ପୁରୀ : ପୁରୀ ଜିଲ୍ଲାରେ ବିଭିନ୍ନ ଥାନାରେ ଜବତ ହୋଇ ପଡ଼ିରହିବା ଦାବିଦାର ବିହୀନ ଗାଡ଼ି ନିଲାମ ହେବ। ଏଥିପାଇଁ ପ୍ରଥମ ପର୍ଯ୍ୟାୟ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩୦ଟି ଗାଡ଼ିର ନିଲାମ ପ୍ରକ୍ରିୟା ଆରମ୍ଭ ହେହାଇଛି। ଦାବିଦାରଙ୍କୁ ଶେଷ ସୁଯୋଗ ଭାବେ ଆସନ୍ତା ୨୬ ତାରିଖ ସୁଦ୍ଧା କାଗଜପତ୍ର ଦେଖାଇବାକୁ କୁହାଯାଇଛି। ଏହା ପରେ ଯଦି କେହି ଦାବିଦାର ନ ମିଳନ୍ତି, ସମସ୍ତ ଗାଡ଼ିକୁ ନିଲାମ କରାଯିବ ବୋଲି ଜିଲ୍ଲା ପୁଲିସ ସ୍ପଷ୍ଟ କରିଛି।
ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ(ଆଦେଶ ସଂଖ୍ୟା-୯/୨୩/୧୧/୨୨) ପରେ ଜିଲ୍ଲା ନିଲାମ କମିଟି ଓ ଜିଲ୍ଲା ପୁଲିସ ପକ୍ଷରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ନିଲାମ ପାଇଁ ପୁରୀ ଜିଲ୍ଲା ପୁଲିସ ପକ୍ଷରୁ ଡେଲାଙ୍ଗ, କଣାସ, ପିପିଲି ଓ ସମୁଦ୍ରକୂଳ ଥାନାରେ ଜବତ ହୋଇଥିବା ମୋଟ୍ ୩୦ଟି ଦାବିବିହୀନ ଗାଡ଼ର ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ଗୋଟିଏ ଟ୍ରାକ୍ଟର, ୩ଟି ପାୱାର ଟ୍ରିଲର ସହ ବାଇକ୍ ଓ ଲୁନା ରହିଛି। ଉପଜିଲ୍ଲାପାଳଙ୍କ ଆଦେଶକ୍ରମେ ଜିଲ୍ଲା ନିଲାମ କମିଟିରେ ଆଲୋଚନା ପରେ ଏହି ତାଲିକା ପ୍ରକାଶ କରାଯାଇଛି।
ଯଦି କୌଣସି ଦାବିଦାର ସେମାନଙ୍କ ଗାଡ଼ି ଚିହ୍ନି ପାରୁଛନ୍ତି, ସେମାନେ ମାର୍ଚ୍ଚ ୨୬ ତାରିଖ ମଧ୍ୟରେ ସେହି ଗାଡିର କାଗଜପତ୍ର ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ଦେଖାଇବାକୁ କୁହାଯାଇଛି। ଏହି ତାରିଖ ମଧ୍ୟରେ ମାଲିକାନା ପ୍ରମାଣିତ ହେଲେ, ତାଙ୍କୁ ଗାଡି ଜିମା ଦିଆଯିବ। ଏହି ତାରିଖ ପରେ ଦାବିବିହୀନ ଗାଡ଼ିଗୁଡିକୁ ଭାରତ ସରକାରଙ୍କ ଏମ୍ଏସ୍ଟିସି ପୋର୍ଟାଲ ମାଧ୍ୟମରେ ନିଲାମ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. କନୱର ବିଶାଳ ସିଂ କହିଛନ୍ତି।