ଭୁବନେଶ୍ବର : ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡର ପଞ୍ଚମ ବୈଠକ ଆଜି ଶ୍ରମ କମିସନ୍ଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ କହିଲେ, ଅଣସଂଗଠିତ ଶ୍ରମିକମାନଙ୍କ ତ୍ୟାଗ, ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ ଯୋଗୁ ରାଜ୍ୟରେ ବିକାଶର ଧାରା ତ୍ବରାନ୍ବିତ ହୋଇଛି। ରାଜ୍ୟ ସରକାର ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କର ସାମାଜିକ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି।
ଏହି ପରିପ୍ରେକ୍ଷୀରେ ନିକଟରେ ଓଡ଼ିଶା ଅଣସଂଗଠିତ ସାମାଜିକ ସୁରକ୍ଷା ନିୟମାବଳୀକୁ ସଂଶୋଧନ କରାଯାଇ ଅଣସଂଗଠିତ ଶ୍ରମିକମାନଙ୍କର ପଞ୍ଜୀକରଣ ଦେୟ ୩୦ ଟଙ୍କା ଓ ବାର୍ଷିକ ଦେୟ ୫୦ ଟଙ୍କାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି। ପଞ୍ଜୀକୃତ ଶ୍ରମିକଙ୍କ ନବୀକରଣ ଅବଧିକୁ ୧ ବର୍ଷରୁ ୩ ବର୍ଷକୁ ବୃଦ୍ଧି କରାଯାଇଛି। ଏହା ବାଦ୍ ବୋର୍ଡ ତରଫରୁ ଅନ୍ଲାଇନ୍ ବ୍ୟବସ୍ଥା ମାଧ୍ୟମରେ ହିତାଧିକାରୀ ପଞ୍ଜୀକରଣ ଓ ସହାୟତା ପ୍ରଦାନ ସହିତ ବୋର୍ଡର ସମସ୍ତ କାର୍ଯ୍ୟାବଳୀ ଉପରେ ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଏହାର ନିଜର ୱେବ୍ସାଇଟ୍ ପ୍ରସ୍ତୁତ କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି।
ବୋର୍ଡ ପକ୍ଷରୁ କିଛି ନୂଆ ସାମାଜିକ ସୁରକ୍ଷା ଯୋଜନା ସହିତ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ଦିଆଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏପରି େଯାଜନା ଅଣସଂଗଠିତ ଶ୍ରମିକ ଓ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା ଦିଗରେ ନିଶ୍ଚିତ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଥିଲେ। ବୈଠକରେ ଶ୍ରମ କମିସନର୍ ଏନ୍ ଥିରୁମାଲା ନାୟକ, ରାଜନଗର ବିଧାୟକ ଧ୍ରୁବ ସାହୁ, ଡେପୁଟି କମିସନର୍ ଅଜୟ କୁମାର ପଟ୍ଟନାୟକ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ସୁଧାକରଣ ବୁର୍ଗୀ, ଉପ ଶାସନ ସଚିବ ଜ୍ୟୋତିର୍ମୟ ନାୟକଙ୍କ ସମେତ ବୋର୍ଡ ସଦସ୍ୟ ଥିବା ଯୋଗେନ୍ଦ୍ର ନାଥ ତ୍ରିପାଠୀ, ସୌରୀବନ୍ଧୁ କର, ବିଷ୍ଣୁ ଚରଣ ମହାନ୍ତି, କିଶୋର ଜେନା, ମହେନ୍ଦ୍ର ପରିଡ଼ା ଓ ମୋହନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Labour.jpg)