ନୟାଗଡ଼ : ନୟାଗଡ଼ ଟାଉନ୍ ରେଳ ଷ୍ଟେସନ୍କୁ ଇତିମଧ୍ୟରେ ଟ୍ରେନ୍ ଚଳାଚଳ ନେଇ ୫ ବର୍ଷ ଅତିକ୍ରମ କରିସାରିଛି। ନୟାଗଡ଼ ଜିଲ୍ଲାବାସୀଙ୍କ ମଧ୍ୟରେ ରେଳ ଯାତ୍ରା ପାଇଁ ଚାହିଦା ମଧ୍ୟ ବୃଦ୍ଧି ଘଟୁଛି। ଏପରି ସ୍ଥଳେ ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଥିବା ଏହି ଷ୍ଟେସନ୍ ଅସୁରକ୍ଷିତ ହୋଇପଡ଼ିଥିବା ଦେଖାଯାଇଛି। ସନ୍ଧ୍ୟା ହେଲେ ଷ୍ଟେସନ୍ ଅଞ୍ଚଳକୁ ନିଶାଡ଼ିଙ୍କଠାରୁ ଆରମ୍ଭ କରି ଅପରାଧପ୍ରବଣ ଯୁବକଙ୍କ ସୁଅ ଛୁଟୁଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଷ୍ଟେସନ୍ ଅଞ୍ଚଳରେ ନିଶାର ଆସର ଜମୁଛି। ଯାହା ଉକ୍ତ ଷ୍ଟେସନ୍ରେ କାର୍ଯ୍ୟରତ ହାତଗଣତି କର୍ମଚାରୀଙ୍କୁ ଅକଳରେ ପକାଉଛି।
/sambad/media/post_attachments/wp-content/uploads/2022/07/nayagarh-station-3-737x430.jpg)
ଇତିମଧ୍ୟରେ ଦୁଇ ଥର ଷ୍ଟେସନ୍ କର୍ମଚାରୀ ଅସାମାଜିକ ଯୁବକଙ୍କ ଆକ୍ରମଣର ଶିକାର ହୋଇ ସାରିଛନ୍ତି। ଷ୍ଟେସନ୍ କାର୍ଯ୍ୟାଳୟ ମଧ୍ୟରେ ପଶି କାଗଜପତ୍ର ପୋଡ଼ିବାଠାରୁ ନେଇ ଷ୍ଟେସନ୍ ମ୍ୟାନେଜରଙ୍କୁ ବ୍ଲେଡ୍ରେ ଆକ୍ରମଣ ଭଳି ଘଟଣା ଘଟିସାରିଛି। ଏହା ପରେ ମଧ୍ୟ ଏଠାରେ ସୁରକ୍ଷା ବନ୍ଦୋବସ୍ତ କରାଯାଉନାହିଁ। ପରିତାପର ବିଷୟ ହେଲା ପୂର୍ବରୁ ଏଠାରେ ୪ ଜଣ ରେଳ ସୁରକ୍ଷା ବଳ (ଆର୍ପିଏଫ୍) ପୁଲିସ କର୍ମଚାରୀ ଥିବା ବେଳେ, ସମୟ କ୍ରମେ ୨ ଜଣଙ୍କୁ ଅପସାରଣ କରି ନିଆଯାଇଥିଲା। ପ୍ରାୟ ଏକ ମାସ ତଳେ ଆଉ ଜଣେ ଆର୍ପିଏଫ୍ଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ବର୍ତ୍ତମାନ ମାତ୍ର ଜଣେ ଆର୍ପିଏଫ୍ଙ୍କ ଭରସାରେ ଉକ୍ତ ଷ୍ଟେସନ୍ ରହିଛି। ସରକାରୀ ରେଲୱେ ପୁଲିସ(ଜିଆର୍ପି) ଆଦୌ ଏଠାରେ ନଥିବା ଜଣାପଡ଼ିଛି। ଏହି ଷ୍ଟେସନ୍ରେ ଅସାମାଜିକ ତତ୍ତ୍ବଙ୍କ ଉତ୍ପାତ ବୃଦ୍ଧି