କଟକଣାରେ ସବୁ ଖୋଲିବ; କଟକ, ଭୁବନେଶ୍ବର, ପୁରୀରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ

ମଲ୍‌, ସିନେମା ହଲ୍‌, ପ୍ରେକ୍ଷାଳୟ ଯିବା ପାଇଁ ଲୋଡ଼ା ଟିକାକରଣ ସାର୍ଟିଫିକେଟ୍‌

ରାତି ୮ରୁ ସକାଳ ୬ପର୍ଯ୍ୟନ୍ତ ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ
ଯାତ୍ରା, ଥିଏଟର, ଅପେରା, ପାର୍କ, ସମୁଦ୍ରକୂଳ ଖୋଲିଲା
ପର୍ଯ୍ୟଟନସ୍ଥଳୀ, ସୁଇମିଂ ପୁଲ୍‌, କୋଚିଂ ସେଣ୍ଟର ବି ଖୋଲିବ

ଭୁବନେଶ୍ବର : ଅଗଷ୍ଟ ପହିଲାରୁ ସାରା ରାଜ୍ୟରେ ଅନଲକ୍ ପର୍ଯ୍ୟାୟ ଆରମ୍ଭ ହେବ। ଏଥିରେ କଟକଣା ଭିତରେ ସବୁ ଖୋଲିବାକୁ ଅନୁମତି ଦିଆଯାଇଛି। ସବୁ ଦୋକାନ ବଜାର ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲିବ। କିନ୍ତୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗି ରହିବ। କେବଳ କଟକ, ଭୁବନେଶ୍ବର ଓ ପୁରୀ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ ସତ୍ତ୍ବେ କରୋନା ସଂକ୍ରମଣ କମିଥିବାରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଉନ୍ନୟନ କମିସନର ତଥା ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି। କରୋନା ସଂକ୍ରମଣ ହାରକୁ ଦେଖି ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବିଭିନ୍ନ କଟକଣା କୋହଳ କରାଯାଇଛି।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ସାରା ରାଜ୍ୟରେ ଦୋକାନ ଓ ମଲ୍‌ ଆଦି ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ଭୁବନେଶ୍ବର, କଟକ ଓ ପୁରୀ ସହରରେ ଶନିବାର ଓ ରବିବାର ଦୋକାନ ବଜାର ବନ୍ଦ ରହିବ। ଧାର୍ମିକ, ରାଜନୈତିକ, ସାଂସ୍କୃତିକ ସଭାସମିତି, ପ୍ରଦର୍ଶନୀ, ବାଣିଜ୍ୟିକ ମେଳା, ସାଧାରଣ ସମାବେଶ ଓ ମେଳା ମହୋତ୍ସବ ଆଦି ବନ୍ଦ ରହିବ।

ସମୁଦ୍ରକୂଳ, ପାର୍କ, ଆହାର କେନ୍ଦ୍ର, ମଲ୍‌ ଆଦି ଖୋଲା ରହିବ। ମଲ୍‌ ମାଲିକମାନେ ଏକ ସମୟରେ ସୀମିତ ସଂଖ୍ୟକ ଲୋକଙ୍କୁ ମଲ୍‌ ଭିତରକୁ ଛାଡ଼ିବେ। ଢାବା, ରେସ୍ତୋରାଁ, ହୋଟେଲ ଆଦିରେ ଖାଇବା ସ୍ଥାନର ୫୦% ଗ୍ରାହକଙ୍କୁ ନେଇ ଚାଲିପାରିବ। ରାସ୍ତାକଡ଼ ଦୋକାନରେ ଲୋକ କୋଭିଡ୍ ନିୟମ ମାନି ଖାଇପାରିବେ। ଆହାର କେନ୍ଦ୍ରରେ ବି ଲୋକ ବସିକି ଖାଇପାରିବେ। ସେହିପରି ସିନେମା ହଲ୍‌, ପ୍ରେକ୍ଷାଳୟ, ଥିଏଟର୍, ନାଟ୍ୟଶାଳା ଏବଂ ସମ୍ମିଳନୀ କକ୍ଷଗୁଡ଼ିକ ୫୦% ଦର୍ଶକଙ୍କୁ ନେଇ ଚାଲିପାରିବ। ‌କେବଳ, କଟକ, ଭୁବନେଶ୍ବର ଓ ପୁରୀ ସହରରେ ସିନେମା ହଲ୍‌, ଥିଏଟର୍, ପ୍ରେକ୍ଷାଳୟ, ମଲ୍‌ ଆଦି ସ୍ଥାନକୁ ପ୍ରବେଶ କରିବାକୁ ହେଲେ ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ୨ଡୋଜ୍ ଟିକା ନେଇଥିବାର ପ୍ରମାଣ ଦେଖାଇବାକୁ ହେବ। ସବୁ ସ୍ଥାନରେ ନିତିଦିନିଆ ଓ ସାପ୍ତାହିକ ହାଟ ଖୋଲା ରହିବ।

