ବସ୍ ଧକ୍କାରେ ଆଖି ବୁଜିଲେ ଶଳା-ଭିଣୋଇ, ଉତ୍ତ୍ୟକ୍ତ ଲୋକଙ୍କ ଗାଡ଼ି ଭଙ୍ଗାରୁଜା, ରାସ୍ତା ଅବରୋଧ
ପଟ୍ଟାମୁଣ୍ଡାଇ/ରାଜନଗର: ରାଜନଗର-ପଟ୍ଟାମୁଣ୍ଡାଇ ରାସ୍ତାର ମଦନପୁର ଛକରେ ସ୍କୁଟି ଉପରେ ବସ୍ ଚଢ଼ିଯିବାରୁ ଘଟଣାସ୍ଥଳରେ ଭିଣୋଇଙ୍କର ମୃତ୍ୟୁ ଘଟିଥିଲା ବେଳେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶଳା ପ୍ରାଣ ହରାଇଛନ୍ତି। ଏହି ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକମାନେ ଟାୟାର୍ ଜାଳି ମଦନପୁର ନିକଟରେ ରାସ୍ତା ଅବରୋଧ କରିଛନ୍ତି।
ଆଜି ଅପରାହ୍ଣ ପ୍ରାୟ ସାଢ଼େ ୧ଟାରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ସମାଜସେବୀ ସରୋଜ ଧଳ (କାବୁଲି, ୫୭ବର୍ଷ) ଓ ତାଙ୍କ ଶାଳକ ରାଜନଗର ଥାନା ନଗଡ଼ ଗ୍ରାମର ଲମ୍ବୋଦର ପ୍ରଧାନ (୪୫) ସ୍କୁଟିରେ ମଦନପୁର ଛକକୁ ଆସୁଥିଲେ। କଟକରୁ ଦ୍ରୁତ ଗତିରେ ରାଜନଗର ଆସୁଥିବା ଶ୍ରୀଜଗନ୍ନାଥ ବସ୍ ସ୍କୁଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସରୋଜଙ୍କ
ମୃତ୍ୟୁ ଘଟିଥିଲା ବେଳେ ଗୁରୁତର ଅବସ୍ଥାରେ ଲମ୍ବୋଧରଙ୍କୁ ଚିକିତ୍ସା ପାଇଁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଲମ୍ବୋଦରଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ମଦନପୁର ନିକଟରେ ରାସ୍ତା ଅବରୋଧ କରିବା ସହ ବସ୍କୁ ଭଙ୍ଗାରୁଜା କରିଥିଲେ। ଦୁର୍ଘଟଣା ପରେ ବସ୍ର ଡ୍ରାଇଭର୍, ହେଲ୍ପର୍ ଓ କଣ୍ଡକ୍ଟର୍ ଫେରାର ହୋଇଯାଇଛନ୍ତି। ଦୁର୍ଘଟଣା ଘଟାଇଥିବା ବସ୍କୁ ପୁଲିସ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି।
ଦୁଇ ଟ୍ରକ୍ ମୁହାଁମୁହିଁ, ୩ ମୃତ, ୨ ଗୁରୁତର
ଦଶପଲ୍ଲା: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ରାଜପଥରେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଆଜି ଅପରାହ୍ଣରେ ଦଶପଲ୍ଲା ଥାନା ଟାକରା ନିକଟ ଅଶ୍ବିନୀବେରେଣା ଛକଠାରେ ଏକ ବାଇକ୍ ଓ କାର୍କୁ ବଞ୍ଚାଇବାକୁ ଯାଇ ଦୁଇ ମାଲ୍ ବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକ୍ଦୁଇଟି ଭାଙ୍ଗିରୁଜି ଛିନ୍ଛତ୍ର ହୋଇଯାଇଛି। ଟ୍ରକ୍ ତଳେ ବାଇକ୍ଟି ମଧ୍ୟ ଚାପି ହୋଇ ରହିଛି। ମରଣମୁହଁରୁ ଦୁଇ ବାଇକ୍ ଚାଳକ ବର୍ତ୍ତି ଯାଇଥିବାବେଳେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଅପରାହ୍ଣ ପ୍ରାୟ ୬ଟା ୨୦ରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅଭିମୁଖେ ଏକ ଲୁହାପଥର ବୋଝେଇ ଟ୍ରକ୍ ଯାଉଥିବା ବେଳେ ବିପରୀତ ଦିଗରୁ ଆଉ ଏକ ଟ୍ରକ୍ ଯାଉଥିଲା। ଉଭୟ ଟ୍ରକ୍ର ବେଗ ଅଧିକ ରହିଥିବା ବେଳେ ମଝିରେ ଏକ ବାଇକ୍ ଓ କାର୍ ରହିଥିଲା। ଏହାକୁ ସାଇଡ୍ ଦେବାକୁ ଯାଇ ଉଭୟ ଟ୍ରକ୍ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲେ। ବାଇକ୍ ଚାଳକଦ୍ବୟ ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ସେମାନଙ୍କ ଘର ଖୁଣ୍ଟବନ୍ଧ ଅଞ୍ଚଳରେ ବୋଲି ଜଣାପଡ଼ିଛି। ମାତ୍ର ଖବର ଲେଖାଯିବା ପର୍ଯ୍ୟନ୍ତ ମୃତବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ସ୍ଥାନୀୟ ଲୋକ, ଦଶପଲ୍ଲା ପୁଲିସ ଓ ବାଣିଗୋଛା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ାଙ୍କ ସମେତ ଦମକଳ ବାହିନୀ ଉପସ୍ଥିତ ରହି ଚାପିହୋଇ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି। ଏପଟେ ଦୁଇ ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ଘର ବିଶାଖାପାଟଣା ହୋଇଥିବା ବେଳେ ତାଙ୍କ ନାମ କୋୟା ମେହେର୍ ବୋଲି ଜଣାପଡ଼ିଛି। ଗୁରୁତରଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ନୟାଗଡ଼ ପଠାଯାଇଛି।
ଦେବଝରଣ ଜଳପ୍ରପାତରେ ବୁଡ଼ିଗଲେ ୨ ମେଡିକାଲ୍ ଛାତ୍ରଛାତ୍ରୀ
ଯୁଯୁମୁରା/ବୁର୍ଲା: ସମ୍ବଲପୁରଜିଲ୍ଲା ଯୁଯୁମୁରା ବ୍ଲକ୍ ଦେବଝରଣରେ ପୁଣି ଘଟିଛି ଅଘଟଣ। ଝରଣା ପାଣିରେ ଗାଧୋଇବାବେଳେ ଆଜି ଦୁଇଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତ ଦୁଇ ଛାତ୍ରଛାତ୍ରୀ ହେଲେ ବୁର୍ଲା ଭିମ୍ସାର୍ର ସନ୍ଦୀପ ପୁରୀ (୨୪) ଓ ମୋନିକା ମୀନା (୨୪)। ସନ୍ଦୀପଙ୍କ ଘର ନୂଆଦିଲ୍ଲୀର ନଜଫଗଡ଼ ଅଞ୍ଚଳରେ ଏବଂ ମୋନିକାଙ୍କ ଘର ରାଜସ୍ଥାନର ମାଉଣ୍ଟଆବୁରେ। ଶନିବାର ଦିନ ଉଭୟ ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ଦେବଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ। ଦିନ ପ୍ରାୟ ୧ଟା ୪୦ରେ ସାଙ୍ଗସାଥୀଙ୍କ ସହିତ ଗାଧୋଇବା ବେଳେ ଏମ୍ବିବିଏସ୍ ଶେଷବର୍ଷର ଏହି ଦୁଇ ଡାକ୍ତରୀ ଛାତ୍ରଛାତ୍ରୀ ଗଭୀର ଜଳରେ ବୁଡ଼ି ଯାଇଥିଲେ।
ସୂଚନା ଅନୁସାରେ ବର୍ଷା ପାଗରେ ବୁଲାବୁଲି କରିବା ପାଇଁ ଆଜି ସକାଳୁ ବୁର୍ଲା ଭିମସାର୍ର ୨ ଜଣ ଛାତ୍ର ଓ ୪ ଜଣ ଛାତ୍ରୀ ଏହି ଜଳପ୍ରପାତକୁ ବୁଲିବାକୁ ଆସିଥିଲେ। ପ୍ରାକୃତିକ ପରିବେଶ ମଧ୍ୟରେ ଜଳପ୍ରପାତରେ ଗାଧୋଇବେ ବୋଲି ଖୁବ୍ ଖୁସି ଥିଲେ। ତେବେ ବର୍ଷାଦିନ ଯୋଗୁଁ ଝରଣାରେ ଜଳଧାରା ଅଧିକ ଥିବା କେହି ଜାଣିପାରି ନଥିଲେ। ସମସ୍ତେ ଗାଧୋଉଥିବାବେଳେ ସନ୍ଦୀପ ଓ ମୋନିକା ଗଭୀର ଜଳରେ ବୁଡ଼ି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନା ପରିସରରେ ବୁର୍ଲା ଭିମ୍ସାର୍ର ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର୍ ପ୍ରଦୀପ ମହାନ୍ତି, ରେଢ଼ାଖୋଲ ଏସ୍ଡିପିଓ ପ୍ରଶାନ୍ତ ମେହେର, ଯୁଯୁମୁରା ଅତିରିକ୍ତ ତହସିଲଦାର ମମତା ନନ୍ଦ ପହଞ୍ଚିବା ପରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନା ନେଇଥିଲା। ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ଖବର ଦିଆଯାଇଛି। ସେମାନେ ପହଞ୍ଚିବା ପରେ ଶବ ହସ୍ତାନ୍ତର କରାଯିବ। ୨ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁକୁ ନେଇ ଭିମସାର୍ରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ଦେବଝରଣରେ ପର୍ଯ୍ୟଟକ ବୁଡ଼ିଯାଇ ପ୍ରାଣ ହରାଇବା କିଛି ନୂଆ ନୁହେଁ। ପୂର୍ବରୁ ମଧ୍ୟ ଏଠାରେ ଅନେକ ଅଘଟଣ ଘଟିଛି।
କୁଆଖାଇରେ ଛାତ୍ରଙ୍କ ସଲିଳ ସମାଧି
ଭୁବନେଶ୍ବର/ବାରଙ୍ଗ: ଶନିବାର କୁଆଖାଇ ନଦୀରେ ବୁଡ଼ିଯିବାରୁ ଏକ ଘରୋଇ ଶିକ୍ଷାନୁଷ୍ଠାନର ବିଫାର୍ମା ଛାତ୍ର ତଥା ପଶ୍ଚିମବଙ୍ଗ ଖଡ଼ଗପୁର ଅଞ୍ଚଳର ଅଙ୍କନ ତ୍ରିପାଠୀ (୧୯)ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରିଛନ୍ତି। ଗତ ମାର୍ଚ୍ଚ ମାସରେ ସମାନ ସ୍ଥାନରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା।
ସୂଚନାନୁସାରେ ବିଫାର୍ମା ବିଭାଗର ଆଜି ୫ ଜଣ ଛାତ୍ର ଅପରାହ୍ଣରେ ବରିମୁଣ୍ଡ ନିକଟ ଜରିପାଟଣା ବାଲିଯାତ୍ରା ପଡ଼ିଆ ନଦୀପଠାକୁ ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ। ମାତ୍ର ପହଁରା ଜାଣି ନଥିବାରୁ ଦୁଇଜଣ ପାଣିରେ ବୁଡ଼ି ଯାଇଥିଲେ। ଉଭୟଙ୍କୁ ବୁଡ଼ି ଯାଉଥିବା ଦେଖି ଅନ୍ୟ ପିଲାମାନେ ଡାକ ପକାଇଥିଲେ। ପାଟି ଶୁଣି ପାଖରେ ଥିବା ଗାଁ ଲୋକେ ନଦୀକୁ ଯାଇ ଜଣକୁ ଉଦ୍ଧାର କରିଥିଲେ। କିନ୍ତୁ ଅନ୍ୟ ଜଣକୁ ପାଇ ନଥିଲେ। ଅଗ୍ନିଶମ କର୍ମଚାରୀମାନେ ନଦୀରେ ଖୋଜାଖୋଜି କରି ଅଙ୍କନଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଅଙ୍କନଙ୍କୁ ମୃତ ଘୋଷଣା କରିଥିଲେ।