ପାଉଥିବାରୁ ଏଠାରେ ଅପରାଧୀଙ୍କୁ ଧରିବା ନେଇ ସିସି କ୍ୟାମେରାର ବ୍ୟବସ୍ଥା କରିବାକୁ ଦାବି ହେଉଛି। ପ୍ରମୁଖ ଷ୍ଟେସନଗୁଡ଼ିକ ପରି ନୟାଗଡ଼ ଟାଉନ୍ ଷ୍ଟେସନ୍ରେ ସିସି କ୍ୟାମେରା ଲଗାଇବା ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି।
/sambad/media/post_attachments/wp-content/uploads/2022/07/nayagarh-station-750x350.jpg)
ଗତ ଜୁନ୍ ୫ ତାରିଖରେ ଭାଟ୍ଟସାହି ଗ୍ରାମର ଦୁଇ ମଦ୍ୟପ ଯୁବକ ରମେଶ ବେହେରା ଓ ଟୁକୁନା ବେହେରା, ସର୍ଜିକାଲ ବ୍ଲେଡ୍ରେ ଷ୍ଟେସନ୍ ମ୍ୟାନେଜର ସଞ୍ଜୟ କୁମାର ପ୍ରଧାନ, ସୁଇପର ଧ୍ରୁବଚରଣ ନାୟକଙ୍କୁ ଆକ୍ରମଣ କରିଥିଲେ। ୨୦୨୧ ଏପ୍ରିଲ ମାସରେ ମଧ୍ୟ ଷ୍ଟେସନ୍ ମ୍ୟାନେଜର ଶ୍ରୀ ପ୍ରଧାନଙ୍କ ସମେତ ଏଠାରେ କାର୍ଯ୍ୟରତ ଆର୍ପିଏଫ୍ ପୁଲିସ ଆକ୍ରମଣର ଶିକାର ହୋଇଥିଲେ। ଶ୍ରୀ ପ୍ରଧାନଙ୍କର ଏଥିରେ ମୁଣ୍ଡ ଫାଟିଥିଲା। ଖୋଦ୍ ଜିଲ୍ଲା ପୁଲିସ ମୁଖ୍ୟାଳୟର ଜନୈକ କନେଷ୍ଟବଳ, ତାଙ୍କର ୧୦ ଜଣ ମଦ୍ୟପ ସହଯୋଗୀ ସେତେବେଳେ ଏହି କାଣ୍ଡ ଭିଆଇଥିଲେ। ରେଳ ବିଭାଗର ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଏଠାରେ ନଥିବା ବେଳେ ଟାଉନ୍ ଥାନା ପୁଲିସ ପକ୍ଷରୁ ମଧ୍ୟ ଜୋରଦାର ପାଟ୍ରୋଲିଂ ନାହିଁ। ତେଣୁ ନିଶାଡ଼ିମାନେ ଏହି ଅଞ୍ଚଳକୁ ସେମାନଙ୍କର ଅଭୟାରଣ୍ୟ ମନେ କରିନେଇଛନ୍ତି। ଷ୍ଟେସନ୍ର ବିଭିନ୍ନ ସ୍ଥାନରେ ମଦ ବୋତଲଠାରୁ ଆରମ୍ଭ କରି ନିଶା ସାମଗ୍ରୀ ପ୍ୟାକେଟ୍ ପଡ଼ିଥିବା ଦେଖିବାକୁ ମିଳୁଛି। କୌଣସି ବଡ଼ ଧରଣର ଅଘଟଣ ଘଟିବା ଆଗରୁ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଟାଉନ୍ ଥାନା ପୁଲିସ ଏହି ଅଞ୍ଚଳ ପ୍ରତି ଦୃଷ୍ଟି ଦେବାକୁ ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/nayagarh-station-1.jpg)