ଲୋକଙ୍କର ଦୁଇଟି ଡୋଜ ଟିକାକରଣ ହେବା ସହିତ ୧୮ ରୁ ୪୪ ବର୍ଷ ସମସ୍ତଙ୍କ ପ୍ରଥମ ଡୋଜ ସମ୍ପୂର୍ଣ୍ଣ ହୋଇଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକକୁ ସଂଚାଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର୍‌, ପୁଲିସ ଡିଜି, ଅଗ୍ନିଶମ ସେବା ଡିଜି, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପି ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର