ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ହାତୀ ସୁରକ୍ଷା ପାଇଁ କିଛି ଠୋସ୍ ବ୍ୟବସ୍ଥା ନାହିଁ। ହାତୀପଲଙ୍କ ଗତିବିଧି ଜାଣିବାରେ ବନ ବିଭାଗ ବାରମ୍ବାର ବିଫଳ ହେଉଛି। ନିକଟ ଅତୀତରେ ହାତୀ ଘଉଡ଼ାଇବାକୁ ଯାଇ ୨ଜଣ ଗଜସାଥୀଙ୍କ ମୃତ୍ୟୁ ଘଟିଛି। ସେହିପରି, ଜିଲ୍ଲାରେ କିଛି ମାସ ତଳେ ହାତୀ ଶିକାର କରାଯାଇଥିଲେ ହେଁ ଦାନ୍ତ ଖୋଜିବାରେ ବନ ବିଭାଗ ବିଫଳ ହୋଇଛି। ମୋଟାମୋଟି କହିବାକୁ ଗଲେ, ଜିଲ୍ଲାରେ ହାତୀଙ୍କ ସହ ହାତୀକୁ ସୁରକ୍ଷା ଦେଉଥିବା ଗଜସାଥୀ ମଧ୍ୟ ଅସୁରକ୍ଷିତ। ବନ ବିଭାଗ ପାଖରେ ହାତୀ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ସାଧନ ନାହିଁ। ଦିନବେଳା ଡ୍ରୋନ୍ ଉଡ଼ାଇ କିଛି ରେଞ୍ଜରେ ହାତୀଙ୍କ ଉପସ୍ଥିତି ଅନୁଧ୍ୟାନ କରାଯାଉଛି। ସନ୍ଧ୍ୟା ପର୍ଯ୍ୟନ୍ତ ମଳ ଏବଂ ପଦଚିହ୍ନ ହିଁ ହାତୀଙ୍କ ଗତିବିଧି ଠାବ କରିବାର ଏକମାତ୍ର ଭରସା। କିନ୍ତୁ ସନ୍ଧ୍ୟା ହେଲେ ସବୁ ଓଲଟପାଲଟ ହୋଇଯାଉଛି। ହାତୀପଲଙ୍କ ପୂର୍ବ ଉପସ୍ଥିତିକୁ ଅନୁମାନ କରି ହିଁ ଗତିବିଧି ପରଖାଯାଉଛି। ବନ କର୍ମଚାରୀ କିମ୍ବା ଗଜସାଥୀଙ୍କ ପାଖରେ ଜିପିଏସ୍ ବ୍ୟବସ୍ଥା ନାହିଁ।
କୌଣସି ସ୍ଥାନରେ ହାତୀ ଚଳାଚଳ ହେଲେ ଦିନକୁ ୪ ଥର ରିପୋର୍ଟିଂ କରାଯାଉଛି। ହାତୀଙ୍କ ଉପସ୍ଥିତି ସମ୍ପର୍କରେ ଆଇଡବ୍ଲ୍ୟୁଏମ୍ଏସ୍ ଆପ୍ରେ ଅପ୍ଲୋଡ୍ କରାଯାଉଛି। କିନ୍ତୁ ରାତିରେ ଏସବୁ ବ୍ୟବସ୍ଥା ଫେଲ୍ ମାରୁଛି। ଫଳରେ, ଗଜସାଥୀମାନେ ହାତୀଙ୍କ ଉପସ୍ଥିତି ସମ୍ପର୍କରେ ସଠିକ୍ ଖବର ନ ପାଇ ମରଣମୁହଁରେ ପଡ଼ୁଛନ୍ତି। ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ମୋବାଇଲ୍ ନେଟ୍ୱର୍କ ଆସୁନାହିଁ। ଏଭଳି ସ୍ଥିତିରେ ହାତୀପଲର ସ୍ଥିତି ସମ୍ପର୍କରେ ରେଞ୍ଜରୁ ରେଞ୍ଜକୁ ଖବର ପହଞ୍ଚାଇବାରେ ବିଳମ୍ବ ହେଉଛି। ଜିଲ୍ଲାରେ ପୂର୍ବରୁ ୨ଟି ହାତୀ କରିଡର୍ ରହିଥିଲା। ଉଭୟ କରିଡର୍ ସୋନପୁର ଜିଲ୍ଲାକୁ ବଲାଙ୍ଗୀର ସହ ସଂଯୋଗ କରୁଥିଲା। ପ୍ରଥମ କରିଡର୍ର ମୂଳ ଥିଲା ସୋନପୁର ଜିଲ୍ଲାର ସିଂଯୁରୀ କଁଟା। ସେଠାରୁ ହାତୀ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ରେଞ୍ଜ ପତରପାଲି, ବକଟି, କେଶେଇପାଲି, ନୁନିଆପାଲି ଦେଇ ଲରମ୍ଭା ସେକ୍ସନ ଯାଉଥିଲେ। ଦ୍ବିତୀୟ କରିଡର୍ ମଧ୍ୟ ସୋନପୁର ଜିଲ୍ଲାରୁ ଆରମ୍ଭ ହୋଇ ଅର୍ଜୁନ୍ପୁର ଅଞ୍ଚଳର ନୂଆଗାଁ, ସୁଲିଆ, ଆଠଗାଁ, ଉପରଝର, ମଠଖାଇ ଦେଇ ଦେଓଗାଁ ଅଞ୍ଚଳକୁ ଲମ୍ବିଥିଲା। କିନ୍ତୁ ଏବେ ପୂର୍ବ ନିର୍ଦ୍ଧାରିତ ହାତୀପଥ ଦେଇ ହାତୀ ଚଳାଚଳ ନାହିଁ। ହାତୀମାନେ ଗୋଠଛଡ଼ା ହେଉଥିବାରୁ ସେମାନଙ୍କୁ ପୁରୁଣା ପଦ୍ଧତିରେ ଠାବ କରିବା ମୁସ୍କିଲ୍ ହୋଇପଡ଼ୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/19/uHpG9LXUvk3DUxHd6ARi.jpg)