ଶ୍ରଦ୍ଧାଳୁମାନେ କଟକଣା ସହ ମନ୍ଦିର, ଧାର୍ମିକ ସ୍ଥଳ, ପୂଜା ସ୍ଥାନକୁ ଯାଇପାରିବେ କି ନାହିଁ ସେ ନିଷ୍ପତ୍ତି ଜିଲ୍ଲାପାଳ ଓ ପୌର କମିସନରମାନେ ନେବେ। କିନ୍ତୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଭୁବନେଶ୍ବରର ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସନ ସଂପୃକ୍ତ ପରିଚାଳନା କମିଟି ଓ ଅନ୍ୟ ଭାଗିଦାରମାନଙ୍କ ସହ ଆଲୋଚନା କରି ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲିବ କି ନାହିଁ ସେ ନିଷ୍ପତ୍ତି ନେବେ। ତେବେ ମନ୍ଦିରକୁ ଯାଉଥିବା ଭକ୍ତ ଓ ଶ୍ରଦ୍ଧାଳୁ ପ୍ରସାଦ ଓ ଭୋଗ ଲାଗି କରାଇପାରିବେ ନାହିଁ।

ଯାତ୍ରା, ଥିଏଟର, ଅପେରା ଓ ମୁକ୍ତାକାଶ ରଙ୍ଗମଞ୍ଚ ଆଦିରେ ଦର୍ଶକମାନେ ପରସ୍ପରଠାରୁ ୬ଫୁଟର ବ୍ୟବଧାନ ରଖି ବସିପାରିବେ। ହେଲେ ସବୁ କାର୍ଯ୍ୟକ୍ରମ ରାତି ୮ଟା ଭିତରେ ହେବ। ବିବାହ, ବ୍ରତୋପନୟନ କାର୍ଯ୍ୟ ୨୫ଜଣ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ୨୦ଜଣ ବ୍ୟକ୍ତିଙ୍କୁ ନେଇ ଆୟୋଜନ ହେବ। ହେଲେ ଏଠାରେ ଭୋଜିଭାତ ହୋଇପାରିବନି। ଆୟୋଜକ ଚାହିଁଲେ ଅତିଥିଙ୍କୁ ଖାଦ୍ୟ ପ୍ୟ‌ାକେଟ୍ ଦେଇପାରିବେ।

ସମସ୍ତ ସରକାରୀ ଓ ବ୍ୟବସାୟିକ ସଭାରେ ଅତି ବେଶିରେ ୧୦୦ଜଣ, ଶିଳାନ୍ୟାସ ଓ ଉଦ୍‌ଘାଟନ ଆଦି କାର୍ଯ୍ୟକ୍ରମରେ ୩୦ଜଣ ଭାଗ ନେଇପାରିବେ। ସମସ୍ତ ଶିକ୍ଷାନୁଷ୍ଠାନ କୋଚିଂ ସେଣ୍ଟର ଆଦି ସଂପୃକ୍ତ ପ୍ରଶାସନିକ ବିଭାଗଙ୍କର ଗାଇଡ୍‌ଲାଇନ୍ ଅନୁସାରେ ଚାଲିପାରିବ। ସରକାରୀ ଓ ଘରୋଇ ସଂସ୍ଥାଗୁଡ଼ିକ ମଧ୍ୟ କୋଭିଡ ନିୟମ ଅନୁଯାୟୀ ତାଲିମ ଓ ଦକ୍ଷତା ଅଭିବୃଦ୍ଧି କାର୍ଯ୍ୟକ୍ରମ ଆୟୋଜନ କରିପାରିବେ।

ପର୍ଯ୍ୟଟନସ୍ଥାନ, ସଂଗ୍ରହାଳୟ, ପ୍ରତ୍ନତାତ୍ତ୍ବିକ ସ୍ଥାନ, ଇନ୍‌ଡୋର୍, ଆମୋଦପ୍ରମୋଦ ପାର୍କ, ୱାଟର ପାର୍କ, ଚିଡିଆଖାନା, ମୀନାବଜାର, ମାରି-ଗୋରାଉଣ୍ଡ ଦୋଳି, ସୁଇମିଂ ପୁଲ୍ ଆଦି ଖୋ‌ଲିବ।

ରାତ୍ରିକାଳୀନ କର୍ଫ୍ୟୁ, ସପ୍ତାହାନ୍ତ ସଟ୍‌ଡାଉନ୍ ସମୟରେ ଜରୁରୀକାଳୀନ ସେବା, ସ୍ବାସ୍ଥ୍ୟ ସେବା, କୋଭିଡ ପରୀକ୍ଷଣ, ଟିକାକରଣ ଆଦି କାର୍ଯ୍ୟ ଜାରି ରହିବ। ବିଜୁଳି, ବିମାନବନ୍ଦର, ପରିବହନ ଓ ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତିମାନେ ନିଜର ପରିଚୟପତ୍ର ଦେଖାଇ ଯାତ୍ରା କରିପାରିବେ। ବିମାନବନ୍ଦର, ରେଳଷ୍ଟେସନ ଓ ବସଷ୍ଟାଣ୍ଡରୁ ଅଟୋ ରିକ୍ସା ବା କ୍ୟାବ୍ ଚାଳକମାନେ ଯାତ୍ରୀ ନେବାଆଣିବା କରିପାରିବେ। କର୍ଫ୍ୟୁ ସମୟରେ ଯିବା ଆସିବା କରୁଥିବା ବ୍ୟକ୍ତି ଯାତ୍ରା ସମ୍ବନ୍ଧିତ ଟିକେଟ୍, ଦସ୍ତାବିଜ୍ ଓ ନିଜର ପରିଚୟପତ୍ର ‌େଦଖାଇ ଯାଇପାରିବେ।

କରୋନା ସ୍ଥିତି ପରିଚାଳନାରେ ଗ୍ରାମପଞ୍ଚାୟତଗୁଡ଼ିକର ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ନିଜ ଅଞ୍ଚଳରେ କରୋନା ପ୍ରତିରୋଧ ଜୀବନଧାରା ବିଷୟରେ ସଚେତନତା ସୃଷ୍ଟି, ବାହାରୁ ଆସୁଥିବା ଲୋକଙ୍କ ବିଷୟରେ ସୂଚନା ପ୍ରଦାନ, ସଂକ୍ରମଣ ସର୍ବେକ୍ଷଣ, ଘରୋଇ ପୃଥକାବାସରେ ରହୁଥିବା ଲୋକମାନଙ୍କର ସ୍ବାସ୍ଥ୍ୟାବସ୍ଥା ଉପରେ ଦୃଷ୍ଟି, ଆବଶ୍ୟକସ୍ଥଳେ ଡାକ୍ତରଖାନାକୁ ସ୍ଥାନାନ୍ତରଣ, କର୍ତ୍ତୃପକ୍ଷଙ୍କୁ କୋଭିଡ ନିୟମ ଉଲ୍ଲଂଘନ ସମ୍ବନ୍ଧିତ ସୂଚନା ପ୍ରଦାନ ଆଦି ବିଷୟରେ ଗ୍ରାମପଞ୍ଚାୟତର ସରପଞ୍ଚ ଓ ୱାର୍ଡମେମ୍ବରମାନଙ୍କ ସକ୍ରିୟ ସହାୟତା ଏକାନ୍ତ ଆବଶ୍ୟକ । କରୋନା ମୁକାବିଲା ପାଇଁ କରୋନା ପରୀକ୍ଷା, ଟ୍ରାକିଂ, ଚିକିତ୍ସା, ଟିକାକରଣ ଏବଂ କୋଭିଡ ନିୟମ ଅନୁପାଳନ ଆଦି ୫ସୂତ୍ରୀ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବ ବୋଲି ବୋଲି ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର