ସୁନ୍ଦରଗଡ଼: ମଙ୍ଗଳବାର ସକାଳେ ସୁନ୍ଦରଗଡ଼ରେ ହକି ବିଶ୍ବକପ୍ ଟ୍ରଫି ପରିକ୍ରମା ବେଳେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଶ୍ବକପ୍‌ ଟ୍ରଫିକୁ ଶୋଭାଯାତ୍ରାରେ ସୁନ୍ଦରଗଡ଼ ସହର ମଧ୍ୟକୁ ନିଆଯାଉଥିବା ବେଳେ ପୂର୍ବତନ ବିଧାୟକ ତଥା ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଯୋଗେଶ ସିଂହ ଓ ତାଙ୍କ ସମର୍ଥକଙ୍କ ସହ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମୁହାଁମୁହିଁ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁସାରେ, ଏକ ସୁସଜ୍ଜିତ ଟ୍ରକ୍‌ରେ ବିଶ୍ବକପ୍ ଟ୍ରଫି ସୁନ୍ଦରଗଡ଼ ଲୁହରାଢିପାସ୍ଥ ନୂଆ ବସ୍‌ଷ୍ଟାଣ୍ଡରୁ ବାହାରି ବୟନିକା ଛକ ପହଞ୍ଚିବା ପରେ ସେଠାରେ ପୂର୍ବତନ ବିଧାୟକ ଯୋଗେଶ ସିଂ ଓ ପୂର୍ବତନ ବିଧାୟକ ଡ. ପ୍ରଫୁଲ୍ଲ ମାଝୀ ଟ୍ରକ୍‌ ଉପରେ ଚଢ଼ି ଟ୍ରଫି ସହ ଫଟୋ ଉଠାଇ ହକି ବିଶ୍ବକପ୍‌ ଆୟୋଜନର ଜୟଜୟକାର କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମନୋଜ ସତ୍ୟବାନ ମହାଜନ ଦୁଇନେତାଙ୍କୁ ଓହ୍ଲାଇଯିବାକୁ ତାଗିଦ୍‌ କରିଥିଲେ।

Advertisment

ଅଧିକାରୀଙ୍କ ଏହି ଆଚରଣର ପ୍ରତିବାଦ କରିଥିଲେ ଶ୍ରୀ ସିଂ ଓ ତାଙ୍କ ସମର୍ଥକ। ଜିଲ୍ଲାପାଳ ଓ ଉନ୍ନୟନ ଅଧିକାରୀଙ୍କ ସହ ସେମାନଙ୍କର କଥା କଟାକଟି ଓ ଠେଲାପେଲା ହୋଇଥିଲା। ମଝିରେ କିଛି ଲୋକ ଭିଡ଼ ଭିତରୁ ଜିଲ୍ଲାପାଳ ଓ ପିଡିଙ୍କ ଆଡ଼କୁ ମାଡ଼ି ଯାଇଥିଲେ। ଜିଲ୍ଲାପାଳ ଚିହିଁକି ଉଠି ‘କାହାକୁ ମାରିବ, କାହାକୁ ମାରିବ କହି ଯୋଗେଶ ସମର୍ଥକଙ୍କ ନିକଟକୁ ଚାଲି ଯାଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ପରେ ପୌର ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା ଓ ଜୟଜଗନ୍ନାଥ ଟ୍ରକ୍ ଆସୋସିଏସନର ଅଧ୍ୟକ୍ଷ ସଂଜୟ ନନ୍ଦ ଉତ୍ତେଜିତ ଲୋକମାନଙ୍କୁ ବୁଝାସୁଝା କରୁଥିବା ଦେଖା ଯାଇଥିଲା। ଏ ଘଟଣା ପରେ ପୁଲିସ ସୁରକ୍ଷାଘେରରେ ଜିଲ୍ଲାପାଳ ଶ୍ରୀ ଗାଭାଲି ଓ ଅଧିକାରୀ ଶ୍ରୀ ମହଜାନ ଟ୍ରଫି ପରିକ୍ରମା ଶୋଭାଯାତ୍ରା ଛାଡ଼ି ଚାଲି ଯାଇଥିଲେ। ଏହି ଘଟଣାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।