ସୁନ୍ଦରଗଡ଼: ଗିର୍ଜା ଘରେ ଘଣ୍ଟି ବାଜେ। ହେଲେ କେବଳ ପ୍ରାର୍ଥନା କି ଈଶ୍ବରଙ୍କ ଆରାଧନା ପାଇଁ ନୁହେଁ। ଅସମୟରେ ଘଣ୍ଟି ବାଜିବାର କାରଣ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଘଣ୍ଟି ଏଠାରେ ଗାଁ ଲୋକଙ୍କ ପାଇଁ ସାଜିଛି ଯୋଗାଯୋଗର ମାଧ୍ୟମ। ଘଣ୍ଟି ବାଜିଲା ମାତ୍ରେ ଗାଁ ଲୋକେ ସମସ୍ତେ ଗିର୍ଜାଘର ସମ୍ମୁଖରେ ରୁଣ୍ଡ ହୋଇଯାନ୍ତି। ସେଇଠି ଗାଁ ପାଇଁ ଥିବା କୌଣସି ଜରୁରୀ ସୂଚନା ଦିଆଯାଏ କି କୌଣସି କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୁଏ। କୌଣସି ସାମୂହିକ ନିଷ୍ପତ୍ତି ନେବାର ଥିଲେ ବି ଏହି ଘଣ୍ଟି ବଜାଇ ସମସ୍ତଙ୍କୁ ଡକାଯାଏ। ଏହା ହେଉଛି ଅପହଞ୍ଚ ଗାଁ ତୁମ୍ବିଖୋଲର କଥା।

Advertisment

ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ସୁମୁରା ପଞ୍ଚାୟତସ୍ଥ ଏହି ଗାଁରେ ମୋବାଇଲ୍ ନେଟୱର୍କ ନାହିଁ। ତେଣୁ ମୋବାଇଲ୍ ଫୋନର କାମ ଗିର୍ଜାଘର ଘଣ୍ଟି କରିଥାଏ। ଯେମିତି ଆଗେ ଗାଁରେ ଡେଙ୍ଗୁରା ବଜାଇ ଲୋକଙ୍କୁ ସୂଚନା ଦିଆଯାଉଥିଲା। ରାଜ୍ୟରେ ଏଭଳି ଅନେକ ଗାଁ ଅଛି, ଯେଉଁଠି ମୋବାଇଲ ନେଟୱର୍କ ପହଞ୍ଚି ପାରିନାହିଁ । କିଏ ପାହାଡ଼ ଉପରେ ତ ଆଉ କିଏ ଗଛ ଉପରେ ଚଢ଼ି ମୋବାଇଲ ନେଟୱର୍କ ଖୋଜିଥାନ୍ତି। ସେମିତି  ସୁମରା ପଞ୍ଚାୟତର ତୁମ୍ବିଖୋଲ, ତିଉରିଆ, ମାକଡ଼ିଖୋଲ ଆଦି ୧୨ରୁ ଅଧିକ ଗାଁକୁ ଏଯାଏ ମୋବାଇଲ୍‌ ନେଟୱର୍କ ପହଞ୍ଚି ପାରିନାହିଁ । ଯଦି ଜଣେ ଥରେ ଏହି ଅଞ୍ଚଳକୁ ପଶିଯିବ, ତାହେଲେ ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯିବ। ମୋବାଇଲ୍‌ ନେଟୱର୍କ ନଥିବାରୁ କାହାକୁ ଯୋଗାଯୋଗ କରିବା ସମ୍ଭବ ହେବ ନାହିଁ। ଏ ସ୍ଥିତିରେ କାହିଁ କେଉଁ କାଳରୁ ଏକ ପ୍ରକାର ବିଚ୍ଛିନ୍ନ ‌ହୋଇ ରହିଥିବା ଗାଁ ଲୋକଙ୍କ ଦୁର୍ଦ୍ଦଶା ଆଖିରେ ନଦେଖିଲେ ବିଶ୍ବାସ କରି ହୁଏ ନାହିଁ।

ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳା ଓ ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଖଟିଆ ‌ଦୋଳା ଏଠାରେ ଭରସା। ନେଟୱର୍କ ନଥିବାରୁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବା ସମ୍ଭବ ହୋଇନଥାଏ। ୫ କି‌ଲୋମିଟର ତିଉରିଆ ଗାଁ ପର୍ଯ୍ୟନ୍ତ ଗର୍ଭବତୀ, ରୋଗୀଙ୍କୁ ବୋହି ନେବା ପରେ ସେଠାରୁ ମୋବାଇଲରେ ଆମ୍ବୁଲାନ୍ସ ଡାକି ଗ୍ରାମବାସୀ ଡାକ୍ତରଖାନାରେ ପହଞ୍ଚାଇଥାନ୍ତି। ଡିଜିଟାଲ ଓ ୫-ଜି ଯୁଗରେ ଏବେ ବି ଗିର୍ଜାର ଘଣ୍ଟି ଲୋକଙ୍କ ଯୋଗାଯୋଗର ମାଧ୍ୟମ ସାଜିବା ସରକାରଙ୍କ ଗ୍ରାମ୍ୟ ବିକାଶ ଯୋଜନା ପ୍ରତି ଉପହାସ ନିଶ୍ଚୟ।