ହାଇକୋର୍ଟରେ ଅଣସଂଗଠିତ ଶ୍ରମିକଙ୍କ କଲ୍ୟାଣ ମାମଲା: ୩୦ ଦିନ ଭିତରେ ବୈଠକ ଡାକିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ

କଟକ: ଅଣସଂଗଠିତ ଶ୍ରମିକଙ୍କ କଲ୍ୟାଣ ପାଇଁ ରହିଥିବା ଆଇନ ଓ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ରାଜ୍ୟରେ ମାତ୍ର ୩ ଲକ୍ଷ ୨୦ ହଜାର ଏଭଳି ଶ୍ରମିକ ଅଣସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଆଇନ ଅନୁସାରେ ପଞ୍ଜୀକୃତ ହୋଇଥିବା ହାଇକୋର୍ଟରେ ଆଜି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଅଣସଂଗଠିତ ଶ୍ରମିକଙ୍କ ପଞ୍ଜୀକରଣ ପାଇଁ ରହିଥିବା ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବା ଜଣା ପଡିଥିଲା। ଫଳରେ ବହୁ ଶ୍ରମିକ କଲ୍ୟାଣକାରୀ ଯୋଜନାରେ ସାମିଲ ହୋଇ ପାରୁ ନାହିଁ। ଏ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ୩୦ ଦିନ ଭିତରେ ଅଣସଂଗଠିତ ଶ୍ରମିକଙ୍କ ପ୍ରସଂଗକୁ ନେଇ ଏକ ବୈଠକ ଡାକିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅଣସଂଗଠିତ ଶ୍ରମିକଙ୍କ କଲ୍ୟାଣ ସଂପର୍କିତ ଆଇନ କାର୍ଯ୍ୟକାରୀ ପ୍ରସଂଗ ସହିତ ଜଡିତ ଥିବା ବିଭାଗ ଗୁଡିକର ବରି‌ଷ୍ଠ ଅଧିକାରୀ, ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ, ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ମୃଣାଳିନୀ ପାଢୀ ଓ ଅତି କମରେ ଓଡ଼ିଶାରେ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ତିନୋଟି ସିଭିଲ ସୋସାଇଟି ସଂଗଠନର ପ୍ରତିନିଧିଙ୍କୁ ନେଇ ଏହି ବୈଠକ କରାଯିବ।

ଅଧିକ ଅଣସଂଗଠିତ ଶ୍ରିମକଙ୍କୁ କଲ୍ୟାଣକାରୀ ଯୋଜନା ପରିସରଭୁକ୍ତ କିରବା ପାଇଁ କଣ ବ୍ୟବସ୍ଥା ଗ୍ରହଣ କରାଯିବ ସେ ନେଇ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ। ଏଥି ସହିତ ଜିଲ୍ଲାସ୍ତରରେ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଥିବା ମଲ୍ଟି ଏଜେନ୍ସି ମନିଟରିଂ କମିଟି ଗୁଡିକର କାର୍ଯ୍ୟକୁ ମଧ୍ୟ ବୈଠକରେ ତର୍ଜମା କରାଯିବ। ସାମାଜିକ ସୁରକ୍ଷା ପରିଚୟପତ୍ର ଓ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଆର୍ଥିକ ରାଶି ପ୍ରସଂଗକୁ ମଧ୍ୟ ବୈଠକରେ ବିଚାରକୁ ନିଆଯିବ। ଏଭଳି ବୈଠକର ବିବରଣୀ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଦାଖଲ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ମୃଣାଳିନୀ ପାଢୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର