କାଳିଆପାଣି: ନଗଡ଼ା ପଡ଼ୋଶୀ ଗୁହିଆଶାଳ ମୌଜା ତଳଡ଼ିହ ଜୁଆଙ୍ଗ ବସ୍ତି ଏବେ ବି ଅପହଞ୍ଚ ହୋଇ ରହିଛି। ୧୧ଟିଯାକ ପରିବାର ମୌଳିକ ସମସ୍ୟାରେ ଛଟପଟ ହେଉଛନ୍ତି। ୨୦୧୬ ଜୁନ୍ ୩୦ ତାରିଖ ‘ସମ୍ବାଦ’ରେ ଶିଶୁମଡ଼କ ଖବର ଲୋକଲୋଚନକୁ ଆସିବା ପୂର୍ବରୁ ନଗଡ଼ାର ଚିତ୍ର ଯାହା ଥିଲା, ଏବେ ତଳଡିହ ଜୁଆଙ୍ଗ ବସ୍ତିରେ ଅନୁରୂପ ପରିସ୍ଥିତି।
ଗତ ୨୪ ତାରିଖ ୨ ଶିଶୁଙ୍କ ମୃତ୍ୟୁ ପରେ ତଳଡିହ ବସ୍ତିର ଲୋକସଂଖ୍ୟା ୬୪ ରହିଛି। ମହିଳାଙ୍କ ସଂଖ୍ୟା ୩୪ ଓ ୩୦ଜଣ ପୁରୁଷ ଅଛନ୍ତି। ୧ ରୁ ୧୬ବର୍ଷ ମଧ୍ୟରେ ୩୦ଜଣ ଶିଶୁ ରହିଛନ୍ତି। ଗାଁକୁ ସବୁଦିନିଆ ରାସ୍ତା ନାହିଁ କି ବିଦ୍ୟୁତ୍ ସେବା ପହଞ୍ଚିନାହିଁ। ଜଙ୍ଗଲ ମଧ୍ୟସ୍ଥ ଗୁଳାବାଟରେ ଚାଲିଚାଲି ଯିବାକୁ ହୋଇଥାଏ। ପାନୀୟ ଜଳଯୋଗାଣ ବ୍ୟବସ୍ଥା ନାହିଁ। ପ୍ରଧାନମନ୍ତ୍ରୀ ଆବାସ କାହାରିକୁ ମିଳିନାହିଁ। ଗାଁ ପାଖରେ ମୂଲ୍ୟବାନ କ୍ରୋମାଇଟ୍ ଖଣି ଥିଲେ ବି ଖଣି ପ୍ରଭାବିତ ବିଜୁ ପକ୍କାଘର ଯୋଜନାର ଚିହ୍ନବର୍ଣ୍ଣ ନାହିଁ। ସମସ୍ତଙ୍କର ଝାଟିମାଟି ଓ ଛଣ ଛପରଘରକୁ ବାଉଁଶ ତାଟିକବାଟ। ବର୍ଷାଦିନେ ସବୁଘର ସନ୍ତସନ୍ତିଆ ହୋଇଯାଏ। ଲୋକେ ମନରେଗା ଯୋଜନା ଓ ଜବ୍କାର୍ଡ ବିଷୟରେ ଅଜ୍ଞ। ଜଙ୍ଗଲରୁ ଚେରମୂଳି ସଂଗ୍ରହ କରି ଏ ସବୁକୁ ହାଟରେ ବିକିବା ପରେ ମିଳୁଥିବା ସ୍ବଳ୍ପଟଙ୍କାରେ ତେଲଲୁଣ କିଣନ୍ତି। ସମସ୍ତଙ୍କର ବଡ଼ ପରିବାର। ରାସନ୍ ଚାଉଳ ଗଣ୍ଡାକ ଅଧାମାସ ଯିବା କଷ୍ଟକର ବୋଲି କହନ୍ତି ଗାଁ ମୁଖିଆ କରୁଣା ପ୍ରଧାନ। ଶୀତରୁ ବର୍ଷା ପର୍ଯ୍ୟନ୍ତ ଜଙ୍ଗଲୀ ଆଳୁ କିଛି ପରିମାଣରେ ଖାଦ୍ୟାଭାବ ମେଣ୍ଟାଇଥାଏ। ପୋଡ଼ୁଚାଷ ପାଇଁ ଜୀବନ ବଞ୍ଚିଛି ବୋଲି କହନ୍ତି ଗ୍ରାମବାସୀ।
ଦୈନିକ ମୁଣ୍ଡ ପିଛା ଆୟ ୩୦ ଟଙ୍କାରୁ ବି କମ୍। ଗାଁରେ ଅଙ୍ଗନବାଡ଼ି ଅଛି, ହେଲେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ନାହିଁ। କାରଣ ଅଙ୍ଗନବାଡ଼ି କର୍ମୀ ଦସ୍ତଖତ କଲା ଭଳି ପଢ଼ିଛନ୍ତି। ଗାଁରୁ ୨୦ କିଲୋମିଟର ଦୂରରେ କାଳିଆପାଣି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ଦୁର୍ଗମ ରାସ୍ତା ତଥା ଏତେ ବାଟ ହୋଇଥିବାରୁ ସେଠାକୁ ଜଣେ ହେଲେ ରୋଗୀ ଯିବାର ନଜିର ନାହିଁ। ଏଠାରେ ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ ରହିଛି। ଗାଁର କରୁଣା ପ୍ରଧାନ ଭାଲୁ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଥିଲେ। ଗତ ସପ୍ତାହ ୮ ଟିକିଆ ବଣୁଆ ହାତୀପଲ ଗାଁ ପାଖ ଧାନ କ୍ଷେତ ଉଜାଡ଼ିଥିବା ଦେଖିବାକୁ ମିଳିଛି। ଗତବର୍ଷ ଗୁହିଆଶାଳ ଗାଁ ପାଖ ଜଙ୍ଗଲରେ ବାଘ ଏକ ମଇଁଷି ଶିକାର କରିଥିବା ସେ କହନ୍ତି। ପାର୍ଶ୍ବବର୍ତ୍ତୀ ଜଙ୍ଗଲରେ ୬ଟି କଲରାପତରିଆ ବାଘ ଥିବା ନେଇ ଗତ ନଭେମ୍ବରରେ ତତ୍କାଳୀନ ଡିଏଫ୍ଓ ସଞ୍ଜୟ କୁମାର ସ୍ବାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ସୂଚନା ଦେଇଥିଲେ। ୪ଦିନ ତଳେ ହାତୀପଲ ଉପସ୍ଥିତି ପାଇଁ ଡାକ୍ତରୀ ଦଳ ତଳଡିହ ପହଞ୍ଚିବା ପୂର୍ବରୁ ଅଧା ବାଟରୁ ଫେରି ଆସିବାକୁ ବାଧ୍ୟ ହୋଇଥିଲେ। ଜଙ୍ଗଲ ଭିତରେ ଦୁର୍ଗମ ପାହାଡ଼ିଆ ବାଟ ଡେଇଁ ଭ୍ରାମ୍ୟମାଣ ସରକାରୀ ସ୍ବାସ୍ଥ୍ୟସେବା ପହଞ୍ଚାଇବା ଏକ ଆହ୍ବାନ। ପାହଡ଼ୀ ରାସ୍ତାରେ ଅଢ଼େଇ କିଲୋମିଟର ଦୂର ଯାଇ ଗାଁ ପାଖ ଗୁହିଆଶାଳ ଉଚ୍ଚ ପ୍ରାଥମିକ ସ୍କୁଲରେ ପାଠ ପଢ଼ିବା ଛୋଟ ପିଲାଙ୍କ ପକ୍ଷେ ଅସମ୍ଭବ। ଏ ସଂପର୍କରେ ସୁକିନ୍ଦା ବିଡିଓ ନମ୍ରତା ମୋଦୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/54s56fh456hfhfhf.jpg)