ଅସୁରକ୍ଷିତ ଗଞ୍ଜାମର କୃଷ୍ଣସାର ମୃଗ,ବଢ଼ୁଛି ବଂଶ, ସ୍ବତନ୍ତ୍ର ଯୋଜନା ନାହିଁ

କୃଷ୍ଣସାର ଅଭୟାରଣ୍ୟ ପରିକଳ୍ପନା ଦାବି

ଆସିକା : ଗଞ୍ଜାମ ଜିଲ୍ଲାର ଆସିକା ବନାଞ୍ଚଳ। ବିରଳ କୃଷ୍ଣସାର ମୃଗଙ୍କ ପ୍ରମୁଖ ଆସ୍ଥାନ ଭାବେ ଏହା ସମଗ୍ର ଏସିଆ ମହାଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛି। ହେଲେ ସା˚ପ୍ରତିକ ସ୍ଥିତିରେ ଏହି ବିରଳ ଓ ନିରୀହ ପ୍ରାଣୀକୁ ଯେମିତି ବିପଦ ମାଡ଼ି ବସିଛି। ବଂଶବୃଦ୍ଧି ହେଉଛି ସତ। କିନ୍ତୁ ସୁରକ୍ଷା ପାଇଁ ଦୀର୍ଘମିଆଦି ଯୋଜନା ଓ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁନି। ଖାଦ୍ୟ ଓ ପାଣି ପାଇଁ କୃଷ୍ଣସାର ଜନବସତିମୁହାଁ ହୋଇ କେତେବେଳେ ହିଂସ୍ର କୁକୁରଙ୍କ ଆକ୍ରମଣର ଶିକାର ହେଉଛନ୍ତି ତ, ଆଉ କେତେବେଳେ  ରାସ୍ତା ପାର ହେଉଥିବା ସମୟରେ ଗାଡ଼ି ଧକ୍କାରେ ପ୍ରାଣ ହରାଉଥିବାର ନଜିର୍ ରହିଛି। ଗତ କିଛି ବର୍ଷ ଧରି କୃଷ୍ଣସାରଙ୍କ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ଭାବେ ବଢ଼ିବାରେ ଲାଗିଛି।

ଆସିକା ବ୍ଲକ୍ ଭେଟନଇ ପଞ୍ଚାୟତ ସମେତ ସିଦ୍ଧନୟୀ, ଖାରିଆ, ପାଣ୍ଡିଆପଥର, ବାବନପୁର, ବରଗାଁ ଓ ବଡ଼ଖୋଲି ପଞ୍ଚାୟତ କୃଷ୍ଣସାର ମୃଗଙ୍କ ପ୍ରାକୃତିକ ବାସସ୍ଥଳୀ ଓ ବିଚରଣସ୍ଥଳୀ ଭାବେ ପରିଚିତ। ବର୍ତ୍ତମାନ କୃଷ୍ଣସାର ମୃଗଙ୍କୁ ବାଲିଛାଇ ଓ ଗୁଣ୍ଠପଡ଼ା ପଞ୍ଚାୟତ ସମେତ ଧରାକୋଟ, ବୁଗୁଡ଼ା ଓ କବିସୂର୍ଯ୍ୟନଗର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ଏଥିପାଇଁ କୃଷ୍ଣସାରଙ୍କୁ ଗଞ୍ଜାମର ଗର୍ବ ବୋଲି କୁହାଯାଇଥାଏ। ବିସ୍ତୃତ ଘାସପଡ଼ିଆରେ ଦଳଦଳ ହୋଇ କୃଷ୍ଣସାର ମୃଗ ବୁଲିବା ସହ ଘାସ ଖାଇଥାନ୍ତି।

୧୯୭୩ ମସିହାରେ ପ୍ରଥମ ଥର ପାଇଁ ଆସିକା ବନାଞ୍ଚଳରେ କୃଷ୍ଣସାର ମୃଗ ଗଣନା ଆରମ୍ଭ ହୋଇଥିଲା। ୧୯୭୩ରେ ୫୨୮ଟି କୃଷ୍ଣସାର ଥିବା ବେଳ‌େ ୧୯୮୦ ରେ ୪୫୮, ୧୯୯୮ ରେ ୫୫୧,୨୦୦୪ ରେ ୭୮୦, ୨୦୦୬ରେ ୧୧୦୧, ୨୦୦୮ରେ ୧୬୭୨, ୨୦୧୦ ରେ ୨୧୮୧, ୨୦୧୧ରେ ୧୫୩୩, ୨୦୧୫ରେ ୨୬୧୮, ୨୦୧୮ରେ ୨୮୦୯ ଓ ୨୦୨୦ରେ ୪୧୧୪ଟି କୃଷ୍ଣସାର ଥିବା ଗଣନାରୁ ଜଣାପଡ଼ିଥିଲା।

ଫଳରେ ତୁଳନାତ୍ମକ ଭାବେ କୃଷ୍ଣସାରଙ୍କ ବଂଶବୃଦ୍ଧି ହେଉଥିବା ବେଳେ ସେମାନଙ୍କ ସୁରକ୍ଷା ବର୍ତ୍ତମାନ ବିରାଟ ପ୍ରସଙ୍ଗ ପାଲଟିଛି। ରୋଗରେ ପଡ଼ିବା ସହ ନିଜ ମଧ୍ୟରେ ଲଢ଼େଇ, ବନ୍ୟଜନ୍ତୁଙ୍କ ଆକ୍ରମଣ ଓ ଗାଡ଼ି ଧକ୍କାରେ ସେମାନଙ୍କ ମୃତ୍ୟୁ ହେଉଛି। ବହୁ ପର୍ଯ୍ୟଟକ ଭେଟନଇର ଜଗତିପଡ଼ିଆ ଇଲାକାକୁ ମୃଗକୁ ଅତି ନିକଟରୁ ଦେଖିବା ଲାଗି ସୁଯୋଗ ପାଇବା ସହ ଫଟୋ ଉଠାଇଥାନ୍ତି। ଏଥିପାଇଁ ଜଗତିପଡ଼ିଆ ଓ ଛତାପଡ଼ିଆ ନିକଟରେ ଦୁଇଟି ୱାଚଟାୱାର୍ ନିର୍ମାଣ କରାଯାଇଛି। ସେହିପରି ପାଣି ପିଇବା ପାଣି ଜଗତି ପଡ଼ିଆରେ ବହୁ ସଂଖ୍ୟାରେ କୁଣ୍ଡ ନିର୍ମାଣ ହୋଇଛି।
କିନ୍ତୁ ଦଳଗତ ଭାବେ ରହୁଥିବା କୃଷ୍ଣସାରଙ୍କ ଖାଦ୍ୟ ଓ ପାଣି ପାଇଁ ବ୍ୟବସ୍ଥା ନଥିବାରୁ ସ୍ଥାନ ପରିବର୍ତ୍ତନ ବେଳେ ଦୁର୍ଘଟଣା ଓ ବନ୍ୟଜନ୍ତୁଙ୍କ ଦ୍ବାରା ଆକ୍ରମଣ ଭଳି ବିପଦକୁ ସାମ୍ନା କରିଥାନ୍ତି। ସେହିପରି ସଂପ୍ରତି ବାଲିପଦର, ଆସିକା ଓ କବିସୂର୍ଯ୍ୟନଗର ରାସ୍ତା କୃଷ୍ଣସାରଙ୍କ ଅବାଧ ବିଚରଣସ୍ଥଳୀ ପାଲଟିଛି। ତେବେ କିଛି ପ୍ରଭାବଶାଳୀ ବ୍ୟକ୍ତି ଜଗତିପଡ଼ିଆରେ କିଛି ଜମିକୁ ନିଜ ଅକ୍ତିଆରରେ ନେଇସାରିଛନ୍ତି। ଜାଲି ବାଡ଼ ନିର୍ମାଣ ହେତୁ ତାହା କୃଷ୍ଣସାରଙ୍କ ବିଚରଣରେ ବାଧା ସୃଷ୍ଟି କରୁଛି।

ଆସିକା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା କହିଛନ୍ତି, କୃଷ୍ଣସାରଙ୍କ ପାଇଁ ଘାସ, ମୁଗ, ବିରି ଓ ମାଣ୍ଡିଆ ଆଦି ଚାଷ କରାଯାଉଛି। ଏହାସହ ଗୋଟା ଲୁଣ ଓ ମାଟି ସହିତ ଲୁଣ ମିଶାଇ ଏକ ମିଶ୍ରଣ ବି ପ୍ରସ୍ତୁତ ହେଉଛି। ଯଦ୍ବାରା ସେମାନେ ‌ଏହାକୁ ଚାଟିବା ଦ୍ବାରା ସୁସ୍ଥ ରହିବା ସହ ଆୟୋଡ଼ିନ୍ ପାଇପାରିବେ। ତେବ‌େ ଏହି ବନାଞ୍ଚଳରେ କୃଷ୍ଣସାରଙ୍କ ବଂଶ ଯେଉଁ ମାତ୍ରାରେ ସେହି ବୃଦ୍ଧି ପାଉଛି, ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ସୁରକ୍ଷା ଲାଗି ବି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ ବ‌ୋଲି ପରିବେଶବିତ୍ ମତବ୍ୟକ୍ତ କରିଛନ୍ତି। ଗଞ୍ଜାମ ଜିଲ୍ଲା କୃଷ୍ଣସାର ମୃଗ ସୁରକ୍ଷା ସମିତିର ସଭାପତି ଅମୂଲ୍ୟ ଉପାଧ୍ୟାୟ କହିଛନ୍ତି, କୃଷ୍ଣସାର ମୃଗଙ୍କ ମୃତ୍ୟୁକୁ ନେଇ ପ୍ରକୃତ ତଥ୍ୟ ମିଳୁନି। କିନ୍ତୁ ବର୍ତ୍ତମାନ କୃଷ୍ଣସାରଙ୍କ ସୁରକ୍ଷା ପାଇଁ ସରକାର ଅଭୟାରଣ୍ୟ ସୃଷ୍ଟି କରିବାକୁ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଯଦ୍ବାରା ପର୍ଯ୍ୟଟକ ଅଧିକ ମାତ୍ରାରେ ଆକର୍ଷିତ ହୋଇପାରିବେ। ସେହିପରି ଏହି ସ୍ଥାନରେ କଙ୍କଣ ଦେବୀଙ୍କ ପୀଠ ଥିବା ବେଳେ ବନ ବିଭାଗ ପକ୍ଷରୁ ସହରାଞ୍ଚଳ ବନୀକରଣ ଯୋଜନାରେ ନୂତନ ଜଙ୍ଗଲ ସୃଷ୍ଠି କରାଯାଇଛି। ଏହି ସ୍ଥାନରେ ବଣଭୋଜି ପାଇଁ ଅନେକ ସୁବିଧା ମଧ୍ୟ ରହିଛି। ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ସରକାର ଉଦ୍ୟମ କରିବା ଆବଶ୍ୟକ ରହିଛି ବୋଲି ଶ୍ରୀ ଉପାଧ୍ୟାୟ କହିଛନ୍ତି।

ଅନ୍ୟପକ୍ଷରେ ବୁଗୁଡ଼ା ବନାଞ୍ଚଳରେ ୨୦୨୧ ଗଣନା ଅନୁସାରେ ୨୨୨୬ଟି କୃଷ୍ଣସାର ରହିଛନ୍ତି। ସେଥିମଧ୍ୟରୁ ୫୮୨ଟି ଅଣ୍ଡିରା, ୧୨୪୫ଟି ମାଈ ଓ ୩୯୯ଟି ଛୁଆ। ସେମାନଙ୍କ ପାଇଁ ରାମଗଡ଼, ବିଷ୍ଣୁଚକ୍ର, ଜିଲିଭା, ତାଳସାକର, ମଙ୍ଗଳପୁରରେ ଘାସ ପଡ଼ିଆ କରାଯାଇଛି। ଏହି ପଡ଼ିଆରେ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ଘାସ ସହ ବିରି, ମୁଗ ବୁଣାଯାଏ। ପାଣି ପାଇଁ ତିନିଟି ପୋଖରୀ ଖୋଳାଯାଇଥିବା ସହ ସାପୁଆରେ ପାଣିକୁଣ୍ଡ ବ୍ୟବସ୍ଥା ରହିଛି। ମୃଗଙ୍କ ସୁରକ୍ଷା ପାଇଁ ବନାଞ୍ଚଳରେ ପାଞ୍ଚଟି ସୁରକ୍ଷା କମିଟି ଗଠିତ ହୋଇଛି। ତେବ‌େ ରାସ୍ତା ପାର ହେଉଥିବା ସମୟରେ ଓ ଦଳପତି ପାଇଁ ଲଢ଼େଇ ଯୋଗୁଁ ହିଁ କୃଷ୍ଣସାରଙ୍କ ମୃତ୍ୟୁ ହେଉଛି। ବର୍ଷକ ଭିତରେ ଏହି ବନାଞ୍ଚଳରୁ ଦୁର୍ଘଟଣାରେ ୬ଟି ମୃଗ ପ୍ରାଣ ହରାଇଛନ୍ତି। ଲଢ଼େଇରେ ୪ ଅଣ୍ଡିରା କୃଷ୍ଣସାରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର